ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ନୀଳ କୁମୁଦର ପ୍ରୀତି

ନୀଳ କୁମୁଦର ପ୍ରୀତି

          ବେଣୁଧର ସୂତାର

ମାଧୁର୍ଯ୍ୟ ମଧୁରେ ଭରା
ଏ ସୃଷ୍ଟିର ଚାରୁଧାରା
ଗାଉଅଛି ମଙ୍ଗଳର 
                     ମୁଗ୍ଧ ସୂକ୍ତିନାମା
ଦିବ୍ୟ ଶାନ୍ତି ମଧୁମୟ
ସୃଜନୀ ମଙ୍ଗଳମୟ
ରମଣୀୟ ନୈସର୍ଗିକ 
                   ବିରଳ ଉପମା ।।
ସବୁଜ ଧରଣୀ ହସ
ସପନ ଫୁଲର ବାସ
ରୂପସୀ ପ୍ରକୃତି କଳ-
                  କଲ୍ଲୋଲିତ ଧାରା
ବ୍ୟଷ୍ଟି ସମାହାର ସୁର 
ପୁଲକିତ ମଞ୍ଚ ପୁର
ସୁନାଝରା ପ୍ରଭାତର
                    ଆଶିଷ ପସରା ।।
ତନ୍ମୟ ତଟିନୀ ଧାର
ମନୋହର ମୂର୍ଛନାର
ଗାଇଯାଏ ଏସୃଷ୍ଟିର
                    ଆଦିମ ସଙ୍ଗୀତ
ରଙ୍ଗ ରସ ସମାହାର
ମହକ ମଧୁରତାର
ଚିନ୍ମୟ ଝଙ୍କାର ତୋଳେ
                     ପ୍ରକୃତି ପଣତ ।।
ଲଳିତ ଲାବଣ୍ୟ ମାଳା
ପ୍ରକୃତିର ଚାରୁକଳା
ତୃପ୍ତମୟ ରଙ୍ଗୋଲିର
                  ବିଭୋର ମହ୍ଲାର
ଅଭିନବ ରୂପ କାୟା
ନୀଳ ଜୀମୁତର ମାୟା
ଅନୁପମ ଅନୁରାଗ
                  ଭୂମି ଓ ଭୂମାର ।।
ଗୋଧୂଳି ସୁଷମା ନେଇ 
ଚାରୁମୟ ଦିଶେମହୀ
ଅସ୍ତରାଗ ଲାଲିମାର 
                     କାଉଁରୀ ପରଶ
ପ୍ରକୃତିର ନିକେତନ
ଆହାକେଡେ ଶୋଭାବନ
ରୂପମୟୀ ଧରାବେଶ
                  ଲଳିତ ବିନ୍ୟାସ ।।
ଭାନୁ ଅସ୍ତାଚଳ ଦେଖି 
ଜୋଛନା ପୀୟୂଷ ମାଖି
ଉଇଁଲେଣି ପ୍ରାଚୀ ଭାଲେ
               ସୌମ୍ୟ ସୁଧାକର
ନିଶି ଆଉ ନିଶାକର
ଜୋଛନାର ଅଭିସାର
ପ୍ରକୃତି ପଣତୁ ଝରେ
                   ପ୍ରଣୟ ଝଙ୍କାର ।।
ଗଗନ ବିତାନ ତଳେ
ଶୀତଳ ସରସୀ ଜଳେ
ପ୍ରଣୟର ମଧୁଶାଳା
                     ରମ୍ୟରାସ ପୁରେ
ପ୍ରେମରେ ମଗନ ରାତି
ନୀଳ କୁମୁଦର ପ୍ରୀତି 
ପରବାସୀ ପ୍ରିୟ ରାସ
              ଲଳିତ ଶୃଙ୍ଗାରେ ।।
ମଧୁର ଏ ବିଭାବରୀ
ପ୍ରୀତିର ସପନ ପୁରୀ
ମାଧୁର୍ଯ୍ୟର ମଧୁଶାଳେ
             ଅନୁଢା ରୂପସୀ
ପ୍ରଣୟ ର ଫୁଲବନେ
ପ୍ରୀତି ସୁଧାମଧୁ ପାନେ
ସମର୍ପିଛି ତନୁମନ
           ସେ, ତନ୍ଦ୍ରା ତାମସୀ ।।  

 କେଶଦୁରାପାଳ ,  କେନ୍ଦୁଝର

Related posts

ବାସନ୍ତୀ ପରିଷଦ ପଡିଆକୁ ସଂକୁଚିତ କରିବା ପାଇଁ ଉଦ୍ୟମକୁ ନେଇ ଉଦବେଗ

Sunil Chandra Nayak

ମ.ରାମପୁର ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଗେ ଭାରି ଭଲଲାଗେ

Leave a Comment

error: Content is protected !!