ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଏଣ୍ଡୁଅ ଉବାଚ

ଏଣ୍ଡୁଅ ଉବାଚ

 

       ଅପର୍ତ୍ତି ସେଠୀ

      (ରମ୍ୟ ରଚନା)

ଏଣ୍ଡୁଅ କହୁଛି ମଣିଷ ଭାଇରେ‌

       ଦୁନିଆଁ ବଡ଼ ଜଟିଳ,

ଶାନ୍ତିରେ ଯଦିବା ବଞ୍ଚିବୁ ତୁହିରେ

       ମୋ କଥାକୁ ମାନି ଚଳ।

ଯିଏ ଯାହା ତୋତେ କହେ ଭୁଲ୍ ଠିକ୍

        ମୋ ଭଳି ମୁଣ୍ଡ ଟୁଙ୍ଗାର,

ସଭିଙ୍କ କଥାକୁ ସମର୍ଥନ କରି

        ବୋକା ପ୍ରାୟେ ହଁ ମାର।

ବଗର‌ ଛ‌ଅଟା ଗୋଡ଼ ଅଛି ବୋଲି

        ଯିଏ ବା ତୋତେ କହିବ,

କେବେ କହିବୁନି ଦୁଇଗୋଟି ଗୋଡ଼

         ସିଏ ତୋ ବିରୋଧି ହେବ।

ଯେ ସତ କହିବ ସଭାରେ ହାରିବ

         ତା’ ପକ୍ଷ ନୋହିବେ‌ କେହି,

ମହତ ପୁରୁଷ ଏହା କହିଛନ୍ତି

         ଏ ଯୁଗର ନ୍ୟାୟ ଏହି।

ଚୋରକୁ କେବେ ତୁ ଚୋର କହିବୁନି

         ବେଶ୍ୟାକୁ କହିବୁ ସତୀ,

ମିଛୁଆକୁ ରାମଚନ୍ଦ୍ର ଆଖ୍ଯା‌ ଦେଲେ

         ସିଏ ହେବ ତୋର ସାଥୀ।

ଯହିଁ ମେଘ ତହିଁ ଛତା ଦେଖେଇଲେ

         ବର୍ଷାରେ ଭିଜିବୁ ନାହିଁ,

ସାଧୁ ସଙ୍ଗେ ସାଧୁ ଚୋର ସହ ଚୋର

         ହେବାକୁ ପଡ଼ିବ ଭାଇ।

ଏଣ୍ଡୁଅ ଭଳିଆ ରଙ୍ଗ ବଦଳେଇ

          ଜଡ଼ ଭରତ ତୁ ହୁଅ,

ନଚେତ୍ ତୁ ସାରୁପରିବା‌ ଭଳିଆ

          ସବୁଥିରେ ମିଶିଯାଅ।  

ପ୍ରତି ପରିବେଶେ‌ ନିଜେ ଖାପ ଖୋଇ‌

          ଚଳେଇ ନେବାଟି ଭଲ,

ନଚେତ୍ ବାବୁରେ ପଦାରେ‌ ପଡ଼ିବୁ

          କେହି କହିବେନି ଭଲ।

ଟେକା ଟେକି କରି ଚଳି ଶିଖିବାକୁ

          କଳିଯୁଗେ ପଡିଥାଏ,

ତଳିହାତ କରି ଭଙ୍ଗା ହାଣ୍ଡି ଟିକୁ

          ଚଳେଇ ନେବାକୁ ହୁଏ।

ଯେପରି ଦୃଷ୍ଟିରେ‌ ଦୁନିଆଁ ଦେଖିବୁ

          ସେପରି ତୋତେ ଦିଶିବ, 

କାହାର ମରମ କହିଦେଲେ ଧନ

          ହୃଦେ ନିଆଁ ଲାଗିଯିବ।

ଏ ସଂସାର ମାୟା ସୂତ୍ରରେ ଆବଦ୍ଧ

         ବୁଢିଆଣୀ ଜାଲ ପ୍ରାୟେ,

ତା’ ମଧ୍ୟେ ମଣିଷ ନିଜ ସ୍ୱାର୍ଥ ଆଉ

          ପ୍ରଶଂସା କେବଳ ଚାହେଁ।

ଯଦିବା‌ ତୋହର ବାହୁବଳ ନାହିଁ

          ନାହିଁ ଅର୍ଥ ମୋଟାଅଙ୍କ,

ତେଣୁ ମୋ ଭଳିଆ ଏଣ୍ଡୁଅ‌ଟି ଭାବି

          ଚାହିଁଥା ତୁ ମଟମଟ।

ପ୍ରତିରୋଧ ଶକ୍ତି ଯଦି ତୋର ଅଛି

         ପ୍ରତିବାଦେ ମନା ନାହିଁ,

କ୍ଷୀର ଖାଇବାକୁ ଇଚ୍ଛା ଯଦି ଅଛି

         ଘରେ ତୁ ପାଳୁଥା‌ ଗାଈ।

ଅନ୍ୟାୟ ଅନୀତି କରିବା ଅପେକ୍ଷା

         ଦେଖିବାଟା‌ ବଡ଼ ପାପ,

ଅକାରଣେ ମାଡ଼ ଖାଇବା ଲୋକର

          ନ ଥାନ୍ତି କେହି ସପକ୍ଷ।

ସବୁ ଦେଖି ଶୁଣି ଚୁପ୍‌ ରହି ଯଦି

          ଖୋଲିବୁନି ତୋର ମୁହଁ

ସେତେବେଳେ ତୋର ମାତ୍ର ପରିଚୟ

          ନିରୀହ ଜୀବ ଏଣ୍ଡୁଅ।

ମୋ ଭଳି ତୋ ଦେହ ରଙ୍ଗ ବଦଳେଇ

         କେତେ ମୁଣ୍ଡ ଟୁଙ୍ଗାରିବୁ,

ବେଳକାଳ ଦେଖି ମୋ କଥା ଗୁଡାକୁ

          ଟିକେ ବିଚାର କରିବୁ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

          

Related posts

ଗୋଳାମୁଣ୍ଡା ବ୍ଲକରେ ବିଦ୍ୟାଳୟ ମାନଙ୍କର ନଗ୍ନ ଚିତ୍ର

Sunil Chandra Nayak

ନୂଆପଡା ଜିଲ୍ଲା ଡମ୍ୱ ଗଣ୍ତା ସମାଜର ପରିବର୍ତ୍ତନ ସଭା

ପ୍ରଭାବିତ ଅଞ୍ଚଳ ର ବିକାଶ କର ନଚେତ୍ କମ୍ପାନୀ ବନ୍ଦ୍ କରାଯିବ – ଭକ୍ତ ଦାସ

Sunil Chandra Nayak

Leave a Comment

error: Content is protected !!