ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ ମଣ୍ଡଳ ଙ୍କ କବିତା ଦୁଇଟି ମିଶିଲେ ଏକ

   ଦୁଇଟି ମିଶିଲେ ଏକ

ଦୁଇଟି ମିଶିଲେ ହୁଅଇ ଏକ

 କେମିତି ଗଣିତ କଷିକି ଦେଖ 

       କଇଁଚିର ଦୁଇଫାଳ

          ଦୁଇଧାର ଯଦି

        ନମିଶିବ କେବେ

       କାଟି ପାରିବନି ବାଳ ।

 

ଗୋଟିଏ ଆତ୍ମାକୁ ଗୋଟିଏ ମନ

ଗୋଟିଏ ଧନକୁ ଗୋଟିଏ ‌ଜନ

       ଖାପ ନଖାଇବ ଯଦି

         ରଦି ହୋଇଯିବ

        ଟଙ୍କା ଗାଡି ଘୋଡା

      ମଖମଲ ଶେଯ ଗଦି ।୧।

 

ଗୋଟିଏ ମାଉଁସ ଗୋଟିଏ ହାଡ

ଗୋଟିଏ ମୁନକୁ ଗୋଟିଏ ଦାଢ

      ମିଶିଲେ ବଢିବ ଟାଣ

        ନିଆଁ ବାଜୁ ବାଜୁ

        ବାରୁଦ ଦେହରେ

     ଯେମିତି ଫୁଟଇ ବାଣ ।୨।

 

ଦୁଇଭାଗ କରେ ସବୁ ଜିନିଷ

ଯେମିତି ଦିଭାଗ ପିୟୁସ ବିଷ

      ପାପ ପୁଣ୍ୟ ଦୁଇ ଧାର

         ଯେମିତି ଜଳଇ

         ବିଜୁଳି ଆଲୁଅ

   ଯୋଡିଲେ ଦୁଇଟି ତାର ।୩।

 

କଇଁଚିର ଦୁଇ ଫାଳର କଥା

ଗୋଟିଏ ଦେହକୁ ଆରଟି ମଥା

      ଯେମିତି କଥାକୁ କାମ

          ନମିଶିବ ଯଦି

          ଦିଶିବନି ବାଟ

     ବୁଦ୍ଧି ହୋଇଯିବ ବାମ ।୪।

 

ଗୋଟିଏ ସକାଳ ଗୋଟିଏ ସଞ୍ଜ

ଗୋଟିଏ ପଳଖ ଗୋଟିଏ ମଞ୍ଜ

      ଯେମିତି ଦଣ୍ଡାକୁ ଫଳି

          କଣ୍ଡା ମାଙ୍କୁ ଯଦି

          ନମିଶି ପାରିବେ    

      ତନ୍ତରୁ ପଡିବେ ଗଳି ।୫।

 

ଗୋଟିଏ ସୂତାକୁ ଗୋଟିଏ ଗୁଡି

ଗୋଟିଏ ଶଙ୍ଖାକୁ ଗୋଟିଏ ଚୁଡି

    ନମିଶିଲେ ଗୋଟି ପାଲି

         ହାରିବା ଜିତିବା

          ଜଣା ପଡିବନି

     କାଠି ଗଡୁଥିବ ଖାଲି । ୬।

 

ଗୋଟିଏ ଧରମ ଗୋଟିଏ ପାପ

ଗୋଟିଏ ଓଜନ ଗୋଟିଏ ମାପ

      ବାପକୁ ଯେମିତି ପୁଅ

         ନମିଶିଲେ ମନ

         ଭାଙ୍ଗିଯିବ ଘର

      ସଢିଯିବ ଖଞ୍ଜା ରୁଅ ।୭।

 

ଏକ ଯୁକ୍ତ ଏକ ସମାନେ ଏକ

ଜୀବନ ଗଣିତ ମିଶାଣ ଦେଖ

       ନମିଶିଲେ ହେବ ଦୁଇ

         ମିଶେନି ଯେମିତି

         ଜନମ ସୁଖରେ

      ମରଣ ଯାତନା ଜୁଈ ।

     

       ପ୍ରସନ୍ନ ମଣ୍ଡଳ

କୋଟପଲ୍ଲା, ବାଘମାରି, ଖୋର୍ଦ୍ଧା

Related posts

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧରଣ ବୈଠକ ରାକିକିଆ ଠାରେ ଅନୁଷ୍ଠିତ 

Sunil Chandra Nayak

ଝାଡ଼ା ବାନ୍ତି ଆକ୍ରାନ୍ତ ଗ୍ରାମ କୁ ବିଧାୟକ ଙ୍କ ଗସ୍ତ ଓ ସମସ୍ୟା ସମ୍ପର୍କରେ ଆଲୋଚନା

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ମଧୁମୟ ପ୍ରୀତି

Sunil Chandra Nayak

Leave a Comment

error: Content is protected !!