ଇନ୍ଦ୍ରଧନୁ
ଜ୍ୟୋତ୍ସ୍ନା ରାଣୀ ଦେବୀ
ସପ୍ତ ରଙ୍ଗର ଉତ୍ତାଳ ଲହରୀ ଖେଳାଇଲ ନିଜ ଅଙ୍ଗେ
ତଡିତ୍ ନୀରଦ ଅପସରି ଗଲେ ଉଭା ହେଲ ବେଗେବେଗେ
ଅପୂର୍ବ ଭଙ୍ଗିମା ଠାଣି
ଦୃଷ୍ଟି ପଥରେ ସୃଷ୍ଟି ରଥରେ ସରଜିଲା କିଏ ଆଣି ।
ଚିତ୍ରକରର ନିପୁଣ ହସ୍ତ ତୋଳିଲା ଅପୂର୍ବ ଛବି
ମେଘର ଉଛୁଳା ଯୌବନ ହଟିଲା ବତାସଟା ଗଲା ଦବି
ମାର୍ତ୍ତଣ୍ଡ ରହିଲା ଚାହିଁ
କଳ୍ପନାଲୋକେ ଇନ୍ଦ୍ରକରରେ ସମର୍ପିଲା ଧନୁ ନେଇ ।
ଦିଶାରେ ଦେଖାଇ ନବୀନ ଆଲୋକ ହୃଦେ ପୁଲକ ଭରି
ଦେଇଗଲା ଦିଶା ହଟାଇଲା ନିଶା ପ୍ରଶାନ୍ତି ବାର୍ତ୍ତା ଭରି
ତମିସ୍ର ମେଘ ଘୋର
ହଟିଲେ ଜୀବନୁ ଉକୁଟି ଉଠିବ ରଙ୍ଗୋଲି ସପ୍ତଧାର ।
ନୟନ କୋଣେ ଶୁଖିଯିବ ଧୀରେ ତପ୍ତ ଲୁହର ଧାର
ଇନ୍ଦ୍ରଧନୁର ରଙ୍ଗର ମାଧୁରୀ କାଟିବ ସହସ୍ର ଗାର
ଜୀବନ ପଥ ପ୍ରାନ୍ତେ
ଫୁଟିବ କେତେଯେ ମଞ୍ଜୁଳ ପୁଷ୍ପ ପାଦପ ଶାଖାର ବୃନ୍ତେ ।
ଏଇତ ଆଶାର ଆଶାବରୀ ଖେଳୁ ଆମରି ଚିତ୍ତ କୁଞ୍ଜେ
ସମୟ ଗଡୁଛି କରୁନି ଅନିଶା କାହାକୁ ସକାଳ ସଞ୍ଜେ
ହଟିବ ଅମା ନିଶି
ଜୀବନ ଆକାଶେ ଝଟକି ଉଠିବ ଇନ୍ଦ୍ରଧନୁ ତ ହସି ।
ବ୍ରହ୍ମପୁର, ଗଂଜାମ