ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଜବତ କଲା ଏକ ଘରୋଇ ସଂସ୍ଥା

ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଏକ ଘରୋଇ ସଂସ୍ଥା ଜବତ କରିଛି…ଅଧିକାରୀମାନଙ୍କର ଅପାରଗତା ଓ ପରିଚାଳନାଗତ ତ୍ରୁଟି ଯୋଗୁ ସରକାର ଏଭଳି ଏକ ଅଭାବନୀୟ ପରିସ୍ଥିତିର ସାମ୍ନା କରିଛନ୍ତି। ସମ୍ବଲପୁରରେ ଏକ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ୨୦ କୋଟି ଟଙ୍କା ଏଲ୍‌ ଆଣ୍ଡ ଟି କମ୍ପାନୀକୁ ସରକାର ନ ଦେବାରୁ ଗତକାଲି ସନ୍ଧ୍ୟାରେ ବାଣିଜ୍ୟ କୋର୍ଟ ସିଭିଲ୍‌ ଜଜ୍‌(ସିନିୟର ଡିଭିଜନ୍‌)ଙ୍କ ଆଦେଶ ବଳରେ, ପୁଲିସ୍‌ ସହାୟତାରେ ନିର୍ମାଣ ସୌଧରେ ଥିବା ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି।ଏହି ୨୦ କୋଟି ବଢ଼ି ବଢ଼ି ଏବେ ୧୨୦ କୋଟି ଛୁଇଁଛି। ସରକାର ଏହି ୧୨୦ କୋଟି ଦାଖଲ ନ କଲେ ଆଗକୁ ଏହି କୋଠାର ସମସ୍ତ ସାମଗ୍ରୀ ଜବତ ହେବ। ଏହି ପ୍ରକଳ୍ପରେ ସାମିଲ ଥିବା ସମସ୍ତ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋର୍ଟ ଆଦେଶ ଦେଇଛନ୍ତି।

ସୂଚନା ମୁତାବକ, ସମ୍ବଲପୁରରୁ ରାଉରକେଲା ପର୍ଯ୍ୟନ୍ତ ୧୬୫ କିଲୋମିଟର ରାସ୍ତା ନିର୍ମାଣ କରିଥିଲା ଏଲ୍‌ ଆଣ୍ଡ ଟି। ଏଥିପାଇଁ ବିଧିବଦ୍ଧ ଟେଣ୍ଡର ହୋଇଥିଲା ଏବଂ ଏଲ୍‌ ଆଣ୍ଡ ଟି ଟେଣ୍ଡର ନେଇଥିଲା। କାମ ସରିବା ପରେ ପୂର୍ତ୍ତ ବିଭାଗ ୨୦ କୋଟି ଟଙ୍କା ସଂସ୍ଥାକୁ ଦେଇନଥିଲା। କାମ ସରିବା ପରେ ବିଭିନ୍ନ ବାହାନା କରି ପୂର୍ତ୍ତ ବିଭାଗ ଏହି ଅର୍ଥ ନ ଦେବାରୁ ଏଲ୍‌ଆଣ୍ଡଟି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୦୪ ମସିହାରେ ଓଡ଼ିଶା ଆର୍ବିଟେସନ ସେଣ୍ଟରରେ ମାମଲାର ଫଏସଲା ହୋଇଥିଲା କି ଏହି ଅର୍ଥ ସରକାର ଏଲ୍‌ଆଣ୍ଡଟିକୁ ପ୍ରଦାନ କରିବେ। କିନ୍ତୁ ରାଜ୍ୟ ସରକାର ଏହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।ସେଠାରେ ହାରିବା ପରେ ସରକାର ସୁପ୍ରିମକୋର୍ଟ ଯାଇ ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ। ସେଠାରେ ମଧ୍ୟ ରାଜ୍ୟ ସରକାରଙ୍କର ପରାଜୟ ହୋଇଥିଲା। ତଥାପି ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସେଠାରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ସେଥିରେ ମଧ୍ୟ ସରକାର ହାରିଗଲେ। ଇତିମଧ୍ୟରେ ଏହି ୨୦ କୋଟି ଟଙ୍କାର ସୁଧ ବଢ଼ି ବଢ଼ି ମୂଳ ସହ ୧୨୦ କୋଟିରେ ପହଞ୍ଚିଯାଇଛି। କୋର୍ଟଙ୍କ ଆଦେଶ ସତ୍ତ୍ବେ ଏହି ଅର୍ଥ ସରକାର ପୈଠ ନ କରିବାରୁ ଏଲ୍‌ ଆଣ୍ଡ ଟି ସିଭିଲ୍‌ ଜଜ୍‌(ବାଣିଜ୍ୟ)ଙ୍କ ଦ୍ବାରସ୍ଥ ହୋଇଥିଲା। କୋର୍ଟ ବାରମ୍ବାର ନୋଟିସ୍‌ ପଠାଇବା ପରେ ସମ୍ପତ୍ତି ଜବତ କରିବାକୁ ଆଦେଶ ଦେଇଥିଲେ।ଗତକାଲି ସନ୍ଧ୍ୟାରେ ପୁଲିସ ସହାୟତାରେ ଏହି କାର୍ଯ୍ୟାଳୟରୁ ୯ ଟେବୁଲ୍‌, ୯ ଏସି, ୧୫ ଆଲମିରା ଓ ୧୮ କମ୍ପ୍ୟୁଟର ଜବତ ହୋଇଛି। ଏନେଇ ଏଲ୍‌ଆଣ୍ଡଟି ଓକିଲ ଗୌତମ ମୁଖାର୍ଜୀ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଆର୍ବିଟେସନ ସେଣ୍ଟର ଫଇସଲା ଶୁଣାଇବା ପରେ ସରକାର ଏହି ଅର୍ଥ ପଇଠ କରିଦେବାର ଥିଲା। କିନ୍ତୁ ଅଧିକାରୀମାନଙ୍କର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଏବେ ସରକାରଙ୍କୁ ଅକଳରେ ପକାଇଛି।

ଏବେ ସୁଧ ବାବଦକୁ ଅତିରିକ୍ତ ଶହେ କୋଟି ଟଙ୍କା ସରକାର କୋଉଠୁ ଦେବେ? ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ଏବେ ତ ସବୁ ଇ-ପେମଣ୍ଟ ହେଉଛି। ଏତେଗୁଡ଼ାଏ ଟଙ୍କା କାହିଁକି ବାକି ରହିଲା? ସରକାର କାହିଁକି କୋର୍ଟ ଯାଇଥିଲେ? ତାହା ଦେଖିବାକୁ ପଡ଼ିବ। ଏ ସବୁ ବୁଝିବା ପରେ ଯାହା ଯାହା କିଛି କହିହେବ ବୋଲି ମନ୍ତ୍ରୀ କହିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା ବରଷା ଆକାଶ ବାହାଘର

Sunil Chandra Nayak

ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ହାତ ଧୁଆ ଦିବସ

Sunil Chandra Nayak

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

Sunil Chandra Nayak

Leave a Comment

error: Content is protected !!