ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ, ସୃଷ୍ଟିକର୍ତ୍ତା ବ୍ରହ୍ମଦେବ ନିଜର ୧୦ଟି ଅଙ୍ଗରୁ ୧୦ ଜଣ ପୁତ୍ରଙ୍କୁ ଜନ୍ମ ଦେଇଥିଲେ । ତାଙ୍କ କୋଳରୁ ପ୍ରଜାପତି, ଆଙ୍ଗୁଳିରୁ ଦକ୍ଷ, ପ୍ରାଣରୁ ବଶିଷ୍ଠ, ଚର୍ମରୁ ଭୃଗୁ, ହାତରୁ ଋତୁ, ନାଭିରୁ ପୁଲକ, କୋଷରୁ ପୁଲସ୍ତ୍ଯ, ମୁଖରୁ ଅଙ୍ଗିରା, ନେତ୍ରରୁ ଅତ୍ରି ଓ ମନରୁ ମରୀଚ ଜନ୍ମ ନେଇଥିଲେ । ଏହା ବ୍ଯତୀତ ବ୍ରହ୍ମାଙ୍କ ହୃଦୟରୁ କାମ, ଆଖିପତାରୁ କ୍ରୋଧ, ଓଷ୍ଠରୁ ଲୋଭ, ବାକ୍ ରୁ ସରସ୍ବତୀ, ଛାୟାରୁ କର୍ଦ୍ଦମ, ଦକ୍ଷିଣ ବକ୍ଷରୁ ଧର୍ମ ଏବଂ ବାମ ବକ୍ଷରୁ ଅଧର୍ମ ଉତ୍ପନ୍ନ ହେଲେ । ଏହାପରେ ବ୍ରହ୍ମା ପୁନଃ ଭଗବାନଙ୍କୁ ସ୍ମରଣ କଲେ । ତାଙ୍କ ଶରୀର ଦୁଇ ଭାଗ ହେଲା- ଗୋଟିଏ ଭାଗରୁ ପୁରୁଷ ଏବଂ ଅନ୍ୟ ଭାଗରୁ ସ୍ତ୍ରୀ ଉତ୍ପନ୍ନ ହେଲା । ପୁରୁଷ ହେଲେ ସ୍ବୟମ୍ଭୁ ମନୁ ଏବଂ ସ୍ତ୍ରୀ ହେଲେ ଶତରୂପା । ମନୁ ଏବଂ ଶତରୂପାଙ୍କ ଠାରୁ ଦୁଇଜଣ ପୁତ୍ର ଓ ତିନିଜଣ କନ୍ୟା ଜନ୍ମ ନେଲେ । ଦୁଇପୁତ୍ର ଥିଲେ ପ୍ରିୟବ୍ରତ ଏବଂ ଉତ୍ତାନପାଦ । କନ୍ୟା ଥିଲେ- ଆକୃତି, ଦେବହୂତି ଏବଂ ପ୍ରସୂତି । ଏହି ୩ କନ୍ୟା ଯଥାକ୍ରମେ- ରୁଚି, କର୍ଦ୍ଦମ ଏବଂ ଦକ୍ଷ ପ୍ରଜାପତିଙ୍କୁ ବିବାହ କଲେ । ପରେ ଏହି ୩ ଦମ୍ପତିଙ୍କ ଠାରୁ ସମସ୍ତ ସୃଷ୍ଟିର ବିସ୍ତାର ହେଲା । ହିରଣାକ୍ଷ ଏହା ଜାଣିବା ପରେ ସମ୍ପୂର୍ଣ୍ଣ ପୃଥିବୀକୁ ଜଳରେ ବୁଡାଇଦେଲା । ଏହାପରେ ବ୍ରହ୍ମାଙ୍କ ନାସିକାରୁ ଭଗବାନ ବରାହ ପ୍ରକଟ ହେଲେ । ସେ ପୃଥିବୀକୁ ଜଳରୁ ଉଦ୍ଧାର କଲେ । ହିରଣାକ୍ଷକୁ ମାରିଲେ ଏବଂ ପୃଥିବୀର ଶାସନ ଭାର ମନୁଙ୍କ ହାତରେ ଦେଇ ଭଗବାନ ସ୍ବଧାମ ଫେରିଗଲେ ।।
ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା