ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ପର ଧନ

       ପର ଧନ

 

      ଅପର୍ତ୍ତି ସେଠୀ

 

ପର ବଚନକୁ ପ୍ରବଚନ ଦେଇ

          ନାଆଁ ନେଇ ଲାଭ ନାହିଁ,

ପର କଥାଗୁଡା କବିତାରେ ଦେଇ

          କି କବିଟି ହେବି ମୁହିଁ?

ଭାଷା ଓ ସାହିତ୍ୟ ନୁହେଁ ତ କାହାର

          ସିଏ ଅଟେ ସମାଜର,

କବି ଦେଲେ ଲେଖି ତେଣୁ କବିତାଟି 

         ହୋଇଯାଏ ପାଠକର।

ଗିତୀକାର ଗୀତ ହୋଇ ତା’ ନିଜସ୍ଵ

          କେବେ ପୁଣି ରହେ ନାହିଁ,

ଅନ୍ଯ ଯେ ଗାଇଛି ଭାବରେ ଗୀତଟି

           କେବଳ ଶ୍ରୋତାଙ୍କ ପାଇଁ। 

ପାଠକ ପାଇଁକି ଲେଖକ ଲେଖୁଛି

           ଦର୍ଶକ ପାଇଁକି ପାଲା,

ଗ୍ରାହକ ନିମନ୍ତେ ବଜାରେ ଯେମନ୍ତେ

           ହୋଇଛି ଦୋକାନ ଖୋଲା।

ବୃକ୍ଷ ଦିଏ ଫଳ ନଦୀ ଦିଏ ଜଳ

           ଗାଈ ବି ଦେଉଛି କ୍ଷୀର,

ଏମାନଙ୍କ ଭଳି ଆମେ ହେବା ଧନ୍ୟ

          କଲେ ପର ଉପକାର।

ଅନୁଷ୍ଠାନ ବ୍ୟକ୍ତି କୈନ୍ଦ୍ରିକ ନ ହେଉ

          ସମୁହ ଚେତନା ରହୁ,

ନିଜ କଳା କୀର୍ତ୍ତି ନ ଭାବି ସମ୍ପତ୍ତି 

          ଜନହିତେ ଟେକାଯାଉ।

ସେ ଯୋଗ୍ୟସନ୍ତାନ ହୋଇଥିଲେ ଜନ୍ମ

          ଜାତିର‌ ଗୌରବ ବଢେ,

ଯେମିତିକି ଗାନ୍ଧୀ, ନେତାଜୀଙ୍କୁ ଲଭି

          ଦେଶ ଆମ ଗର୍ବ କରେ।

କେ ଯଦି ଗଢିଛି‌ ଅନୁଷ୍ଠାନ ଏଠି

          ମାଲିକ ଭାବ ନ ଆଣୁ,

ଅନ୍ୟମାନଙ୍କର ଲୋଡ଼ି ସହଯୋଗ 

          ନିଜକୁ ବିନମ୍ର ମଣୁ‌।

ଅନୁଷ୍ଠାନ ନାମେ ସଂସଦ କି ସଂଘ

           କି କାରଣେ ଲାଗିଥାଏ,

ଯଦି ନ ଆସିବ ସାମୁହିକ କାର୍ଯ୍ଯେ

           କି ଲାଭ ଏଥିରେ ଥାଏ?

ହୁକୁମ‌ ଜାହିର୍‌ ମାଲିକାନା ଗିରି

           ନେଇ ଗର୍ବ କରିବାରେ,

ସାଧାରଣ ଜନ ମାନସ ପଟରେ

           ଦ୍ଵନ୍ଦ ଦେଖାଯାଇ ପାରେ।

ସେହି ଏକା ରାଜ୍ୟ ହୁଏ ରାମରାଜ୍ୟ 

           ଯହିଁ ଥାନ୍ତି ରାମଚନ୍ଦ୍ର,

ଭାବି ନ ସମ୍ରାଟ ପଣରେ ସେବକ

            ପ୍ରଜାଙ୍କୁ ଦେଲେ ଆନନ୍ଦ।

ନେଇ କର୍ମ ,ଗୁଣ,ଜ୍ଞାନ,ରୂପ,ଧନ 

             କରିବା କି ବଡ଼ ପଣ ,

ପର ଦିଆ ଏହା ଦେଇଛନ୍ତି ଯାହା

             ସିଏ ଏକା ନାରାୟଣ।

କବିତା, ନାଟକ, ଚିତ୍ର କଳା,ଗଳ୍ପ

             ଯେମିତି ଏ ସମାଜର,

ସେହିଭଳି କବି କିମ୍ବା ଅନୁଭବୀ

              ନୁହଁନ୍ତି ନିଜେ ନିଜର।

ଅନ୍ୟକୁ ସମର୍ପି ଏ କଳା ସମ୍ପତ୍ତି

              ନିଜେ ଯିଏ ଖୁସିହୁଏ,

ସେହି ବିଦ୍ଯା ତାକୁ ଜଗତରେ ଦିନେ

              ବଡ଼ ନିଶ୍ଚେ କରିଥାଏ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଖଡ଼ିଆଳ ଜଗନ୍ନାଥ ଟ୍ରଷ୍ଟି ପକ୍ଷରୁ ଶ୍ରୀମଦ ଭାଗବତ ପ୍ରାୟଣ  ଉତ୍ସବ ପାଳିତ

Sunil Chandra Nayak

ଚୁକ୍ତିଭିତ୍ତିକ ନିଯୁକ୍ତି ଅଧ୍ୟାୟ ର ପରିସମାପ୍ତି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ  ଅଶେଷ ଧନ୍ୟବାଦ ଜଣାଇଲେ ଓଡିଶା ଅମଲା ସଙ୍ଘର ସଭାପତି

Sunil Chandra Nayak

Leave a Comment

error: Content is protected !!