ପରିବର୍ତ୍ତନ
ସନ୍ତୋଷ କୁମାର ସାହୁ
ପରିବର୍ତ୍ତନ ଯେ ସଂସାର ନିୟମ
ଜ୍ଞାତ ସବୁ ସୁଧି ଜନ
କୁଟ କପଟ ସ୍ଵଭାବ ମଣିଷ
ହୁଏନା ପରିବର୍ତ୍ତନ ।
ଅଙ୍ଗାରକୁ ବାର ବାର ଶୋଧନରେ
ରଙ୍ଗ ତାର ନ ବଦଳେ
ସର୍ପର ସ୍ଵଭାବ ଦଂଶନ କରିବା
ଗୁଣ ସେ କି ଭୁଲିଯାଏ ।
ନକାରାତ୍ମକ ଭାବନା ଯାହାର
ନଖରାମି ଗୁଣ କେବେ ଛାଡେନା
ହିଂସା ,ଦ୍ୱେଷ ,ଈର୍ଷା ସ୍ୱଭାବେ ମଣିଷ
ପରିତ୍ୟାଗ କରି କେବେ ପାରେନା ।
ଆତଯାତ ଏଠି କେତେ ଯେ ମଣିଷ
କଟା ଘାଆରେ ଲବଣ ଛିଟା
ଡାହାଣୀ ଗୁଣିଆ ସଜେଇ ହୁଅନ୍ତି
ବାଇ ଢ଼ଙ୍କ ବିଛୁଆତି ଲଟା।
ସମ୍ପର୍କର ମାନେ ବୁଝେନା ମଣିଷ
ବିଷକୁମ୍ଭ ପୟୋଃମୁଖ
ହୃଦୟ ତାହାର ଜଳୁଥାଏ ସଦା
ଦେଖିଲେ ଅପର ସୁଖ ।
ବୃଶ୍ଚିକ ଦଂଶନେ ଜ୍ବଳାହୁଏ ସୁଷ୍ଟି
କୁଚକ୍ରୀ ର ମନ୍ଦ ଦୃଷ୍ଟି
ବିଷଧର ସଙ୍ଗେ ଭାବ ପ୍ରୀତି କଲେ
ଉପହାର ଦିଏ ଵିଷ୍ଟି ।
ବିଧାତାର ସୃଷ୍ଟି ଅମୃତ, ବିଷ
ଖଟା ମିଠା ସୁଖ ଦୁଃଖ
କପଟୀ ,ଈର୍ଷାଳୁ, ମାୟାବୀ,ଦୁର୍ଜନେ
ସତର୍କ ନଜରେ ଦେଖ ।
ଯାହାକୁ ଯେମନ୍ତ ଗଢିଛି ଦଇବ
ହେବ କି ପରିବର୍ତ୍ତନ
ସବୁ ସଙ୍ଗେ ମିଶି ଜୀବନ କାଟିଲେ
ଭାବ ନର ଜନ୍ମ ଧନ୍ୟ ।