ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ମୁଁ ଆଜିକା ସୁନ୍ଦରୀଝିଅ

  ମୁଁ ଆଜିକା ସୁନ୍ଦରୀ ଝିଅ

ମୁଁ ଏ କଳିଯୁଗର ସୁନ୍ଦରୀ ଝିଅ
   ନଖରାମି ମୋର ଯେତେ।
କାହାଣୀ ଲେଖିଲେ ପୋଥିଟିଏ ହେବ
   ଲେଖି ପାରିବିନି ସେତେ।।
ସଂକ୍ଷେପରେ ତେଣୁ ବର୍ଣ୍ଣନା କରିବି
  ଲାଜ ଭୟ ଛାଡି ଦେଇ।
ସେ କାହାଣୀ ପଢି ସୁଧୁରିବେ ସର୍ବେ
     ଆଶା କରୁଅଛି ମୁହିଁ।।
ତେର ଚଉଦ ଛୁଇଁଲା ଯେବେ ମତେ
    ମୋ ପଛେ ଟୋକାଙ୍କ ଭିଡ।
ଡର ଭୟେ ମୋର ହୃଦୟ ଥରିଲା
    ପାଦ ହେଲା ଲଡବଡ।।
ସତର୍କ ସତତ ହୋଇ ପାଠପଢି 
   କଲେଜ୍ ରେ ପାଦ ଦେଲି।
ପ୍ରଥମ ଦିନୁ ସେଠାରେ ଅଭିଜ୍ଞତା
   ଭିନ୍ନ କିସମ ପାଇଲି।।
ହଳ ହଳ ହୋଇ ବୁଲୁଥିଲେ ସର୍ବେ
    ସାଥୀ ପୁଅ ଆଉ ଝିଅ।
ଲାଜ ସରମକୁ ପୋଡି ଖାଇଥିଲେ
   ନଥିଲା କାହାକୁ ଭୟ।।
ମୁଁ ବି,ତ ଆଜିକାଲିକା ଝିଅ ହୃଦୁ
   ଛାଡିଲି ସବୁ ସଂଶୟ।
ପାଠପଢା ଗଲା ଚୁଲିକି ଫେସନ
    କରିଲି ହୋଇ ଅଥୟ।।
ଘରୁ କଲେଜ୍ ୟୁନିଫର୍ମ ପିନ୍ଧିଲି
    ଅଲଗା ପୋଷାକ ଥାଏ।
ଚିପା ଜିନସ୍ କୁ ହାତକଟା ଟପ୍
  ବ୍ୟାଗ୍ ରେ ମୁଁ ରଖି ଥାଏ।।
ଗାର୍ଲସ୍ କମନ୍ ରୁମ୍ ରେ ପୋଷାକ
    ପାଲଟି ଦିଅଇ ମୁହିଁ।
କ୍ଲାସ୍ ନଯାଇ ଟୋକାଙ୍କ ସାଙ୍ଗ ହୋଇ
    ବାଇକ୍ ପଛେ ବସଇ।।
ଦୁଇଗୋଡିଆ ସେ ଡାହାଳ କୁକୁର
    ଲାଳ ଗଡାନ୍ତି ଅଧୀରେ।
ଭାରି ମଜା ଲାଗେ ଇସାରା ବି ଦିଏ
    ମୁଁ କଥା କହେ ଆଖିରେ।।
ଫୋନ୍ ରେ ଚାଟିଂ କରି ପୁରୁଷ ବନ୍ଧୁ
   ମନଲାଖି ପାଇଯାଏ।
ଡେଟିଂ କରି ସେମାନଙ୍କ ସାଥେ ଟଙ୍କା
    ମନଇଚ୍ଛା ମୁଁ ଝଡାଏ।।
ଘରେ କହେ ଷ୍ଟଡି ଟୁର୍ ପଡିଥିଲା
    କେହି ଜାଣନ୍ତିନି କିଛି।
ମୂରୁଖ ସରଳ ବାପା ବୋଉ ମୋର
     ଭାବନ୍ତି ଝିଅ ପଢୁଛି।।
ବଡ ଚାକିରିଆ ସୁନ୍ଦରିଆ ବର
    ବାପା ଠିକ୍ କରି ଦେଲେ।
ଏତେ ସୁନ୍ଦରୀ ମୁଁ ବରଘର ଦେଖି
    ଠକ୍ କରି ରାଜି ହେଲେ।।
ଡିମାଣ୍ଡ ତାଙ୍କର କିଛି ନାହିଁ ବୋଲି
   ବାପାଙ୍କୁ ଜଣାଇ ଦେଲେ।
ସ୍ଵର୍ଗ ଅପ୍ ସରୀ ବୋହୂଟି ପାଇବୁ
   ମନ ଖୁସିରେ କହିଲେ।।
ନିର୍ବନ୍ଧ ଆମର ଠିକ୍ ସରୁଥିଲା
   ବାତରା ଟୋକାଟା ଜାଣିଲା।
ଡେଟିଂ ସମୟର ଅଶ୍ଳୀଳ ଫଟୋକୁ
    ସମସ୍ତଙ୍କୁ ଦେଖେଇଲା।।
