ବାହୁଡା଼ ଯାତ୍ରା
ଚନ୍ଦ୍ରକଳା ଦେବୀ
ଆସଲୋ ବଉଳ ଆସଲୋ ମକର
ଶିରୀ କ୍ଷେତ୍ର ଆମେ ଯିବା,
ବାହୁଡ଼ିବେ ଆଜି ବଳିଆ କାଳିଆ
ଭଦ୍ରାକୁ ଆମେ ଦେଖିବା ||
ବାହୁଡା଼ ରଥରେ ଦେଖି ତିନି ଦିଅଁ
ଭକତ ବିଭୋର ହେବ,
ଶଙ୍ଖ ହୁଳହୁଳି ଆଉ କରତାଳି
ବଡ଼ ଦାଣ୍ଡ ଉଛୁଳିବ ||
ସପ୍ତ ଦିନ ରହି ମାଉସୀ ମା’ ଘରୁ
ଆସିବେ ବିଦାୟ ହୋଇ,
ଜନମ ବେଦିରୁ ଫେରିବ କାଳିଆ
ଗୁଣ୍ଡିଚା ରାଣୀ କାନ୍ଦଇ ||
ମାଉସୀ କହନ୍ତି ଶୁଣ ମୋର ଧନ
କଥା ଦେଇ ମୋତେ ଯିବ,
ବରଷକେ ଥରେ ବୁଲି ଆସିକରି
ମାଉସୀକୁ ଦେଖୁଥିବ ||
କାଳିଆ କହନ୍ତି ଆସିବି ମାଉସୀ
କଥା ମୁଁ ତୁମକୁ ଦେଉଛି,
ଜନମ ଭୂଇଁକୁ କେହି କେବେ କଣ
ଭୁଲି କରି ରହି ପାରିଛି ||
ସାଗର ଦୁଲଣୀ ବହିଲେଣି କୋପ
ଆଉ ପାରିବିନି ରହି,
ରଥାରୂଢ ହୋଇ ରତନ ବେଦୀକୁ
ଆଜି ମୁଁ ଯିବି ପଳାଇ ||
ବାହୁଡ଼ିବେ ପ୍ରଭୁ ନୀଳ କନ୍ଦରକୁ
ନବ ଦିନ ଯାତ୍ରା ସାରି
ବାଟେ ସୁନାବେଶ ଅଧରପଣାରେ
ସମସ୍ତଙ୍କୁ ତୃପ୍ତ କରି ||
ଅଭିମାନ କରି ରୁଷି ବସିଥିବେ
ଜଗତର ଠାକୁରାଣୀ,
ନାନା କଟୁକଥା କହିବେ ସେପୁଣି
ଅନେକ ଭର୍ତ୍ସନା ବାଣୀ ||
ଲକ୍ଷ୍ମୀ ନାରାୟଣ ମାନ ଅଭିମାନ
ମାନବୀୟ ଲୀଳା ଖେଳା,
ସେନେହ ଶ୍ରଦ୍ଧାରେ ବୁଝାଇଲେ ପ୍ରଭୁ
ଖୁଆଇଲେ ରସଗୋଲା ||
ମୋ ପ୍ରାଣ ସଙ୍ଗିନୀ ଲକ୍ଷ୍ମୀ ଠାକୁରାଣୀ
ଅଭିମାନ କରୁ କାହିଁ,
ତୁମ ନାମ ସାଥେ ବିହି ଯୋଡିଅଛି
ଜଗନ୍ନାଥ ନାମ ନେଇ ||
ଜଗତକୁ ଶିକ୍ଷା ଦିଅଇ ଯେ ପୁଣ
ଏଇ ପରା ଘର କଳି,
ପତି ପତ୍ନୀ ମଧ୍ୟେ ମାନ ଅଭିମାନ
ସତେକି ପାଦର ଧୂଳି ||
ଭାଇ ଭଉଣୀକୁ ଦେଇଣ ଗୁରୁତ୍ୱ
ରଖିଛ ସଂସ୍କୃତି ମାନ,
ପତ୍ନୀଆଗେ ହେଲ ଯେ ନତ ମସ୍ତକ
ରଖି ନାରୀ ସ୍ୱାଭିମାନ ||
ଦେଖଲୋ ବଉଳ ଦେଖଲୋ ମକର
ବଡ଼ ଦାଣ୍ଡ ପୁଣି ହସିଲା,
ରତନ ବେଦୀକୁ ବାହୁଡ଼ିଲେ ପ୍ରଭୁ
ତୁଳସୀ ତୁଳସୀ ବସିଲା ||
ଜଗତ ବାସୀଙ୍କୁ ସୁଖେ ରଖ ପ୍ରଭୁ
ମୋର ଏଇ ନିବେଦନ,
ତୁମ ଦାନ ପରା ଏ ସାରା ସଂସାର
ଦୁଃଖ କରନ୍ତୁ ମୋଚନ ||
ବନ୍ଧୁଗାଁ,କୋରାପୁଟ