ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଡୁରୀ ଚରଣ ନାୟକ ଙ୍କ କବିତା  ରଜ ତତ୍ତ୍ୱ

 ରଜ ତତ୍ତ୍ୱ

(ରାଗ ଦେଶାକ୍ଷ) 

କଣ୍ଡୁରୀ ଚରଣ ନାୟକ

 

ମେଦିନୀ ମିଥୁନେ ରଜସ୍ବଳା ହୁଏ 

     ଓଡିଶାର ଗଣପର୍ବ 

ମେଦିନୀ ମାତାଙ୍କୁ ସସମ୍ମାନ କଲେ 

     ସେ କେଉଁ ମହାନୁଭବ, ହେ ଧୀରେ ,

ଯାହା ନାହିଁ ବିଶ୍ୱର ମଧ୍ୟରେ ,ହେ ଧୀରେ,

ତାହା ପାଳନ୍ତି ଓଡିଶା ନରେ ,ହେ ଧୀରେ,

ଶ୍ରେଷ୍ଠ ପର୍ବ ଏ ପୁର ପଲ୍ଲୀରେ, ହେ ଧୀରେ। 

 

ଜ୍ଯେଷ୍ଠେ ରୌଦ୍ରତାପ ଉତ୍ତପ୍ତ ଶରୀର 

      ମୌସୁମୀ ପ୍ରବେଶ ହୁଏ 

ସ୍ୱଳ୍ପ ବୃଷ୍ଟିପାତ ଉଷ୍ମତା ଭରଇ

     ବୀଜ ଗଜା ହୋଇ ଥାଏ, ସେ କାଳେ, 

ଗ୍ରୀଷ୍ମ ବର୍ଷାର ମିଳନ କାଳେ, ସେ କାଳେ, 

ତାପ ମେଦିନୀ ସଙ୍ଗମ ସ୍ଥଳେ, ସେ କାଳେ, 

ରଜ ପାଳନ ମହୀ ମଣ୍ଡଳେ, ସେ କାଳେ। 

 

ଧରଣୀ ରାଣୀ ତ ଜନନୀ ହୋଇଲେ 

      ସବିତା ଆମ୍ଭର ପିତା 

ସୌର ପରିକ୍ରମା ବର୍ଷକ ମଧ୍ୟରେ 

     ତୃତୀୟ ମାସରେ ଯୁକ୍ତା, ସେ କ୍ରାନ୍ତି, 

ପ୍ରଥମରେ ମେଷ ସଙ୍କରାନ୍ତି, ସେ କ୍ରାନ୍ତି, 

ବୃଷ ଦ୍ୱତିୟେ ଉଷ୍ମ ଆଣନ୍ତି, ସେ କ୍ରାନ୍ତି, 

ମଇଥୁନେ ମିଥୁନ ସଂକ୍ରାନ୍ତି, ସେ କ୍ରାନ୍ତି। 

 

ପୁରୁଷ ପ୍ରକୃତି ମିଳନ ହୋଇଲେ 

      ପ୍ରକୃତି ଶସ୍ଯ ଶ୍ଯାମଳା 

ନାରୀ ରଜୋବତୀ ମହୀ ରଜୋବତୀ 

      ଏକାପରି ରଜସ୍ବଳା, ସେ ମହୀ, 

ନାରୀ ଧରିତ୍ରୀ ଏକ ସମ୍ମାନ, ସେ ମହୀ, 

ତିନିଦିନ କରନ୍ତି ପାଳନ, ସେ ମହୀ, 

ଏହା ରଜର ତାତ୍ପର୍ଯ୍ୟ ଘେନ, ସେ ମହୀ ।

 

କିଏ ଏହି ପର୍ବ ପାଳନ କରିଲେ 

     ଇତିହାସ ତାର ନାହିଁ 

କୃଷି ପର୍ବ ଏହି କୃଷକ ମନରେ 

     ଆଣଇ ହର୍ଷ ଉଲ୍ଲାସ ,ସେ ତତ୍ତ୍ଵ, 

ମହୀ କର୍ଷଣ କରଇ ନାହିଁ, ସେ ତତ୍ତ୍ଵ, 

ତିନି ଦିନ ବିଶ୍ରାମ ଦିଅଇ, ସେ ତତ୍ତ୍ଵ,

ସ୍ନାନ ବସୁମତୀ କୁ କରଇ ,ସେ ତତ୍ତ୍ଵ। 

 

କି ଆନନ୍ଦ ମୟ ଏହି ରଜପର୍ବ 

    ଖେଳ କଉତୁକେ ରସ 

ବାଳିକା ବଧୂଏ ଦୋଳି ଖେଳ ଖେଳି 

     ସଭିଙ୍କ ହର୍ଷ ଉଲ୍ଲାସ, ହେ ଧୀରେ ,

ତତ୍ତ୍ୱଜ୍ଞାନୀ ଓଡିଶାର ନରେ, ହେ ଧୀରେ ,

ଯାହା ନାହିଁ ମହୀର ମଧ୍ଯରେ, ହେ ଧୀରେ, 

ଜଗନ୍ନାଥ ସହାୟ ଏଠାରେ, ହେ ଧୀରେ।

ଭୂବନେଶ୍ବର

 

Related posts

ଆଜାଦି କା ଅମୃତ ମହୋତ୍ସବ ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଲି ସଚେତନତା

Sunil Chandra Nayak

ମାମି ପାତ୍ର ଙ୍କ କବିତା ସମବେଦନାର ଭାବ

Sunil Chandra Nayak

ବେଙ୍ଗାଲୁର ରୁ ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ

Leave a Comment

error: Content is protected !!