ଵାରାଙ୍ଗନା
ପ୍ରଶାନ୍ତ କୁମାର ନାଥ
ସାଜି ଅଛି ସିନା ବାରାଙ୍ଗନା ମୁହିଁ
ଵାର ଅଗଣାରେ ଯାଇ
ଲିଭାଇ ଥାଏ ମୁଁ କାମନା ନିଆଁକୁ
ନିଜେ ଜଳି ପୋଡି ହେଇ।
କିଏସେ ଵୁଝିବ ମନର ବେଦନା
ଅନ୍ତରରେ ନାହିଁ ନିଆଁ
ତଥାପି ଦୁନିଆଁ କରୁଥାଏ ଘୃଣା
ଏ ନାମକୁ ଶୁଣି କିଆଁ।
କାମନା ନିଆଁକୁ ଲିଭାଇବା ପାଇଁ
କାର ଅଛି ଅବା ଶକ୍ତି
ମୁଁ ଯଦି ପାରିଲି ଲିଭେଇ ଅଣ୍ଟିରେ
କିବା ନାହିଁ ମୋର ମୁକ୍ତି।
ସାଜେ ନାହିଁ ନାରୀ ନିଜେ ବାରାଙ୍ଗନା
ସଜାଇ ଦିଏ ପୁରୁଷ
ଭରସା ବିଶ୍ଵାସ ଲୁଟି ନେଲା ପରେ
ନାରୀ ହେଇ ଯାଏ ଶେଷ।
ରୂପ ମୋର ସିନା ସଜ ଫୁଲ ପରି
ମନ ମୋର ଵୃନ୍ତ ଚୁତ୍ତ
ଦୁନିଆଁ ହାଟରେ ନାଆଁଟି କେଵଳ
ବେଶ୍ୟା ନାମେ ପରିଚିତ।।