ଭାବନା
ଚିତ୍ରକର ନୁହେଁ
ଆଙ୍କିଦିଏ ଛବି
ମାନସ ପଟରେ ମୋର,
ହୃଦ କାନଭାସେ
ମନର ତୂଳିରେ
ଆକୃତିରେ ଭରପୁର l
ଆକାଶରେ ଯେବେ
ମେଘ ଚମକଇ
କଳ୍ପନାରେ ଆଙ୍କେ ଛବି,
ମେଘ ପାଲିଙ୍କିରେ
ଜହ୍ନକୁ ସଜାଇ
କେତେ କଥା ଯାଏ ଭାବି l
ଚହଲା ପାଣିରେ
ଲାଜୁଆ ଆଖିରେ
. ଦେଖେ ନିଜ ପ୍ରତିଛବି,
ଶବ୍ଦ କୁ ସଜାଇ
ଲେଖେ ମନ କଥା
କଳ୍ପନାରେ ସାଜି କବି l
ପବନରେ ଯେବେ
ଉଡ଼ିଯାଏ କାନି
ଶିହରଣ ଯାଏ ଖେଳି,
ଆଖି ପଲକରେ
ପ୍ରସ୍ଫୁଟିତ ହୁଏ
ସ୍ମୃତିର ସେ ଫୁଲ ଦୋଳି l
କଳ୍ପନା ରାଇଜେ
ରଚଇ ମହଲ
ପ୍ରିୟତମ ସାଥେ ନେଇ,
ଶବ୍ଦର ତରଙ୍ଗେ
ଲେଖନୀ ପ୍ରଣୟେ
କଳ୍ପନାରେ ଥାଏ ଜଇଁ l