ସ୍ମୃତି ର କାରୀଗର
କୁନା ସେଠୀ
ସ୍ମୃତିଟିଏ ପାଇଁ କାରୀଗର ଭାଇ
ଲଗାଇ ନିଜର ବଳ
କରମ ଭିତରେ କରମ କରି ସେ
କରିଥାଏ ନିଜ ଖେଳ
ପାଏ ସେ ନିଜର ଫଳ
ଫଳ ର ଭିତରେ ଖୋଜେ ନିଜ ସ୍ମୃତି
ପିନ୍ଧି ଦେଇ ସ୍ମୃତି ଖୋଳ ।
ଦିନ ହଜିଯାଏ ରାତି ହଜିଯାଏ
ହଜିଯାଏ ଖାଦ୍ୟ ବାସ
ବାସ ର ସାଥିରେ ହସ ହଜିଯାଏ
ସରିଯାଏ ଦିନମାସ
ଆୟୁଷ ହୁଅଇ ଶେଷ
ତଥାପି ମନରେ ଉଙ୍କି ମାରେ ତାର
ସ୍ମୃତିଟି ର ରୂପ ବେଶ ।
ଧନ ସରିଯାଏ ମାନ ସରିଯାଏ
ସରିଯାଏ ସବୁ ନିଜ
ନିଜର ଭିତରେ ଖୋଜି ବୁଲେ ସିଏ
ସ୍ମୃତି ରାଇଜର ଶେଜ
କରିବାକୁ ତହିଁ ରାଜ
କଉଶଳ ନିଜ ଆରମ୍ଭ କରଇ
ଭୁଲି ଯାଇ ସବୁ ଲାଜ ।
ସାଧନା ନିଜର ଜାରି ରହେ ତାର
ରଖିବାକୁ ସ୍ମୃତିଟିଏ
ଧରେ ତଲବାର ଅବା ସେ କଲମ
ସ୍ମୃତି କୁ ପାଇବା ଯାଏ
କହିପାରେ ନାହିଁ କିଏ
ସ୍ମୃତି ରଖିବାକୁ ଅବା ପାଇବାକୁ
କଷ୍ଟ କରିବାକୁ ହୁଏ ।
ଶାସକ,ଶାସିକା ଅବା ସେ ପ୍ରେମିକା
ସ୍ମୃତି ପାଇଁ ସେ ପାଗଳ
କବି ବା ଲେଖକ ଅବା ସେ ସୈନିକ
ଖଟାନ୍ତି ତହିଁରେ ବଳ
ମିଳିଥାଏ ତାର ଫଳ
ସ୍ମୃତି ଟିଏ ରଖି କାରୀଗର ସାଜି
ସାରିଥାନ୍ତି ନିଜ ଖେଳ ।
ରହିଛି ରହିବ ସେହି ଆଶା ଟିକ
ସବୁରି ଜୀବନେ ଆମ
ସବୁ ଥାଇ ଯଦି ସ୍ମୃତି ନ ରହିଲା
ଜୀବନର ନାହିଁ ନାମ
ସେଥି ପାଇଁ ଆମ କାମ
ସ୍ମୃତି କାରୀଗର ସାଜି ଜଣେ ଜଣେ
ରଖିବା ସ୍ମୃତି ଟେ ଆମ ।