ଏଇତ ଜୀବନ ଖେଳ
ଅବିନାଶ ମହାପାତ୍ର
ଭରିଛି ନୟନ ଅଶ୍ରୁ ପରିପୂର୍ଣ୍ଣ
ଢାଳିବାକୁ ନାହିଁ ବେଳ
ଜଳିଛି ଅନଳ ହୋଇ ସମାପନ
ଏଇତ ଜୀବନ ଖେଳ !(0)
ବେଦନା ପରାଣ କମ୍ପେ ଘନ ଘନ
ବୁଲଇ ନିଷ୍ଠୁର ଚକ
ସମୟ ସାଜିଛି ବାଟର ବଇରୀ
ରୋକିପାରୁ ନାହିଁ ଅଖ !(1)
ସକାଳରୁ ସଞ୍ଜ ଭଉଁରୀ ଖେଳରେ
ପାହିଯାଏ କେବେ ରାତି
ଅଭ୍ୟାସ ଚକ୍ରରେ ପଡି ଗଡି ଯାଏ
ଏଇତ ଜୀବନ ରୀତି !(2)
ଉତ୍ତର ଦାୟାଦ ପଚାରିନି କେବେ
ଫେଡ଼ିବାକୁ ଦୁଃଖ ସୁଖ
ମେଞ୍ଚା ମେଞ୍ଚା ଲୁହ ଆଖିରେ ଥିଲେବି
ଦେଖେଇ ହୁଏନା ମୁଖ !(3)
ସହକର୍ମୀ ସାଜି ସହଧର୍ମିଣୀ ମୋ
ମୁଁହରେ ଫୁଟାଇ ହସ
ଆଖି ଲୁହ ଦେଖି ବୁଝେ ମନକଥା
କରିନାହିଁ କେବେ ରୋଷ !(4)
ସାଥି ସହୋଦର ଅଟନ୍ତି ନିଜର
ମାପିବାକୁ ନିକିତିରେ
ବଇରୀ ବି ଦୁଃଖ ହରି ନିଏ ସବୁ
ତା ମନ ମୋପାଇଁ ଝୁରେ !(5)
ଏ ହାତର ପାପ ନିଏନି ସେ ହାତ
କିଏ ବା ଏଠି କାହାର
ସଭିଏଁ ଆପଣା ସବୁ ପୁଣି ପର
ମିଛ ମାୟାର ସଂସାର !(6)
ଜୀବନ ଆୟୁଷ ଦୀପ ଶିଖା ସମ
ନିର୍ବାପିତ ହେବ କାଲି
କର୍ମ ଯଶ କୀର୍ତ୍ତି ଅମର ରହିବ
ନାମ ଫଳକରେ ଖାଲି !(7)
ଦିଅ ହେ ଶକତି ଦିଅ ଗତି ମୁକ୍ତି
ଏହି ଆଶା ପୂର୍ଣ୍ଣ ହେଉ
ଚଉବର୍ଗ ଦାନୀ ହେବ ମୋତେ ସାହା
ପ୍ରଭୁ ପଣ ତୁମ ରହୁ !(8)
ବୟୟାଙ୍ଗଡିହି, ଧାମନଗର, ଭଦ୍ରକ