ଆସିଛି ରଜ
ସୁରେନ୍ଦ୍ର କୁମାର ବେହେରା
ସଜବାଜ ଦେଲା ସବୁଜ ସଙ୍କେତ
ରଜପାଇଁ ହେବା ସଜ
ନୂଆ ପୋଷାକରେ ରଜ ପାନ ଖାଇ
ପାଳିବା ସରବେ ରଜ ।1।
ରଜ ପୋଡ଼ପିଠା ଆହା କେଡେ ମିଠା
ଖୁସିରେ ଖାଇବା ସାଥୀ
ଗାଆଁ ତୋଟାବୁଲି ଖେଳି ପଟା ଦୋଳି
ରଜ ଗୀତେ ଯିବା ମାତି ।2।
ଝିଅଙ୍କ ପାଦରେ ଅଳତାର ଗାର
ମଥାରେ କୁକୁମ ବିନ୍ଦି
ଥଟା ମଜା ପୁଣି କେତେ ରଜ ଗୀତ
ଗାଇବେ ମନରୁ ଛନ୍ଦି ।3।
ନଈପଠା ଧାରେ ସାଙ୍ଗ ସାଥୀମେଳେ
ରଙ୍ଗ ବେରଙ୍ଗର ଗୁଡି
ନୀଳ ଆକାଶରେ ନଟେଇ ସୁତାରୁ
ଦୁରେ ଯାଏ ଗୁଡି ଉଡି ।4।
ତାସ ଲୁଡୁ ପଶା ପାଲି ଠାଏ ଠାଏ
ବାଗୁଡି ଖେଳର ମଜା
ପାକୁଆ ପାଟିରେ ଖିଲିପାନ ଖାଇ
ଅଜା ଆଈଙ୍କର ମଜା ।5।
ପହିଲି ରଜରେ କୁଆଁରୀଙ୍କ ସଜ
ଗାଆଁରେ ହୋଇବେ ମେଳି
ପୋଡ଼ପିଠା ଖାଇ ଥଟା ମଜା ହୋଇ
ଗାଆଁରେ ଖେଳିବେ ଦୋଳି ।6।
ପହିଲି ରଜର ନିଆରା ପରଶ
ଜୀବନରେ ଆଣେ ସ୍ମୃତି
କେତେ ଅନୁଭୂତି କେତେ ଭାଵପ୍ରୀତି
ଯୋଡିଦିଏ ସାଙ୍ଗ ସାଥୀ ।7।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର