ସୃଷ୍ଟିର ଅନ୍ତିମ ଗାଥା
କୈଳାସ ଚ଼ନ୍ଦ୍ର ପାଢ଼ୀ
ଆଜି ଏ ମାଟିରେ
ସମ୍ଭାବନାର
ଫୁଲ ତ ଫୁଟୁନି ଆଉ ,
କ୍ରମଶଃ ଗ୍ରାସୁଛି
ସୂର୍ଯ୍ୟ ର ତନୁ
ଦୁର୍ଭାବନାର-ରାହୁ ।।
କଳା ପାହାଡ଼ର
କଳା-କାରନାମା
ସଂଚାର କରେ ଭୟ,
ଦେବତା ଯେଉଁଠି
ସାଜେ ପଳାତକ
ଜୀଇଁ ବାରେ ରଖି ଲୟ ।।
ସେଠାରେ କେମିତି
ନ୍ୟାୟର ଝଣ୍ଡା
ଉଡ଼ିବ କୁହ ହେ ବନ୍ଧୁ ,
କେତୁର-କୁହାଟେ
ଆକାଶର କେଉଁ
କୋଣରେ ଲୁଚ଼ଇ-ଇନ୍ଦୁ ।।
ଅନ୍ଧାର ଏଠି
ଖିଲିଖିଲି ହସେ
କବନ୍ଧ ରଚ଼ଇ ନୃତ୍ୟ,
ସମୟ ଦୁଆରେ
ଦେଖ ହେ ବନ୍ଧୁ
ଧର୍ମ ସାଜିଛି ଭୃତ୍ୟ ।
ଅସ୍ପଷ୍ଟ ଦିଶେ
ବେଦର ପୃଷ୍ଠା
ଶାସ୍ତ୍ର-ପୁରାଣ-ପୋଥି,
କାଳ ଖୋଜୁଅଛି
ଏ କଳି ଯୁଗର
ପୁରୁଣା ସାଇତା ନଥି ।
ହୃଦୟେ ଜାଗଇ ବ୍ୟଥା,
ସାଗର-କଣ୍ଠରୁ
ଛୁଟିଆସେ କିବା
ସୃଷ୍ଟିର ଅନ୍ତିମ-ଗାଥା ।।