ବିଶ୍ୱନାଥପୁରଠାରେ ଏକଦିବସୀୟ କବାଡି ପ୍ରତିଯୋଗିତା
ଲାଞ୍ଜିଗଡ,୦୩/୦୭(ମ ନି ସ)-ଦିନ ଥିଲା, ଗାଁ ଗହଳିରେ କବାଡି ଖେଳର କ୍ରେଜ୍ ଥିଲା । ପିଲାଠାରୁ ବୁଢା ଯାଏଁ ସମସ୍ତେ କବାଡି ଖେଳିବାକୁ ଭଲ ପାଉଥିଲେ । ପର୍ବପର୍ବାଣୀ ଓ ଯାନିଯାତ୍ରାରେ କବାଡି ପ୍ରତିଯୋଗିତାର ଏକ ବିଶେଷ ଆକର୍ଷଣ ରହିଥିଲା । କବାଡିର ଲୋକପ୍ରିୟତା ଆଧାରରେ ଏହା ଅଲିମ୍ପିକ ଓ ଏସୀୟ କ୍ରୀଡ଼ା ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ସ୍ଥାନ ପାଇଲା । ଧିରେଧିରେ କିନ୍ତୁ କବାଡି ଭଳି ଗ୍ରାମୀଣ ଖେଳର ସ୍ଥାନ କ୍ରିକେଟ୍ ନେଇଗଲା ।ତେବେ କବାଡି ଭଳି ଗ୍ରାମ୍ୟ ଜୀବନର ଖେଳକୁ ପୁଣିଥରେ ଲୋକଲୋଚନକୁ ଆଣିବା ସହିତ ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରସ୍ଥିତ ମାଁ ହୀରାନୀଳା ଯୁବ ପ୍ରଗତିକେନ୍ଦ୍ର ପ୍ରୟାସ ଆରମ୍ଭ କରିଛି । ଏହିକ୍ରମରେ ଆଜି ବିଶ୍ୱନାଥପୁରଠାରେ ଏକଦିବସୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୱାରିୟର, ଟାଇଗର ଷ୍ଟାର, ସିକ୍ସ ବ୍ଲାଷ୍ଟର୍ସ, ସାଇଲେଂଟ୍ କିଲର୍, ଷ୍ଟ୍ରମି ବ୍ରେକର ଓ ସ୍ନେକ ଆଟାକର୍ସ ଭଳି ଛଅଟି ଦଳକୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ୱାରିୟର ଦଳକୁ ୨ ପଏଂଟରେ ହରାଇ ସ୍ନେକ୍ ଆଟାକର୍ସ ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ, ବିଶ୍ୱନାଥପୁର ସରପଂଚ ସୁରଥ ମାଝୀ, ବିଶ୍ୱନାଥପୁର ସମିତିସଭ୍ୟ ଅଜିତ କୁମାର ପ୍ରଧାନୀ, ଭେଟେରାନ ଖେଳାଳୀ ବଟକୃଷ୍ଣ ପୁଷ୍ଟି ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ମାଁ ହୀରାନୀଳା ଯୁବ ପ୍ରଗତିକେନ୍ଦ୍ରର ସଭାପତି ବିରଂଚି ପ୍ରଧାନୀ, ସଦସ୍ୟ ଚକ୍ରଧର ପାତ୍ର. ଉଦ୍ଧବ ଘଡେଇ, ତ୍ରିଭୂବନ ଦଣ୍ଡସେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ଖେଳ ପରିଚାଳନା ଧବଳେଶ୍ୱର ଠେଲା କରିଥିବାବେଳେ ସୁଜିତ କୁମାର ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ ।
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