ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଧାମୋହନ ପୂଜାହାରୀ ଙ୍କ କବିତା ଲୁହା କହେ ସୁନାକୁ

 ଲୁହା କହେ ସୁନାକୁ

ଥଟ୍ଟାରେ ଏକଦା ଲୁହାକୁ ଯେ ସୁନା 

ପଚାରୁଛି କଥା ଗୋଟେ,

କହୁଛି, ମିତଣୀ ପଚାରୁଛି ବୋଲି 

ଭୁଲ୍ ବୁଝିବୁନି ମୋତେ l  (୧)

 

କମାର ହାତରୁ ହାତୁଡ଼ିରେ ନିତି

ଲୁହାଶାଳେ ପିଟା ଖାଉ,

ସେ ପିଟଣା ଖାଇ ବିଦିର୍ଣ୍ଣ ହୃଦୟେ 

କେତେ କଷ୍ଟ ତୁ ଯେ ପାଉ !  (୨)

 

ନିଆଁ ଦେହେ ଜଳି ଯାଏ ସେ ତରଳି

ଦୃଢ଼ ଶରୀରଟା ତୋର,

ତୋତେ ତରଳିବା ଦେଖି ଲୋ ସଙ୍ଗାତ

ପ୍ରାଣ ଥରୁଥାଏ ମୋର l  (୩)

 

ତୋ ଭଳି ଲୋ ମିତ ପାଏ ମୁଁ ଆଘାତ 

ହାତୁଡ଼ିରେ ପିଟା ଖାଇ,

ପିଟି ଚାଲିଥାଏ ଅତ୍ୟନ୍ତ ନିର୍ଦ୍ଦୟେ

ମୋତେ ସେ ବଣିଆ ଭାଈ l  (୪)

 

କମାର ବଣିଆ ହାତୁ ଆମେ ଦୁହେଁ 

କେତେ ଯେ ପିଟଣା ଖାଉ,

ତଥାପି କାହିଁକି କେଜାଣି ଲୋ ବେଶୀ 

ଚିତ୍କାର ତୁ ଛାଡ଼ିଥାଉ !  (୫)

 

ସୁନା କଥା ଶୁଣି ଲୁହା କହୁଅଛି 

ଶୁଣ ସଖୀ ମୋର କଥା,

ଜାତି ଭାଈ ନିଜ ଭଗାରୀ ସାଜିବା 

ଦିଅଇ ଅଧିକ ବ୍ୟଥା l  (୬)

 

ନିଜ ଲୋକ କିଏ କଷ୍ଟ ଦେଉଥିଲେ 

ସହିବୁ ବା ଆଉ କେତେ !

ବାହାରି ପଡ଼େ ସେ ଅସହ୍ୟ ବେଦନା

ମନେ ରହିଥାଏ ଯେତେ l  (୭)

 

ସେ କଷ୍ଟକୁ ସହି ନ ପାରି ଲୋ ସାଙ୍ଗ 

ବିକଳେ ମୁଁ ଛାଡ଼େ ରଡ଼ି, 

ନିଜ ଆତ୍ମୀୟଙ୍କ ପିଟଣା ଖାଇ ମୋ 

ଶରୀର ଯାଉଛି ଝଡ଼ି l  (୮)

 

ମୋ ପ୍ରତି ମୋ ନିଜ ଲୋକଙ୍କ ଛଳନା 

ଆଉ ମୁଁ ପାରୁନି ସହି,

ପଚାରିଲୁ ବୋଲି ତୋତେ ସଖୀ ଆଜି  

ମନକଥା ଦେଲି କହି l  (୯)

 

ରାଧାମୋହନ ପୂଜାହାରୀ

ବୀରମହାରାଜପୁର  , ସୁବର୍ଣ୍ଣପୁର

 

Related posts

ବିଶ୍ୱ ମିତ ବ୍ୟୟିତା ଦିବସ : ସଞ୍ଚୟ ରଥ ପରିକ୍ରମାର ଶୁଭାରମ୍ଭ କଲେ ଜିଲ୍ଲାପାଳ

Sunil Chandra Nayak

ମହିଳା କୃଷକ ମାନଙ୍କର ବିକାଶ ନଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ

Sunil Chandra Nayak

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ଜୋର ଧରିଲା 

Sunil Chandra Nayak

Leave a Comment

error: Content is protected !!