ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ଘୋଷଯାତ୍ରା

       ଘୋଷଯାତ୍ରା

                                    ଶ୍ରୀମତୀ କଲ୍ୟାଣୀ ନନ୍ଦ, ସମ୍ବଲପୁର

  ଶ୍ରୀକ୍ଷେତ୍ର ପୁରୀ ଧାମ ଯାହା କି ଚାରିଧାମ ରୁ ଏକ ଧାମ, ସେହି ପବିତ୍ର ଧାମ ପୁରୁଷୋତ୍ତମ କ୍ଷେତ୍ର ର ଦ୍ବାଦଶ ଯାତ୍ରା ମଧ୍ୟରୁ ରଥଯାତ୍ରା ବା ଘୋଷଯାତ୍ରା ବିଶ୍ବପ୍ରସିଦ୍ଧ ଯାତ୍ରା ଭାବରେ ସର୍ବ ବିଦିତ। ସମଗ୍ର ବିଶ୍ବର କୋଣ,ଅନୁକୋଣରୁ ଭକ୍ତ ନୀଳାଚଳ ଧାମ ର ଏହି ପବିତ୍ର ରଥଯାତ୍ରା ଦେଖିବାକୁ ଆସିଥାନ୍ତି। ବିଶ୍ବର ମଙ୍ଗଳ କାମନା ନିମନ୍ତେ ହେଉଥିବା ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହା ଘୋଷଯାତ୍ରା ଭାବରେ ପରିଚିତ।ଏହି ଯାତ୍ରା ସାମ୍ୟ,ମୈତ୍ରୀ, ପ୍ରୀତି,ଶାନ୍ତି ଓ ସଂହତିର ପ୍ରତୀକ ବହନ କରି ଗଣମହୋତ୍ସବ ଭାବେ ସମସ୍ତ ବିଶ୍ଵ ବାସୀଙ୍କୁ ଉଦବୁଦ୍ଧ କରିଛି। ଘୋଷଯାତ୍ରା , ରଥଯାତ୍ରା, ଗୁଣ୍ଡିଚା ଯାତ୍ରା,ଯଜ୍ଞ ବେଦୀ ଯାତ୍ରା,ଜନ୍ମବେଦୀ ଯାତ୍ରା ,ମହାବେଦୀ ଯାତ୍ରା,ଆଡ଼ପ ମଣ୍ଡପ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା , ପତିତପାବନ ଯାତ୍ରା,ଆଦି ନାମରେ ପ୍ରସିଦ୍ଧ।ଘୋଷ ଯାତ୍ରା ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡଦେଉଳରୁ ବାହାରି ଜାତି,ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ମୁକ୍ତ ଦର୍ଶନ ରଥ ଉପରେ ଦେଇଥାନ୍ତି। ‘ ସର୍ବେଷା° ପାବନ° ମହତ୍’। ସମଗ୍ର ମାନବ ସମାଜକୁ ଗୋଟିଏ ସୂତ୍ର ରେ ବାନ୍ଧି ରଖିବାରେ ଘୋଷଯାତ୍ରା ମହିମା ମଣ୍ଡିତ।

