ଚିନ୍ତନ
ସୁରେନ୍ଦ୍ର କୁମାର ବେହେରା
ମଣିଷ ଜୀବନ ଦୁଃଖ ସୁଖ ଦେଇ
ସଂସାରରେ ଗତିକରେ
ଦୁଃଖ ବେଳେ ବେଶି ଭାରାକାନ୍ତ ମନ
ଈଶ୍ୱର ଚିନ୍ତନ କରେ ।1।
ମୋହମାୟା ଏହି ସଂସାର ବନ୍ଧନ
ଅଳିକ ଜୀବନ ଛାର
ମୋହ ଗ୍ରାସ କଲେ ସବୁକୁ ଆବୋରି
କହୁଥାଏ ମୋର ମୋର ।2।
ମଣିଷ ନିଜକୁ ଶ୍ରେଷ୍ଠ ଜୀଵ ଭାବି
ମନେ ଆସେ ଅଂହକାର
ପ୍ରଭୁତ୍ୱ ଜାହିର କରଇ ସବୁଠି
କ୍ଷତି କରଇ ଅନ୍ୟର ।3।
ବିପଦ ବେଳରେ ପ୍ରଭୁଙ୍କୁ ଚିନ୍ତଇ
କରେ ପୂଜା ଆରାଧନା
ଦାନ ଧର୍ମ କରେ ସେବା ଭାବନେଇ
କରିଥାଏ ଉପାସନା ।4।
ବିପଦ ହେଉକି ସମ୍ପଦ ବେଳରେ
ହୁଅ ନାହିଁ ଆତ୍ମ ପର
ପ୍ରଭୁ ପାଦପଦ୍ମେ ସ୍ମରଣ ଚିନ୍ତନ
କରୁଥିବା ନିରନ୍ତର ।5।
କାହାର କୁଚିନ୍ତା ନଆସୁ ମନକୁ
ସୁଚିନ୍ତା ମନେ କରିବା
ସମାଜ ସେବାରେ ମନନ ଚିନ୍ତନ
ପ୍ରଭୁଙ୍କୁ ଧ୍ୟାନ କରିବା ।6।
ସତ୍ୟ ଶାନ୍ତି ଦୟା କ୍ଷମା ଯେତେ ଗୁଣ
ଅମୃତର ବାରି ସମ
ଚିତ୍ତକୁ ପବିତ୍ର ଭାବନା ମହତ
ହାତ କରୁ ସତ କର୍ମ ।7।
ସତ୍ୟ ପଥେ ପାଦ ନଆସୁ ବିପଦ
ସୁଚିନ୍ତା ମନରେ ରହୁ
ମାନବ ସେବାରେ ସୁଚିନ୍ତନ ମନ
ସତ୍ୟ ପଥେ ରହିଥାଉ ।8।
ପ୍ରଭୁ ଦୟାମୟ ମଙ୍ଗଳ ଆଳୟ
ପାଦପଦ୍ମେ ରହୁ ଧ୍ୟାନ
ସୁକର୍ମ ଚିନ୍ତନ ଆତ୍ମ ସମର୍ପଣ
କର ଅମୃତ ସନ୍ତାନ ।9।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର