ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଶୁନ୍ୟ

      ଶୂନ୍ୟ

     ଅପର୍ତ୍ତି ସେଠୀ

‘ଠ’ ଆକାରଟି ରୂପ ଗୋଲାକାର 
        ନାଁ ଟି ତାହାର ଶୂନ୍ୟ ,
ସମସ୍ତେ କୁହନ୍ତି ଶୂନ୍ୟ କିଛି ନୁହେଁ 
        ଶୂନ୍ୟ ଏଠି ମୂଲ୍ୟହୀନ।
ସେହି ଶୂନ୍ଯଟିକୁ ସଂଖ୍ୟାର ଡାହାଣେ
        ଯଦି ପୁଣି ବସାଯାଏ,
ଶୂନ୍ୟ ସେଠି ପୂର୍ଣ୍ଣ ଭାବକୁ ପ୍ରକାଶେ
        ମୂଲ୍ଯ ତାର ବଢିଯାଏ।
କିନ୍ତୁ ଶୂନ୍ୟଟିଏ କେବେ ଶୂନ୍ୟ ନୁହେଁ
        ପୂର୍ଣ୍ଣ ମୂଳବୀଜ ସିଏ,
ପୂର୍ଣ୍ଣଚ୍ଛେଦ ନାହିଁ ସେ ଶୂନ୍ୟଶବ୍ଦରେ
        ଅନାମିକା ପଦଟିଏ।
 ଶୂନ୍ଯଟି ଅସୀମ ଶୂନ୍ୟଟି ନିଗମ
        ଶୂନ୍ଯଟି ଅରୂପାନନ୍ଦ,
ଅନାଦି ଅବ୍ୟକ୍ତ ଅଲେଖ ଅନନ୍ତ
       ଶୂନ୍ଯ ପୁଣି ବ୍ରହ୍ମାନନ୍ଦ।
ବ୍ରହ୍ମ ଅଣାକାର ନିରାମୟ ସେହୁ
       ପରିବ୍ୟାପ୍ତ ଶୂନ୍ଯତାରେ,
ଅଧେ ବ୍ରହ୍ମାଣ୍ଡକୁ ଗୁପତେ ରଖିଛି
        ଜ୍ଞାନୀ ତାହା ଜାଣିପାରେ।
ତେଜମୟ ଧାପ ଅସହ୍ୟ ପ୍ରକୋପ
        ସେହି ଶୂନ୍ୟ ଆଦିମୂଳ,
ମହାଶୂନ୍ଯ ମଧ୍ୟେ କରୁଅଛି ଖେଳ
        ଚତୁ଼ଃପାର୍ଶ୍ଵେ ତାର ଜଳ।
ଜଳ ମଧ୍ଯେ ଅନାହତ ଧ୍ଵନୀ ଜାଗେ
        ପ୍ରବଳ ତେଜକୁ ନେଇ,
ଶୂନ୍ୟରୁ ପୂର୍ଣ୍ଣତା ମହିମା ପ୍ରକାଶେ
        ସଂସାର ଉଦ୍ଧାର ପାଇଁ।
ଶୂନ୍ଯଦେହୀ ସିଏ ରୂପରେଖ ନାହିଁ
        ଶୂନ୍ୟରେ କରିଛି ଘର,
ସ୍ଵାମୀ ପତ୍ନୀ ରୂପେ ସଂସାର କରନ୍ତି
        ଶୂନ୍ଯତାରେ ଖେଳଘର।
ଶୂନ୍ୟ ଶୂନ୍ୟ ପୁଣି ମହାଶୂନ୍ଯ ଏଠି
        ଶୂନ୍ୟ ବ୍ରହ୍ମା, ବିଷ୍ଣୁ,ଶିବ,
ଶୂନ୍ୟ ହସ୍ତ ନେଇ ସେ ଶୂନ୍ୟ ମଣ୍ଡଳେ
        ମିଶିବାକୁ ଦିନେ ହେବ।
ଶୂନ୍ୟକୁ ଶୂନ୍ୟରେ ଯୋଗଟି କରିଲେ
        ମିଶାଣ ଫଳଟି ଶୂନ୍ୟ,
ଶୂନ୍ୟ ସଂସାରରେ ଶୂନ୍ୟ ଘରଟିରେ
        କାହିଁ ଏତେ ଅଭିମାନ?
ଶୂନ୍ୟ ଯଦି ଆମ ଶେଷ ବନ୍ଧୁଟିଏ
       ପୂର୍ଣ୍ଣତାରେ କାହିଁ ଲୋଭ,
ଯୁଗଳ ଲୀଳାଟି ଦିନେ ଭାଙ୍ଗି ଯିବ
       ଭାଙ୍ଗି ଯିବ ସବୁ ଦମ୍ଭ।
ଯଦି ସବୁ ଶୂନ୍ୟ ବୃଥା ଏ ସପନ
       ମାୟା ମୋହେ ନାହିଁ ଲାଭ,
ଶୂନ୍ୟ କାଳେ ଶୂନ୍ୟ ରାମ ନାମ ପଦେ
       ପଥକୁ ସଙ୍ଖାଳି ହେବ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

କାଳ ବୈଶାଖୀ ରେ ସ୍କୁଲ ସମେତ ୧୮ ଆଦିବାସୀ ଙ୍କ ଘର ଛାତ ଉଡ଼ିଲା, ସହାୟତା ପାଇଁ ଅପେକ୍ଷା

Sunil Chandra Nayak

ବେହେରା ପଡା ରାସ୍ତା ସୁଧୁରିବ କେବେ? 

Sunil Chandra Nayak

ସାମାଜିକ ସୁରକ୍ଷା ଯୋଜନା କାହା ପାଇଁ?

Sunil Chandra Nayak

Leave a Comment

error: Content is protected !!