ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଏତ କଳିଯୁଗ ବାଣୀ

ଏତ କଳିଯୁଗ ବାଣୀ

ଅପର୍ତ୍ତି ସେଠୀ

      (ରମ୍ୟ ରଚନା)
ସେହି ଘର ଆଜ୍ଞା ଘର କେବେ ନୁହେଁ
         ଯେଉଁ ଘରେ ନାହିଁ କଳି‌,
ସେମରଦ‌ କେବେ ମର୍ଦ୍ଦେ ଗଣା ନୁହଁ
         ଯଦି ନାହିଁ ତା’ର ଶାଳୀ।
ଯଦି ପିଉଥିବ ଢକଢକ ମଦ
         ହୋ ହାଲ୍ଲା କରୁଥିବ,
କଳିଯୁଗ ଷଣ୍ଢ ଉପାଧି‌ ମିଳିବ‌
         ପୁରୁଷରେ‌ ଗଣା ହେବ।  
ସ୍ଵାମୀକୁ‌ ଦେଇନି ଯେ ଝାଡ଼ୁ ପାହାର
         ସେ କି ହୋଇପାରେ ସ୍ତ୍ରିରୀ,
ସିଏ କେଉଁ ସ୍ଵାମୀ ନିଜ ସ୍ତ୍ରୀ ଛାଡି
         ରଖିନି ଯେ ପୁଳେ‌ ନାରୀ।
କଳିଯୁଗେ ଭାଇ ପୁଅ ଯଦି ହେବ
         ବାପା ମାଆଙ୍କୁ ଭୁଲିବ,
ବୁଢାବୁଢି କାଳେ ଜରାଶ୍ରମେ ନେଇ
          ଛାଡିକି ନିଶ୍ଚେ ଆସିବ।
ଝିଅ ଯଦି ହେବ ଫେସବୁକ ଫ୍ରେଣ୍ଡ୍
          ମନ‌ଇଚ୍ଛା ଯେତେ କରି,
ଚମ୍ପଟ‌ ମାରିବ ବାପାମାଆ ମୁହେଁ
          ପୁଳେ‌ ଚୂନକାଳୀ ବୋଳି।
ପ୍ରେମିକଟି‌ ହେବ ଯଦି ଭାଇ ତୁମେ‌
          ପ୍ରତାରଣା‌ ଶିଖିଥିବ,
ପ୍ରେମିକା ଜୀବନ ନଷ୍ଟ କରି ବାବୁ
          ଅନ୍ଯ ଝିଅ ଖୋଜୁଥିବ।
କି ମଣିଷ ହେବ ଖୋଳିବନି ଯଦି
          ପର ପାଇଁ ଗାତଟିଏ‌,
କି ମଣିଷ ହେବ ସ୍ଵାର୍ଥ ପାଇଁ ପର
         ତଣ୍ଟି ଧରିବନି ଯିଏ।
ଯଦି ହେବ ନେତା ଜନତାଙ୍କ ରକ୍ତ
         ଶୋଷୁଥିବ ନିତିନିତି,
ବାବା ହେବ ଯଦି ପକେଇବ ଦୃଷ୍ଟି
         ପର ଝିଅ ବୋହୂ ପ୍ରତି।
ସେ କିବା ହୋଇବ ଭଲ ଅଫିସର
         ଯିଏ ଲାଞ୍ଚ ନେବ ନାହିଁ,
ସେ କି ହେବ ଭଲ ଇଞ୍ଜିନିୟର ଯେ
          କଂକ୍ରିଟ ଖାଇବ ନାହିଁ।
ସିଏ କି ଡାକ୍ତର ରୋଗୀ ପ୍ରାଣଠାରୁ
          ଟଙ୍କା ଯେ ବଡ଼ କରିନି,
ନା,ସିଏକି ଚାକିରୀ ଭିଜିଲାନ୍ସ ଜାଲେ
          ଥରେ ବି ଧରା ପଡିନି ।
ଯଦି ଭାଇ ତୁମେ ଓକିଲ ହୋଇବ
          ଦୋଷୀ ପାଇଁ ନିଶ୍ଚେ‌ ଲଢ,
ଭଲ ସରପଞ୍ଚ ହେବ ଯଦି ଖାଅ
          ଇନ୍ଦିରା ଆବାସ ଘର।
କଳିଯୁଗେ ଯଦି କବିଟିଏ ହେବ
          ନିଜର ପ୍ରଚାର‌ କର,
ଅନ୍ଯ ଯିଏ ଯହିଁ ସମ୍ବର୍ଦ୍ଧିତ ହେଲା
          ତାହାରି‌ ପଛରେ ପଡ।
ହାତର ମହତ‌୍ଵ ଭାଇ ତୁମେ ରଖ
          ଧରିକି ଛୁରୀ ବନ୍ଧୁକ,
ଗୋଡର ସାର୍ଥକ କର ଭାଇ ଯେତେ
          ପର ପେଟେ ମାରି ନାତ।
ଭଗବାନ ଯଦି ଦେଇଛନ୍ତି ଆଖି
          ଦେଖ ଅନ୍ଯ ଦୁର୍ଗୁଣକୁ,
କାନ ଯଦି ଅଛି ହେଳା କରିବନି
          ପର ଛିଦ୍ର ଶୁଣିବାକୁ।
କଳିଯୁଗ ବାଣୀ ମୋଟେ ଭୁଲିବିନି
          ମନ ଦେଇ ମାନୁଥିବ,
ସତୁଆ‌ ଲୋକକୁ ଯେତେ ଦଣ୍ଡୁଥିବ
           ଅସତ୍ୟ ସପକ୍ଷ ନେବ।
ତେବେ ଯାଇ ଭାଇ ଏ କଳି ଯୁଗରେ
           ମଣିଷରେ ଗଣା ହେବ,
ପ୍ରତି ମୁହୂର୍ତ୍ତରେ ଜିତାପଟ ନେଇ
           ଠୋ ଠୋ‌ ହସୁଥିବ।
କିନ୍ତୁ ଚକା ଆଖି ସବୁ ଦେଖୁଅଛି
          ପାପ ଆଉ ପୁଣ୍ୟ ଯେତେ,
କାଳ ଛଞ୍ଚାଣଟି‌ ଉଡୁଛି ବାବୁରେ
          ଝାମ୍ପିନେବ ଦିନେ ତୋତେ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ

 

       

Related posts

ଆପର ଜିଲ୍ଲା କର୍ମକର୍ତା ଓ ମିଶ୍ରଣ ପର୍ବ

ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡ ର ୩୦ତମ ସ୍ଥାପନା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଆଇଏଏସଙ୍କ ଧର୍ମଗଡ଼ ଗ୍ରସ୍ତ

Leave a Comment

error: Content is protected !!