ଲୁହା କହେ ସୁନାକୁ
ଥଟ୍ଟାରେ ଏକଦା ଲୁହାକୁ ଯେ ସୁନା
ପଚାରୁଛି କଥା ଗୋଟେ,
କହୁଛି, ମିତଣୀ ପଚାରୁଛି ବୋଲି
ଭୁଲ୍ ବୁଝିବୁନି ମୋତେ l (୧)
କମାର ହାତରୁ ହାତୁଡ଼ିରେ ନିତି
ଲୁହାଶାଳେ ପିଟା ଖାଉ,
ସେ ପିଟଣା ଖାଇ ବିଦିର୍ଣ୍ଣ ହୃଦୟେ
କେତେ କଷ୍ଟ ତୁ ଯେ ପାଉ ! (୨)
ନିଆଁ ଦେହେ ଜଳି ଯାଏ ସେ ତରଳି
ଦୃଢ଼ ଶରୀରଟା ତୋର,
ତୋତେ ତରଳିବା ଦେଖି ଲୋ ସଙ୍ଗାତ
ପ୍ରାଣ ଥରୁଥାଏ ମୋର l (୩)
ତୋ ଭଳି ଲୋ ମିତ ପାଏ ମୁଁ ଆଘାତ
ହାତୁଡ଼ିରେ ପିଟା ଖାଇ,
ପିଟି ଚାଲିଥାଏ ଅତ୍ୟନ୍ତ ନିର୍ଦ୍ଦୟେ
ମୋତେ ସେ ବଣିଆ ଭାଈ l (୪)
କମାର ବଣିଆ ହାତୁ ଆମେ ଦୁହେଁ
କେତେ ଯେ ପିଟଣା ଖାଉ,
ତଥାପି କାହିଁକି କେଜାଣି ଲୋ ବେଶୀ
ଚିତ୍କାର ତୁ ଛାଡ଼ିଥାଉ ! (୫)
ସୁନା କଥା ଶୁଣି ଲୁହା କହୁଅଛି
ଶୁଣ ସଖୀ ମୋର କଥା,
ଜାତି ଭାଈ ନିଜ ଭଗାରୀ ସାଜିବା
ଦିଅଇ ଅଧିକ ବ୍ୟଥା l (୬)
ନିଜ ଲୋକ କିଏ କଷ୍ଟ ଦେଉଥିଲେ
ସହିବୁ ବା ଆଉ କେତେ !
ବାହାରି ପଡ଼େ ସେ ଅସହ୍ୟ ବେଦନା
ମନେ ରହିଥାଏ ଯେତେ l (୭)
ସେ କଷ୍ଟକୁ ସହି ନ ପାରି ଲୋ ସାଙ୍ଗ
ବିକଳେ ମୁଁ ଛାଡ଼େ ରଡ଼ି,
ନିଜ ଆତ୍ମୀୟଙ୍କ ପିଟଣା ଖାଇ ମୋ
ଶରୀର ଯାଉଛି ଝଡ଼ି l (୮)
ମୋ ପ୍ରତି ମୋ ନିଜ ଲୋକଙ୍କ ଛଳନା
ଆଉ ମୁଁ ପାରୁନି ସହି,
ପଚାରିଲୁ ବୋଲି ତୋତେ ସଖୀ ଆଜି
ମନକଥା ଦେଲି କହି l (୯)
ରାଧାମୋହନ ପୂଜାହାରୀ
ବୀରମହାରାଜପୁର , ସୁବର୍ଣ୍ଣପୁର