ଅନ୍ଧାର
ଡ. ଶ୍ୟାମା ପ୍ରସାଦ ମିଶ୍ର
ଅନ୍ଧାରର କିଚିରି ମିଚିରି ଶବ୍ଦ ଭିତରେ
ଲୁଚିଯାଏ ପୃଥିବୀର କଅଁଳ ବୟସ
ମନ ପକ୍ଷୀ ବସା ବାନ୍ଧେ
ବୟସରେ ପକ୍ଷ ଲାଗେ;
ଅନ୍ଧାରର ପଣତ ତଳେ
ସେ ଖୋଜି ବୁଲେ
ଫୁଟନ୍ତି କାମନାର
ମହୁଲି ପରଶ ଯେତେ ।
ଅନ୍ଧାରର ବୟସ ବଢ଼େ
ସମୟ ଆତ୍ମାହୂତି ଦିଏ,
କାହାର ଅଦୃଶ୍ୟ ପରଶେ
ନଇଁ ଆସେ ଫୁଟନ୍ତା ଫୁଲର ଡାଳ,
ଜତୁ ଗୃହେ ନିଆଁ ଜଳେ
ଜଳିଯାଏ ଦୁଃଖ ଯେତେ
ଦାନା ବନ୍ଧା ଅନ୍ଧାରର
ରେଶମୀ ଶେଯରେ ।
ଅନ୍ଧାରର ଅଦୃଶ୍ୟ ଖେଳ ଭିତରେ
ନିସ୍ତେଜ ଦେହ ମନ
ଖୋଜି ବୁଲେ ଆଶ୍ରା ଟିକେ,
ମିଳିଗଲେ ଆଶ୍ରାଟିଏ
ମୁହଁ ମାଡି ଶୋଇବାର
ଅଭିନୟ କରେ
ଅନ୍ଧାରର କଅଁଳ ଶେଯରେ ।
ଆଖି ମିଟିମିଟି କରି
ସୁଖର ଲହରୀ ଗଣୁ ଗଣୁ
ଯୌବନର ଲାଜରା ଓଠରେ
ଦେଖ ବୟସ କେମିତି ଏଠି
କଡ ଲେଉଟାଏ
ପ୍ରଣୟୀର ପ୍ରଣୟ ଗୁହାରେ ।
ବ୍ରହ୍ମପୁର