ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା
ବାଲାଜି ସେଠୀ
ଆସିବାର ଯେବେ ଥିଲା ଏ ଜୀବନେ
କଲ କାହିଁ ଏତେ ଡେରି
କଥା ଦିଅ ସଖୀ ହାତେ ହାତ ରଖି
ଯିବ ନାହିଁ ଆଉ ଫେରି ।
ଧୂମାଳ ଜୀବନ ମନ ପ୍ରାଙ୍ଗଣର
ଶୂନ୍ୟତା ହିଁ ଥିଲା ମିତ୍ର
ଜୀବନ ପ୍ରଚ୍ଛଦ ପୃଷ୍ଠାରେ ଆଙ୍କିଲ
ମଧୁଝରା ସୁଖ ଚିତ୍ର ।
କରିଛି ଅନେକ ବାର ବ୍ୟବଚ୍ଛେଦ
ସ୍ୱପ୍ନର ଅବୟବ
ତୁମେ ଯେଉଁ ଦିନ ଦେଖାଇଲ ସ୍ୱପ୍ନ
ଦେଖୁଛି ହୋଇ ନୀରବ ।
ଅଛ ସିନା ବନ୍ଦ ହୃଦୟ ନୀଳୟେ
ହାତ ମୋର ପାଉନାହିଁ
ମେଣ୍ଟୁ ନାହିଁ ଶୋଷ ବଢ଼େ ଅବଶୋଷ
ତୁମ ଠୁ ଦୂରରେ ରହି ।
ତୁମ ପଥ ଧାରେ ନୟନ ବିଛେଇ
ଭିଜୁଛି ମୁଁ ଭାବ କୂଳେ
ପ୍ରତୀକ୍ଷା ହିଁ ମୋର ପ୍ରାରବ୍ଧ ପ୍ରାଚୀର
ବାସ୍ତବତା ଅନ୍ତରାଳେ ।
ଚିତ୍ରକୋଣ୍ଡା, ମାଲକାନଗିରି