କେଉଁଠି କ୍ୟାମେରା ଲୁଚାଇ ସେ ଥିଲା
   ଫଟୋ ଉଠାଇଲା କେମିତି।
ମତେ କିଛି ଜଣାନଥିଲା ସେକଥା
    ସାଜି ଥିଲି ପୁରା ସତୀ।।
ଭାବିଥିଲି ଭଲ ବରଘର ପାଇ
   ସୁଖର ସଂସାର କରିବି।
ପଛକଥାକୁ ବା କିଏ ମନେ ରଖେ
    ଧୀରେ ଧୀରେ ମୁଁ ଭୁଲିବି।।
ଯଦି ଅବା ମୋର ସ୍ବାମୀ ଜାଣିଦବ
    ଛାଡପତ୍ର ମତେ ଦବ।
ସରକାରୀ ଚାକିରିଆ ସେ ଯେହେତୁ
    ଭରଣପୋଷଣ ଟା ଦବ।।
କୁଢ କୁଢ ଟଙ୍କା ଗଣିଦବ ସିଏ
    ମଉଜରେ ମୁଁ ରହିଵି।
ଦେହ ତାତି ଯଦି ଉତ୍ତାଲା କରିବ
    ରାତିରେ ଟୋକାଙ୍କୁ ଡାକିବି।।
ଏତେ ସପନକୁ ରାତି ଅଣ୍ଟିଲାନି
     ବରଘର ଫେରିଗଲେ।
ହାର୍ଟ୍ ଆଟାକ୍ ହୋଇଲା ବାପାଙ୍କର
     ସେପୁରକୁ ଚାଲିଗଲେ।।
କାଠଟା ଭଳିଆ ବୋଉ ଚାହିଁ ଥିଲା
   ପଥର କି ହୋଇଗଲା !
ମାଆ ପେଟରୁ ତୁ କିଆଁ ନମଲୁ ଲୋ
   ଜେଜେ ମାଆ ସମ୍ପିଗଲା।।
ଆଲୋ ପୋଡାମୁହିଁ ମୁହଁ କଳା କରି
    କିମ୍ପା ତୁ ଫେରିଆସିଲୁ ?
ଯାହା ସାଥେ ତୁହି ଡାରେନାରେ ହେଲୁ
   ତା ସାଥେ କିଆଁ ନମଲୁ ?
ସୁନାଘର ଆଜି ଚୂନା ହୋଇଗଲା
    କେବଳ ତୋ କୀର୍ତ୍ତି ପାଇଁ।
କୁମ୍ଭୀର କାନ୍ଦଣା ଆଉ ତୁ ଦେଖାନା
    କେତେ ହଉଛୁ ସକେଇ ?
ବଙ୍କୁଲି ବାଡିରେ ମୋ ଜେଜେ ପାହାର
    ଉପରେ ପାହାର କଷିଲେ।
ବାହାରି ଯା ତୁ ଏଘରୁ ଏହି କ୍ଷଣି
   ମନ ଇଛା ଗାଳିଦେଲେ।।
ଏବେ ବୁଝୁଛି ମହାପାତକୀଟି ମୁଁ
   ମୋ ପାପର କ୍ଷମା ନାହିଁ।
ଭୁଲ୍ କରିଥିଲେ ପ୍ରାୟଶ୍ଚିତ ସିନା
   କରି ପାରିଥା’ନ୍ତି ମୁହିଁ !
ମହାପାପରୁ ଉଦ୍ଧାର କରିବାକୁ
   ଜଗତରେ କେହି ନାହିଁ।
ନର୍କେ ଘାଣ୍ଟି ହେବି ଯମଦଣ୍ଡ ଭୋଗି
    ଅନ୍ୟ ବାଟ କିଛି ନାହିଁ।।
ବାପା ବୋଉ ପରା ଜୀବନ୍ତ ଦେବତା
    ଆଖିରେ ନଦିଅ ଧୂଳି।
ମୋ ସରଣୀ କେହି ଅନୂସର ନାହିଁ
    ଏତିକି କରୁଛି ଅଳି।।

ମମତା ଶତପଥୀ

କେନ୍ଦ୍ରାପଡା

Related posts

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ କାର୍ଯ୍ୟଭାର ଗ୍ରହଣ

Sunil Chandra Nayak

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

Sunil Chandra Nayak

ଚିଲିଗୁଡା ନୀଳମାଧଵ ହାଇ ସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!