ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଶ୍ରୀ ସିଦ୍ଧ ବଳଦେବଜୀଉ

 ଶ୍ରୀ ସିଦ୍ଧ ବଳଦେବଜୀଉ

ଅପର୍ତ୍ତି ସେଠୀ

ଜୟ ଇଚ୍ଛାପୁର ବିହାରୀ ହେ ନାଥ
        ତୁଳସୀ କ୍ଷେତ୍ରାଧିଶ୍ଵର,
ତୁଳସୀ ରମଣ ତୁଳସୀ ଭୂଷଣ
        ହେ ପ୍ରଭୁ ବଡଠାକୁର।
କଂସ ବନ୍ଦୀଘରେ ଦେବକୀ ମାଆର
        ସପ୍ତମ ଗର୍ଭେ ରହିଲ,
ତୁମର ସେ ବ୍ରହ୍ମ ତେଜ ଜ୍ୟୋତି ଦ୍ଵାରା
        ଅସହ୍ୟ ଯନ୍ତ୍ରଣା ଦେଲ।
ଗରଭ ବେଦନା ସୀମା ଟପିଗଲା
        ମାଆ କାନ୍ଦି କହିଦେଲେ,
କିଏ ବାବୁରେ ତୁ ମୋ ପେଟରେ ଅଛୁ
        ଅନ୍ତର୍ଦ୍ଧାନ ହୋଇ ଯା’ରେ।
ମାଆ କଥା ରଖି ହେ‌ ରେବତୀ ପତି
         ଅଦୃଶ୍ଯରେ ଚାଲିଗଲ,
ରୋହିଣୀନକ୍ଷତ୍ର କୋଳେ ତୁମେ ନାଥ
        ଆନନ୍ଦରେ ରହିଥିଲ।
ଗହ୍ମା ପୁନେଇଁରେ ଗାଈଗୁହାଳରେ
         ତୁମେ ଭୂପତିତ ହେଲ,
ରୋହିଣୀ ନାମକ ଗାଈର କ୍ଷୀରକୁ
         ସାଙ୍ଗେ ସାଙ୍ଗେ ପିଇଗଲ।
ସେହିଦିନ ଠାରୁ ରୋହିଣୀ ନନ୍ଦନ
         ତୁମେ ପ୍ରଭୁ ବୋଲାଇଲ,
ଅଜୋନୀ ସମ୍ଭୁତ ଜନ୍ମ ମୃତ୍ୟୁ ଉର୍ଦ୍ଧ୍ଵେ
         ଶୁଭ୍ର ମୂରତୀ ଧ‌ଇଲ।
ତେଣୁ କରି ଆଜି ନବକଳେବର
         ପ୍ରଭୁ ତୁମ ହୁଏ ନାହିଁ,
ଶେଷ ଦେବ ତୁମେ ତୁମଠାରୁ‌ ଆଉ 
         ଦେବତା କେ ପୁଣି ନାହିଁ।
ଯୋଗରେ ବସିଲେ ଶେଷ ନାଗ ତୁମ
         ନାକ ପୁଡାରୁ ବାହାରି,
ପାତାଳୀ ହୋଇଛି ବାସୁକୀ ରୂପରେ
         ଧରିତ୍ରୀ ମସ୍ତକେ‌ ଧରି।
ରସା ଅର୍ଥ ଏଠି ପୃଥିବୀ ହୋଇଲେ
        ଦାନ ଦେଇଥିଲା ବଳି,
ତେଣୁ ରସାବଳି ତୁମରି ପ୍ରସାଦ
        ସେଦିନୁଁ ଆସୁଛି ଚଳି।
ଦ୍ଵାପର ଯୁଗରେ ତୀର୍ଥ ଯୋଗବେଳେ
        ଲଳିତ ଗିରିରେ ଆସି,
କନ୍ଦରାସୁରକୁ ସେଠାରୁ ବିତାଡି‌
        କେନ୍ଦ୍ରାପଡ଼ାରେ ବିନାଶି।
ତୁଳସୀକୁ ବରି ଇଚ୍ଛାପୁରେ ପ୍ରଭୁ
        ତୋଳିଲ ତୁମ ମନ୍ଦିର,
ବ୍ରହ୍ମାଣ୍ଡ ନାଥ ହେ ବଳିଆର ଭୁଜ
        ତୁମେ ବ୍ରହ୍ମାଣ୍ଡ ଈଶ୍ୱର।
ବଡଠାକୁର ହେ ରୋହିଣୀ ନନ୍ଦନ
        ହଳ ମୂଷଳ ଧାରଣ ,
ମଣି ବିଗ୍ରହ ହେ ଅକ୍ଷୟ ଅନନ୍ତ
        କାମପାଳ ଶଙ୍କର୍ଷଣ।
