କ୍ଷୁଦ୍ରଗଳ୍ପ
ମାଛଝୋଳ
ସରୋଜ କୁମାର ସାହୁ
ଦି ପହରରେ ଭାତ ବାଢିଲା ବେଳେ ସାନ ନାତୁଣୀକୁ ଜେଜେ ଶୁଣିଲା ଭଳି କହିଲେ”ଟିକେ ଦେଖିକି ବାଢରେ ମାଆ ? ଦିନକୁ ଦିନ ବେଳ ବୟସ ଗଲାଣି ,ଶୁଖିଲା ପେଟରେ ଆଉ ଭୋକ କୁଆଡୁ ହେବ ।ଦିନ ଥିଲା ଗୁଣ୍ତାଏ ଜାଗାରେ ଦିଗୁଣ୍ତା ବି ଖାଇକି ହଜମ କରି ଦେଉଥିଲି, ଏବେ ଆଉ ସେ ବେଳ ନାହିଁ…।ପୁଣି ତମେ ଯୋଉ ତୁଣ ତରକାରୀ ରାନ୍ଧୁଛ ନାଁ ମୋଟେ ଆଉ ରୁଚୁନି, ପାଟିକୁ ନେଉ ନେଉ ବିଷ ଭଳି ଲାଗୁଛି ।
ଜେଜେଙ୍କ କଥାରେ ମୋଟେ ଧ୍ୟାନ ଦେଲାନି ରୁବି।ଏମିତି କଥା ତାର ନିତିଦିନିଆ ହେଇଗଲାଣି ଆଜିକାଲି।ସାଧା କି ବେସର ଯାହା କଲେ ବି ସବୁଥିରେ ନାପସନ୍ଦ।ସବୁବେଳେ ଆମିଷ ଆଉ ଡାଲି…।
ରୋଷେଇ ଘରୁ ଶୁଣି ନ ଶୁଣିଲା ଭଳି ଥାଳିରେ ଅଧ ଥାଳିଏ ଗରମ ଭାତ ସହ ବଡ ପେଟି ମାଛ ଦି ପିସ୍ ,ମାଛମୁଣ୍ତରୁ ଖଣ୍ତେ ,ଅଧ ଥାଳିଆଏ ଝୋଳ ଭରିକରି ନେଇ ଦେଉ ଦେଉ କହିଲା “ଆଉ କଣ ଭଜାଭଜି ଦେବି ନା ନାହିଁ..?”
କାନ୍ଥରେ ଅଣ୍ଟାକୁ ସଳଖି ଜେଜେ କହିଲେ “ଆଜି କଣ ମାଛ ତୁଣ ହେଇଛି କି…?
-“ହଁ”
-“ତା ହେଲେ ଆଉ କଣ ହେବ ,ସେଇତକ ତ କାଫି….
ଘଣ୍ଟାକ ପୂର୍ବରୁ ବୋଉ ଧୋଇ ଶୁଖାଇଥିବା କଂସା ବାସନତକ ଆଣିବାକୁ ବାଡି ପଟକୁ ଚାଲି ଯାଇଥିଲା ରୁବି।
ଦଶ ମିନିଟ୍ ଯାଇନି ଜେଜେ ପୁଣି ଖାଇବା ଜାଗାରୁ ଡାକ ପକେଇଲେ”ରୁବି …ରୁବି..। କୁଆଡେ ଗଲୁ କିରେ ମାଆ …?ଆଉ ଦି ମୁଠା ଭାତ ଦେଲୁ ଝୋଳତକ ବଳିଲା ତ….?
ସରୋଜ କୁମାର ସାହୁ
ଆଠଗଡ.କଟକ