ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ ମଣ୍ଡଳ ଙ୍କ କବିତା ଦୁଇଟି ମିଶିଲେ ଏକ

   ଦୁଇଟି ମିଶିଲେ ଏକ

ଦୁଇଟି ମିଶିଲେ ହୁଅଇ ଏକ

 କେମିତି ଗଣିତ କଷିକି ଦେଖ 

       କଇଁଚିର ଦୁଇଫାଳ

          ଦୁଇଧାର ଯଦି

        ନମିଶିବ କେବେ

       କାଟି ପାରିବନି ବାଳ ।

 

ଗୋଟିଏ ଆତ୍ମାକୁ ଗୋଟିଏ ମନ

ଗୋଟିଏ ଧନକୁ ଗୋଟିଏ ‌ଜନ

       ଖାପ ନଖାଇବ ଯଦି

         ରଦି ହୋଇଯିବ

        ଟଙ୍କା ଗାଡି ଘୋଡା

      ମଖମଲ ଶେଯ ଗଦି ।୧।

 

ଗୋଟିଏ ମାଉଁସ ଗୋଟିଏ ହାଡ

ଗୋଟିଏ ମୁନକୁ ଗୋଟିଏ ଦାଢ

      ମିଶିଲେ ବଢିବ ଟାଣ

        ନିଆଁ ବାଜୁ ବାଜୁ

        ବାରୁଦ ଦେହରେ

     ଯେମିତି ଫୁଟଇ ବାଣ ।୨।

 

ଦୁଇଭାଗ କରେ ସବୁ ଜିନିଷ

ଯେମିତି ଦିଭାଗ ପିୟୁସ ବିଷ

      ପାପ ପୁଣ୍ୟ ଦୁଇ ଧାର

         ଯେମିତି ଜଳଇ

         ବିଜୁଳି ଆଲୁଅ

   ଯୋଡିଲେ ଦୁଇଟି ତାର ।୩।

 

କଇଁଚିର ଦୁଇ ଫାଳର କଥା

ଗୋଟିଏ ଦେହକୁ ଆରଟି ମଥା

      ଯେମିତି କଥାକୁ କାମ

          ନମିଶିବ ଯଦି

          ଦିଶିବନି ବାଟ

     ବୁଦ୍ଧି ହୋଇଯିବ ବାମ ।୪।

 

ଗୋଟିଏ ସକାଳ ଗୋଟିଏ ସଞ୍ଜ

ଗୋଟିଏ ପଳଖ ଗୋଟିଏ ମଞ୍ଜ

      ଯେମିତି ଦଣ୍ଡାକୁ ଫଳି

          କଣ୍ଡା ମାଙ୍କୁ ଯଦି

          ନମିଶି ପାରିବେ    

      ତନ୍ତରୁ ପଡିବେ ଗଳି ।୫।

 

ଗୋଟିଏ ସୂତାକୁ ଗୋଟିଏ ଗୁଡି

ଗୋଟିଏ ଶଙ୍ଖାକୁ ଗୋଟିଏ ଚୁଡି

    ନମିଶିଲେ ଗୋଟି ପାଲି

         ହାରିବା ଜିତିବା

          ଜଣା ପଡିବନି

     କାଠି ଗଡୁଥିବ ଖାଲି । ୬।

 

ଗୋଟିଏ ଧରମ ଗୋଟିଏ ପାପ

ଗୋଟିଏ ଓଜନ ଗୋଟିଏ ମାପ

      ବାପକୁ ଯେମିତି ପୁଅ

         ନମିଶିଲେ ମନ

         ଭାଙ୍ଗିଯିବ ଘର

      ସଢିଯିବ ଖଞ୍ଜା ରୁଅ ।୭।

 

ଏକ ଯୁକ୍ତ ଏକ ସମାନେ ଏକ

ଜୀବନ ଗଣିତ ମିଶାଣ ଦେଖ

       ନମିଶିଲେ ହେବ ଦୁଇ

         ମିଶେନି ଯେମିତି

         ଜନମ ସୁଖରେ

      ମରଣ ଯାତନା ଜୁଈ ।

     

       ପ୍ରସନ୍ନ ମଣ୍ଡଳ

କୋଟପଲ୍ଲା, ବାଘମାରି, ଖୋର୍ଦ୍ଧା

Related posts

କବିୟତ୍ରୀ ଦୀପିକା ଦାଶ ଙ୍କ କବିତା ସଙ୍କଳନ ‘ ଅସ୍ତରାଗ ‘ଉନ୍ମୋଚିତ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ

Sunil Chandra Nayak

Leave a Comment

error: Content is protected !!