ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ମନେଈ ବରଷା

ମନେଈ ବରଷା

 

ମନେଈ ବରଷା ତୁହି

     ବହୁତ ଚଗଲୀ ।                                                         

ନୀଳ ଆକାଶ କୋଳରେ          

     ହସୁ ଖିଲି ଖିଲି।ସ

ସରମ ଲାଗେନା ତତେ

     ଭାରି ତୁ ଫାଜିଲ୍।

ତୋ ପ୍ରେମିକ ଆକାଶକୁ

     ପାଇ ମସଗୁଲ୍।।

କେତେବେଳେ ଗ୍ରାମ୍ୟବଧୁ

      ପରି କରୁ ଲାଜ।

କଳାମେଘି ଓଢଣୀ ରେ

     ହୋଇଥାଉ ସଜ।।

ମରକତ ବର୍ଣ୍ଣ ପାଟ 

    ପଡୁଥାଏ ଲୋଟି।

ନାଲି ବୁଟି ପଦ୍ମରାଗ

    ସାଧବ ବୋହୂଟି।।

ସଫେଦ ବଳାକା ସଜ

      ମଲ୍ଲିକା ଗଜରା।

ରୂପ ତୋର ମନଲୋଭା

    ଦିଶେ କେଡେ ତୋରା।।

ବିଜୁଳିର ମଥାମଣି

    ଝଲସାଇ ଦେଉ।

ତୋ ପ୍ରେମିକ ଆକାଶର

    ଛାତି ଚହଲାଉ।।

ରିମ୍ ଝିମ୍ ଗୀତ ଗାଇ

    ନାଚୁ ଧୀରେ ଧୀରେ।

ବର୍ଷା ବିନ୍ଦୁ ଝରି ପଡେ

   ଧରା ବୁକୁ ପରେ।।

ଖୁସିରେ ପୁରଇ ଛାତି

     ଧରଣୀ ମାଆର।

ତା ବକ୍ଷରେ ଭରିଯାଏ

    ସଵୁଜ ସମ୍ଭାର।।

ବେଳେବେଳେ ଆଧୁନିକା

   ଉଗ୍ରା ନାରୀ ରୂପ।

ଦୁମ୍ ଦୁମ୍ ବର୍ଷି ଯାଉ

    କରି ମହାକୋପ।।

ନଦୀ ନାଳ ଖାଲ ଖମା

     ଜଳେ ପୂର୍ଣ୍ଣ କରୁ।

ଘୋର ବନ୍ୟା ସୃଷ୍ଟି ହୁଏ

     ତୋହରି କୋପରୁ।।

ନଷ୍ଟ ହୁଏ ଶସ୍ଯ କ୍ଷେତ୍ର

    କଷ୍ଟ ପାଏ ଚାଷୀ।

କି ଆନନ୍ଦ ପାଉ ସତେ

     ସୃଷ୍ଟିକୁ ବିଧ୍ବଂସି।।

ବର୍ଷାରାଣୀ ଏହା ସତେ

   ଅଟେ ତୋର ଖେଳ।

ମାନବ ମମାଜ ପାଇଁ

   ହେଉଅଛି କାଳ।।

ଯେବେ ତୁହି ରୁଷ୍ଟ ହେବୁ

     ପ୍ରଳୟ ଘୋଟିବ।

ମାନବର ଶକ୍ତି କାହିଁ

   ତତେ ବାଧା ଦେବ !।।

ହାତଗଢା ବନ୍ଧବାଡ

   ବାଆକୁ ସେ ବତା।

ତୋର ପ୍ରକୋପ ସମ୍ମୁଖେ

    ରହିବନି ସତ୍ତା।।

ଏଡିଜି ମନେଈ ତୁହି

     କରୁ ମନମାନି।

ସୃଷ୍ଟି ଯେବେ ନାଶ ଯିବ

     ହସିବୁ କି ଘେନି ?।।

ତୋ ରୂପ ସମ୍ଭାର ଦେଖି

   ନାଚିଵନି କେକୀ।

କଦମ୍ବ ଫୁଲେ ଶୋହିବ

   ନାହିଁ ତୋ ଗଭାଟି।।

ମନୁ ମାନ ତେଜ ତୁ ଲୋ

   ହେ ବରଷାରାଣୀ।

କଥା ମାନ ନହୁଅ ତୁ

      ପ୍ରଳୟକାରିଣୀ।।

ହୋଇଯାଆ ସର୍ବଂସହା

    ମଙ୍ଗଳକାରିଣୀ।

ତୋ ପ୍ରସାଦୁ ହସୁଥାଉ

    ଏ ଧରଣୀ ରାଣୀ।।

 

ମମତା ଶତପଥୀ

କେନ୍ଦ୍ରାପଡା

Related posts

ଫଟକି ଆଦର୍ଶ ବିଦ୍ୟାଳୟ ରେ ନାହିଁ ବାଳକ ଛାତ୍ରlବାସ, ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଘାଟି ରାସ୍ତା ସହ ଯିବାକୁ ପଡୁଛି 40 କିମି 

Sunil Chandra Nayak

ରଞ୍ଜନ କୁମାର ବ୍ରହ୍ମା ଙ୍କ ପ୍ରବନ୍ଧ ସ୍ନାନ ପୁର୍ଣିମାର ଦର୍ଶନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସ୍ନାନ ଯାତ୍ରା

Sunil Chandra Nayak

Leave a Comment

error: Content is protected !!