ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଶରତ ଆସିଛି 

ଶରତ ଆସିଛି 

ଶରତ ଆସିଛି ଏଇ ମରତକୁ
ପାର୍ବଣର ଋତୁ ନେଇ
ନଈ ପଠା ଧାରେ କାଶତଣ୍ଡୀ ହସେ
ମାତାଙ୍କ ସ୍ବାଗତ ପାଇଁ।। 
ଶରତ ଆକାଶ ଦିଶେ ସୁନିର୍ମଳ 
କଦବା ବାଦଲ ଭାସେ
ନଦୀ ପୋଖରୀର ଜଳ ନିରିମଳ
କଇଁ ପଦ୍ମ ଶୋଭା ଦିଶେ।।
ଦୁର୍ଗା ମାତାଙ୍କର ଆଗମନ ପାଇଁ 
ଧରଣୀ ପୁଷ୍ପେ ସାଜଇ
ଚମ୍ପା କନିଅର ଜୁଇ ଜାଇ ହେନା
ବାସି ମହକ ଛୁଟଇ।।
ନବଦିନ ବ୍ୟାପୀ ମାଆ ଦଶଭୁଜା 
ମଣ୍ଡପେ ପୂଜା ପାଆନ୍ତି 
ନବ ମାତୃକାଙ୍କ ଦର୍ଶନ ନିମନ୍ତେ 
ଭକତ ଭିଡ ଜମାନ୍ତି।। 
ଅଧର୍ମ ଉପରେ ଧର୍ମର ବିଜୟ 
ଦୁର୍ଗା ମାତା କରିଥାନ୍ତି 
ଭକତ ଜନଙ୍କ ଗୁହାରୀ ଶୁଣି ସେ
ଦୁଃଖ ତାଙ୍କ ହରିଥାନ୍ତି।। 
ଇନ୍ଦୁ ପୁନେଇଁରୁ କୁଆଁରୀ ହରଷେ
ଶରତ ଜହ୍ନକୁ ଦେଖି
ସାଙ୍ଗ ସାଥି ହୋଇ ମନ ଆନନ୍ଦରେ
ଗୀତ ଗାନ୍ତି ପଦ ଯୋଖି।। 
ଜହ୍ନି ଓଷା ପାଳି ଚଉରା ମୂଳରେ 
ଜହ୍ନି କୋଠି କରିଥାନ୍ତି
ଘରୁ ଘରୁ ମୁଠି ଚାଉଳ ନେଇଣ
ଶେଷେ ଭୋଜି କରିଥାନ୍ତି।। 
ଶରତେ ଆସଇ କୁଆଁର ପୁନେଇଁ 
ନିର୍ମଳ ଶରତ ଜହ୍ନ 
ଚାନ୍ଦକୁ ପୂଜନ୍ତି କୁଆଁରୀମାନେ ଯେ
ହୋଇ ହରଷିତ ମନ।। 
ଖଇ ଛେନା,ଗୁଡ ନଡିଆ କଦଳୀ
 କ୍ଷୀର ଦହିକୁ ମିଶାଇ 
 ଚାନ୍ଦ ଗଢି ପୁଣି ଚାନ୍ଦକୁ ବନ୍ଦାନ୍ତି
ଚନ୍ଦନ ଚର୍ଚ୍ଚିତ ହୋଇ।।
ଜହ୍ନ ଆଲୁଅରେ ରାତି ସାରା ତାଙ୍କ
ନାନା ଖେଳେ ବିତିଥାଏ
ପୁଣି ବରଷେ ସେ ଅପେକ୍ଷା କରନ୍ତି
ଶରତ ଆସିବା ଯାଏ।। 
ଶରତେ ନଥାଏ ରୁଦ୍ରର ପ୍ରତାପ
ଆକାଶୁ କାକର ଝରେ
ସେ କାକର ଟୋପା ଗଛ ପତରରେ
ମୁକ୍ତା ଭ୍ରମ ସୃଷ୍ଟି କରେ।। 
ପ୍ରକୃତିର ଶୋଭା ଅପରୂପ ଆଭା
କବି ମନପ୍ରାଣ ଛୁଏଁ
କଳ୍ପନା ରାଇଜେ ନିମଜ୍ଜି ଯାଇସେ
କବିତାକୁ ଭେଟି ଦିଏ।। 

ବନଲକ୍ଷ୍ମୀ ମହାନ୍ତି 

 ନଡିଆବରାଇ , କେନ୍ଦ୍ରାପଡ଼ା

Related posts

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଲୀଳାମୟୀ ମା ମହାମାୟୀ

Sunil Chandra Nayak

ଅବକାରୀ ବିଭାଗ ର ଦୁଇଟି ସ୍ଥାନରେ ଚଢ଼ାଉ , ବ୍ୟାପକ ମାତ୍ରାରେ ପୋଚ ଓ ମଦ ରନ୍ଧା ସାମଗ୍ରୀ ନଷ୍ଟ

Sunil Chandra Nayak

ପୂର୍ଣେଶ୍ବର ଶିବ ମନ୍ଦିରରେ ବାମନଘାଟୀ ବ୍ରାହ୍ମଣ ସମାଜ ପକ୍ଷରୁ ରୁଦ୍ରାଭିଷେକ

Sunil Chandra Nayak

Leave a Comment

error: Content is protected !!