ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମୃତ୍ୟୁ

      ମୃତ୍ୟୁ 

     ବେଣୁଧର ସୂତାର

ମୃତ୍ୟୁଦେବ ତୁମେ ଚିର ମୁକ୍ତିଦାତା
ତୁମେ ପୁଣି ଭୟଙ୍କର
ଜନ ମାନସରେ ଭୟ ସୃଷ୍ଟିକର
ଜନମ ଜନମାନ୍ତର ।।
ଜନମେ ଆନନ୍ଦ ମରଣରେ କାନ୍ଦ
ସନ୍ତାପିତ ହୁଏ ଜନ
ଜନ୍ମମୃତ୍ୟୁକୋଳେ ଏଭବଶୟଳେ
ମାୟାମୋହ ସମ୍ମୋହନ ।।
ଦେବତାହୋଇସେ ଜନମ ଲଭିଲେ
ଏ ସୁନ୍ଦର ଧରାତଳେ
ଅଭିନୟ ଅନ୍ତେ ଫେରିବ ଏକାନ୍ତେ
ମୁକ୍ତି ଦାତାର କୋଳେ ।।
ହେଉ ନରପତି ଉର୍ଦ୍ଧ୍ଵରେତା ଯତୀ
ଜ୍ଞାନୀ ମାନି ଧର୍ମପ୍ରାଣ
ନୁହେଁ ଚିରନ୍ତନ ମରତେ ଜୀବନ
ବାନ୍ଧି ନିଏ ଜନ୍ତୁରାଣ ।।
ଦୁଇଗୋଟି ଫଳ ଦୁଇଗୋଟି ପଥ
ସୁଖ ଦୁଃଖ ପାପ ପୁଣ୍ୟ
ଆତ୍ମା ଫେରିଯାଏ ପରମାତ୍ମାପାଶେ
ଏ ସଂସାର ମହାଶୂନ୍ୟ ।।
କର୍ମଫଳେ ପାପୀ ନର୍କପଥଗାମୀ
ପୁଣ୍ୟାତ୍ମା ମୁକତି ଦ୍ଵାରେ
ଜନ୍ତୁରାଣ କେବେ ନଦିଏ କଷଣ
ମୃତ୍ୟୁ ପରେ ପୁଣ୍ୟାତ୍ମାରେ ।।
ଧର୍ମ କର୍ମ ସିନା ଶ୍ରେଷ୍ଠ ଏ ସଂସାରେ
ନାମ ଅଟେ ମହାଧନ
ନାମ ମୁଖେଥିଲେ ମୃତ୍ୟୁ ବିଭୀଷିକା
ଜାଣି ନପାରଇ ଜନ ।।
ହରିନାମ ସତ୍ୟ ରାମନାମ ସତ୍ୟ
ନଶ୍ଵର ଏମାଟି ଦେହ
ସଂସାରରେ ପ୍ରାଣୀ ସବୁ ଜାଣିଶୁଣି
କାହିଁକି ଝରାଏ ଲୁହ ।।
କାଳେକାଳେତୁମେ ମହାକାଳପରା
କରାଳ ତୁମରି ଗତି
ସେକରାଳସ୍ରୋତେ ଜୀବନନିରତେ
ଲୋଡେ ଭବମାୟା ପ୍ରୀତି ।।
ଧର୍ମରାଜ ତୁମେ ଶାନ୍ତି ମୁକ୍ତି ଦାତା
ସତ୍ୟ ପରା ଚିରନ୍ତନ
ମୃତ୍ୟୁର ଅଧୀନ ଜନ୍ମରୁ ଜୀବନ
କାଳସ୍ରୋତେ ଧାବମାନ ।।
ଶାନ୍ତିର ଆଳୟ ପୁଣ୍ୟ ଯମାଳୟ
ମୃତ୍ୟୁଦେବ ଅଙ୍କସ୍ଥଳ
ତୁମେ ସତ୍ୟ ଶିବ ସୁନ୍ଦର ହେଦେବ
ଶାଶ୍ଵତ ଚିରକାଳ ।।

କେଶଦୁରାପାଳ କେନ୍ଦୁଝର

Related posts

ବିଦ୍ୟାରାଣ’ ର‌ ଅଡିଓ ଲୋକାର୍ପିତ

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଓଡ଼ିଶାରେ କୁମାର ପୂର୍ଣିମା 

Sunil Chandra Nayak

ରାଜ୍ୟ ସ୍ତରୀୟ ରାତ୍ରୀ କାଳୀନ ତୃତୀୟ ଫୁଟ୍ ବଲ୍ ମ୍ୟାଚ୍ ଅନୁଷ୍ଠିତ

Leave a Comment

error: Content is protected !!