ସପ୍ତ ତତ୍ତ୍ଵ ପୂର୍ଣ୍ଣ ସପ୍ତମ ଜନମ
        ସପ୍ତ ଫଣୀ‌ ଯୋଗ ସପ୍ତ,
ସପ୍ତ ଭୋଗ ତୁମ ସାତଟି ପାହାଚ
        ମନ୍ଦିରର ପିଢ଼ି ସପ୍ତ।
ରସାବଳି ଖିଆ କାଦମ୍ଵରୀ‌ ପିଆ
        ପ୍ରଭୁ ତୁଳସୀ ରସିଆ,
ଭକ୍ତତ‌ ମେଳିଆ ନୀଳଦୁକୁଳିଆ‌
        ମଧୁ ସାଗର କୂଳିଆ।
ତୁମ ଲାଗି ଯାହା ହୁଏ ବଳଦେବ
        ତାହା ହୋଇଯାଏ ଭୋଗ,
ମଣିଷ ସଂସାରେ ତୁମ କରୁଣାକୁ
        କରୁଥାଏ ଉପଭୋଗ।
ଆହେ କନ୍ଦରାରୀ ଭକ୍ତ ଦୁଃଖହାରୀ
        ପ୍ରଭୁ ମଧୁଦୈତ୍ଯ ଅରି,
ଗୁପ୍ତକ୍ଷେତ୍ରେ‌ ତୁମେ ଗୁପତେ କରୁଛ
        ଲୀଳା ତୁମ ଅସୁମାରୀ।
ସବୁଠୁଁ ପବିତ୍ର ଏ ତୁଳସୀ କ୍ଷେତ୍ର
        ତୁମପାଇଁ ଦେବରାଜ,
ତୁମେ ସ୍ଵୟଂ ବ୍ରହ୍ମ ତୁମପାଇଁ ଗଡ଼େ
        ଯେଣୁ ବ୍ରହ୍ମ ତାଳଧ୍ଵଜ।
ସବୁ ଯୁଗେ ତୁମ ସାନଭାଇଙ୍କୁ ହେ
        ଦେଇଅଛ ରାଜପଦ,
ଏ କଳି ଯୁଗରେ ସ୍ଵୟଂ ରାଜା ହୋଇ
        ପାଳୁଛ ସାରା ବ୍ରହ୍ମାଣ୍ଡ।
ଆହେ ଆଦିକନ୍ଦ ବୁଦ୍ଧ ମୂଳପିଣ୍ଡ
        ସିଦ୍ଧ ବଳଦେବଜୀଉ,
ଜଗତ ଉଦ୍ଧାର ପାଇଁ ଟେକିଅଛ
        ତୁମର ସେ ମହାବାହୁ। 
ପ୍ରତି ଗୋଡିବାଲି ବ୍ରହ୍ମମୟ ଏଠି
        ଯହିଁ ତୁମେ ସ୍ଵୟଂ ବ୍ରହ୍ମ,
କେ ବର୍ଣ୍ଣି ପାରିବ କାହା ସାଧ୍ୟ ଅଛି
         ମହିମାକୁ ପ୍ରଭୁ ତୁମ।
ଜଗା ଦରଶନ‌ କରିସାରି ଭକ୍ତ
       କେନ୍ଦ୍ରାପଡ଼ା ଯେବେ ଆସେ,
ତୁମ ଦରଶନ‌ କଲାପରେ ଯାଇ
        ଆନନ୍ଦେ ବୈକୁଣ୍ଠେ‌ ବସେ।
ପ୍ରଭୁ ସଂବର୍ତ୍ତକୀ‌ ହେ ରେବତୀ ପତି
        ସ୍ଵୟଂ ତୁମେ ବ୍ରହ୍ମରାଶୀ,
ମୁହିଁ ହୀନମତି‌ ଅଧମ ଅପର୍ତ୍ତି
        ଭବଜଳେ‌ ଭାସୁଅଛି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

ବେଆଇନ ବାଲି ଚୋରା ଚାଲାଣ କରୁଥିବା ୧୦ଟି ଟ୍ରାକ୍ଟରକୁ ଜବତ କଲେ ରାୟଗଡା ତହସିଲଦାର

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ବଡ଼ଦାଣ୍ଡ ଜଗନ୍ନାଥ 

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଜଗା କୁ ଜ୍ଵର

Sunil Chandra Nayak

Leave a Comment

error: Content is protected !!