ଶିଶିର ଭିଜା ସ୍ମୃତି
ସୃଜନ କବି :କାଙ୍ଗାଳୀଚରଣ ସେଠୀ
କଳସ ଛନ୍ଦରେ ଛନ୍ଦୁଥିବି ତମ
ପ୍ରୀତି ପ୍ରଣୟର ଅଭିସାର
ଭାଷାର ବନ୍ଧରେ ବାନ୍ଧୁଥିବି ତମ
ବିରହ ବିଚ୍ଛେଦ ତିରସ୍କାର ।
ବିଜନ ବେଳାରେ ଆଙ୍କୁଥିବି ତମ
ନୀରିହ ଆତ୍ମାର ଅନ୍ଧକାର
ମମତା ଚାଦରେ ଢ଼ାଙ୍କୁଥିବି ତମ
କଅଁଳ ହୃଦୟ ହାହାକାର ।
ଆଞ୍ଜୁଳା ପତେଇ ମାଗୁଥିବି ତମ
କରୁଣା କୈବଲ୍ୟ କଣିକାଏ
ଚମତ୍କାରୀ ସ୍ମୃତି ଚନ୍ଦ୍ର ମଲ୍ଲିକାରେ
ସୁଲଭ୍ଯ ସୁରଭି ଥିବାଯାଏ ।
ଚନ୍ଦନ ଚର୍ଚ୍ଚିତ ଜ୍ୟୋସ୍ନା ଯାମିନୀ ରେ
ଦେଖୁଥିବି ତୁମ ଚିତ୍ରକାବ୍ୟ
ନୀଳ ନିର୍ଜନରେ ନୀରବରେ ବସି
ଭାବୁ ଥିବି ଯଥା ଏକଲବ୍ୟ ।
ବିନ୍ଦୁ ବିନ୍ଦୁ ତୁମ ବେଦନା ଭିତରେ
ଭରି ରହିଥିବ ସମ୍ବେଦନ
ହଜିଯିବ ନାହିଁ ଅଜ୍ଞାତ ବାସରେ
ହୃଦୟରୁ କରେ ନିବେଦନ ।
ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର