କବିତା ,ବନିତା ,ଲତା
ଉପେନ୍ଦ୍ର କୁମାର ବସ୍ତିଆ
କବିତା ••••
କବିତା ସୁନ୍ଦରୀ ଅତି ସୁକୁମାରୀ
ଭାବାବେଗ ସୃଷ୍ଟି କରେ
ଅତି ଯତନରେ ସାଇତି ରଖିଛି
ମୋ ହୃଦ ମନ ମନ୍ଦିରେ ।
ଅତି ଅଲିଅଳି ଭାରି ଲାଜକୁଳୀ
ଚୂପିଚୂପି କଥା କୁହେ
ତା କୁହା କଥାକୁ ଲେଖି ଚାଲେ ମୁହିଁ
ଯତନେ କାଗଜ ଦେହେ ।
ବନିତା ••••
ବନିତାଟି ମୋର ଗୁଣ୍ଠୁଣି ହାତୀଟି
ଢଳି ଢଳି ବାଟ ଚାଲେ
ମନ ଜାଣି ସିଏ କାମ କରୁଥାଏ
କଥା କୁହେ ଧୀରେ ଧୀରେ ।
ପାଇଟି କରଇ ଘରଟି ଯାକର
ଥକାପଣ କେବେ ନାହିଁ
ଘର ସାରା ବୁଲେ ଲୋଟଣି ପାରା ସେ
ଅଳସ କରଇ ନାହିଁ ।
ଲତା ••••
ଲତିକାଟି ମୋର ଅତି ଆପଣାର
ଖାଲି ପ୍ରୀତି ଖୋଜୁ ଥାଏ
ଲଟେଇ ଯାଅଇ ଦେହସାରା ମୋର
ମାଳତୀ ଲତିକା ପ୍ରାଏ ।
ମୋ ପାଖକୁ ନୀତି ଫୋନ କରୁ ଥାଏ
ତା ଘରକୁ ଯିବା ପାଇଁ
ଭାବେ ଯିବାପାଇଁ ଯାଇ ପାରେ ନାହିଁ
କି ସମନ୍ଧ୍ ଯିବି ନେଇ ।
କବିତା ,ବନିତା ଲତିକା ପାଇଁ ମୋ
ଅସହାୟ ମଣେ ନାହିଁ
ଏ ତିନିଙ୍କ ପାଇଁ ଲେଖନୀ ଚାଳନା
ନୀତିପ୍ରତି କରୁଥାଇ ।
ରାଉରକେଲା