ଲାଞ୍ଜିଗଡ,୩୦/୦୯(ମନିସ)-ଏକ ପଲସର ବାଇକ୍ ଯୋଗେ ୩୫ ଲିଟର ଦେଶୀ ରନ୍ଧା ମଦ ଚୋରାଚାଲାଣ କରୁଥିବାବେଳେ ପୁଲିସ ହାବୁଡରେ ପଡିଛନ୍ତି ଦୁଇଜଣ ବ୍ୟକ୍ତି । ସେମାନଙ୍କଠାରୁ ୩୫ ଲିଟର ଦେଶୀ ରନ୍ଧା ମଦ ସହିତ ଚୋରାଚାଲାଣରେ ବ୍ୟବହୃତ ଏକ ପଲସର ବାଇକ( ଓଡି୦୮ଜେ୮୧୩୨)କୁ ଜବତ କରିଛି ପୁଲିସ । ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି । ସୂଚନାନୂଯାୟୀ, ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ପୁଲିସ ପକ୍ଷରୁ ଏଏସ୍ଆଇ ବୁଦ୍ଧରାମ ମାଝୀଙ୍କ ନେତୃତ୍ୱରେ ହାବିଲଦାର କୌଶିକ ସାହୁ, କନଷ୍ଟେବଲ୍ ସୁଶୀଲ କୁମାର ଦିଗାଲ ଏବଂ ଆଇଆର୍ବି ଜବାନମାନଙ୍କୁ ନେଇ ଏକ ପେଟ୍ରୋଲିଂ ଟିମ୍ ୬ ନମ୍ବର ରାଜ୍ୟ ରାଜପଥର ପୋଖରୀବନ୍ଧ ଛକରେ ପେଟ୍ରୋଲିଂ କରୁଥିବାବେଳେ ସେଇ ରାସ୍ତା ଦେଇ ଯାଉଥିବା ଏକ ପଲସର ବାଇକକୁ ଅଟକାଇଥିଲେ । ପୁଲିସକୁ ଦେଖି ପଲସର ବାଇକଟି ଦୃତଗତିରେ ପଳାଉଥିବାବେଳେ ସନ୍ଦେହରେ ପୁଲିସ ପେଟ୍ରୋଲିଂ ଟିମ୍ ସେମାନଙ୍କ ପିଛା କରି ଦୁଇଜଣ ବ୍ୟକ୍ତିଙ୍କୁ ଅଟକାଇ ସେମାନଙ୍କ ନିକଟରୁ ୩୫ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ । ଏହାପରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ସହିତ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍ଆଇ ରତିକାନ୍ତ ସାମଲ ଏନେଇ କେସ୍ ନଂ ୬୫/୨୦୨୨ରେ ଏକ ମାମଲା ରୁଜୁ କରିବା ସହିତ ଭବାନୀପାଟଣା ସଦର ବ୍ଲକ ରିଷିଗାଁ ଡଙ୍ଗରିଗୁଡା ଗାଁର ଜୟନ୍ତ ନିଆଲ ଓ ବିଶ୍ୱନାଥପୁର ରାଣୀବନ୍ଧ ପଡାର ଅଶ୍ୱିନୀ ଭୋଇଙ୍କୁ ଗିରଫ କରିବା ସହିତ ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିଥିବା ଜଣାପଡିଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ଯିବାକୁ ପଡିଛି ।
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