           ନୀଳାଦ୍ରି ମହୋଦୟର ବର୍ଣ୍ଣନା ଅନୁସାରେ , ମହାପ୍ରଭୁଙ୍କ ଆବିର୍ଭାବ ହେବା ପରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କ ନିମନ୍ତେ ମନ୍ଦିର ନିର୍ମାଣ କରାଇଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମା ଙ୍କ ଦ୍ଵାରା ମନ୍ଦିର ପ୍ରତିଷ୍ଠା କରାଇଥିଲେ। ମହର୍ଷି ନାରଦ ଦୁଇଟି ଦେବଦୂତଙ୍କ ଦ୍ବାରା ରଥ ନିର୍ମାଣ କାର୍ଯ୍ୟ କରାଇଥିଲେ।ଆଜିର ସମୟରେ ହେଉଥିବା ରଥଯାତ୍ରା ପରି ଆଗରୁ ରଥଯାତ୍ରା ଅନୁଷ୍ଠିତ ହେଉ ନ ଥିଲା।ଆଗରୁ ଛଅଟି ରଥ ର ବ୍ୟବହାର ହେଉଥିଲା।କାରଣ ମହାପ୍ରଭୁଙ୍କ ତିନୋଟି ରଥ ବଡ଼ଦେଉଳକୁ ବାହାରି ଗୁଣ୍ଡିଚା ମନ୍ଦିର କୁ ଯିବା ବାଟରେ ମାଳିନୀ ନାମକ ନଦୀ ପ୍ରବାହିତ ହେଉଥିଲା।ତେଣୁ ବଳଗଣ୍ଡି ଠାରେ ତିନୋଟି ଡଙ୍ଗାରେ ତିନିଠାକୁର ବସି ଆରପାରିକୁ ଯାଉଥିଲେ।ସେଠାରୁ ପୁଣି ତିନୋଟି ରଥ ରେ ତିନି ଠାକୁର ବିରାଜମାନ ହୋଇ ଗୁଣ୍ଡିଚା ମନ୍ଦିର ଯାଉଥିଲେ। ପରବର୍ତ୍ତୀ ସମୟରେ ରାଜାଭାନୁଦେବଙ୍କ ପତ୍ନୀ ଶ୍ରଦ୍ଧାମଣି ପାଟଦେଈଙ୍କ ପ୍ରଚେଷ୍ଟାରେ ମାଳିନୀ ନଦୀକୁ ପୋତି ଦିଆଗଲା । ବଡ଼ଦାଣ୍ଡ ରୁ ଗୁଣ୍ଡିଚା ମନ୍ଦିର ଯାଏ ଯିବାକୁ ଅସୁବିଧା ହୋଇ ନ ଥିଲା ଓ ସେଦିନୁଁ ତିନି ଠାକୁର ତିନୋଟି ରଥରେ ବିଜେ ହୋଇ ମାଉସୀ ମାଁ ଘରକୁ ଯାଉଛନ୍ତି। ବଳଭଦ୍ରଙ୍କ ତାଳଧ୍ଵଜ ରଥ,ମାତା ସୁଭଦ୍ରାଙ୍କ ଦର୍ପଦଳନ ବା ଦେବଦଳନ ରଥ, ଏବଂ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଆଷାଢମାସ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ଦାଣ୍ଡରେ ତିନିଠାକୁରଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯାଏ।ଏହି ଦିନ ରଥଯାତ୍ରାରେ ନନ୍ଦିଘୋଷ ରଥରେ ମହାପ୍ରଭୁ ଜଗନ୍ନାଥ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ଘୋଷଯାତ୍ରା ଭାବରେ ବିଶ୍ବବିଦିତ। ରତ୍ନସିଂହାସନ ଛାଡ଼ି ବଡଦେଉଳ ରୁ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ବିଜେ ହୋଇ ସିଂହଦ୍ଵାରଠାରେ ଥିବା ରଥରେ ବିଜେ କରନ୍ତି। ନନ୍ଦିଘୋଷ ରଥ ମୋଟ ୭୪୨ ଖଣ୍ଡ କାଠରେ ନିର୍ମିତ ଓ ଏହାର ଉଚ୍ଚତା ୪୫’୫” ଅଟେ।ଏହି ରଥର ଚକ ୧୬ଟି,ସାରଥି ହେଉଛନ୍ତି ଦାରୁକୁ,ରଥର ର ଦଉଡ଼ି ଶଙ୍ଖ ଚୂଡ,ଚାରୋଟି ଧଳା ଘୋଡ଼ା ଯୋଚାହୋଇଥାଏ,ପତାକା ହେଉଛି ଗରୁଡଧ୍ବଜ,ଧ୍ବଜମୂର୍ତ୍ତି ହେଉଛନ୍ତି ପଞ୍ଚମୁଖୀ ହନୁମାନ,ନାଲି ଏବଂ ପୀତ ରଙ୍ଗର ରଥାବରଣ, ଏବଂ ନନ୍ଦିଘୋଷ ରଥରେ ହରିହର,ପଣ୍ଡୁ ନୃସିଂହ,ଗିରିଧର,ଷଡଭୂଜ, ଚିନ୍ତାମଣି କୃଷ୍ଣ,ଚତୁର୍ଭୂଜ ନାରାୟଣ,ପଞ୍ଚମୁଖୀ ହନୁମାନ,ସପ୍ତଫେଣୀ ସର୍ପ ରେ ଆସୀନ ବିଷ୍ଣୁ ଅବସ୍ଥାନ କରିଥାନ୍ତି। ଗଜପତି ରାଜାଙ୍କ ଦ୍ବାରା ଛେରାପହଁରା ନୀତି ଶେଷ ହୁଏ। ରଥ ର ଦଉଡ଼ି ଧରି ଭକ୍ତମାନେ ଅତି ଉତ୍ସାହ ରେ ରଥ ଟାଣିଥାନ୍ତି।ଦ୍ୱିତୀୟା ତିଥୀରୁ ନବମୀ ଯାଏ ତିନି ଠାକୁର ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରି ଦଶମୀ ତିଥିରେ ପୁଣି ଶ୍ରୀମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରନ୍ତି।ତଦୁପରାନ୍ତ ଠାକୁରଙ୍କ ସୁନାବେଶ,ଅଧର ପଣା ନୀତି ସମାପନ ହେବା ପରେ ନୀଳାଦ୍ରୀ ବିଜେ ଦିନ ମହାପ୍ରଭୁ ଜଗନ୍ନାଥ ଅଭିମାନୀ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ବଡ଼ଦେଉଳରେ ପ୍ରବେଶ କରନ୍ତି।

              ଘୋଷଯାତ୍ରା ବା ଗୁଣ୍ଡିଚା ରଥଯାତ୍ରା ମହାପ୍ରଭୁମାନଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣରେ ଉଲ୍ଲେଖ କରାଯାଇଛି। କୁହାଯାଏ, ଶ୍ରୀମନ୍ଦିର ରେ ଦଶବର୍ଷ ଧରି ମହାପ୍ରଭୁଙ୍କ ଦର୍ଶନ କରି ଯାହା ଫଳ ମିଳେ, ଗୁଣ୍ଡିଚା ମନ୍ଦିର ରେ ଏକଦିବସୀୟ ଦର୍ଶନରେ ସେତିକି ଫଳ ମିଳେ।ରଥ ଉପରେ ଦଧିବାମନ ଙ୍କ ଦର୍ଶନ ନିର୍ମଳ ମନରେ ଯେଉଁ ଭକ୍ତ କରେ ତାକୁ ଶତକୋଟି ଜନ୍ମର ପୂଣ୍ୟ ଫଳ ମିଳିଥାଏ।ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା କେଉଁ ଆବହମାନ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ପାଳିତ ହୋଇ ଜନାଦୃତ ହୋଇଛି।

 ସର୍ବେ ଭବନ୍ତୁ ସୁଖୀନ

ଜୟ ଜଗନ୍ନାଥ 

Related posts

ଭ୍ରମର ବାଗ ଙ୍କ କବିତା କଳା ମଣିମା 

Sunil Chandra Nayak

ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ରୁପ୍ରା ଠାରେ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୋଲିସ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!