ବିଜୟା ଦଶମୀ
ଚନ୍ଦ୍ରକଳା ଦେବୀ
ଅଶ୍ୱିନ ମାସର ଶୁକଳ ଦଶମୀ
ବିଜୟା ଦଶମୀ ଜାଣ,
ବିଜୟର ନେତ ଉଡ଼ଇ ସର୍ବତ୍ର
ମା’କରନ୍ତି କଲ୍ୟାଣ ||
ସିଂହବାହିନୀ ମା’ଦୁର୍ଗତି ନାଶିନୀ
ଜଗତ କଲ୍ୟାଣୀ ମାଆ,
ଶକ୍ତି ପ୍ରଦାୟିନୀ ମୁକ୍ତି ପ୍ରଦାୟିନୀ
ଆଶିଷ ଦାୟିନୀ ମାଆ ||
ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ
ନବରୂପ ଧରି ମାତା,
ଦଶମୀ ଦିନରେ ଦୁର୍ଗତି ନାଶିନୀ
ଦୁର୍ଗାମା’ଜଗତଜିତା ||
ଘରଦ୍ୱାର ଲିପି ଝୋଟି ଆଦି ସ୍ଥାପି
ଘରେଘରେ ହୁଏ ପୂଜା,
ଅସ୍ତ୍ର ଶସ୍ତ୍ର ସବୁ ମାଆଙ୍କ ଆୟୁଧ
ପୂଜା ପୀଠେ ହୁଏ ସଜା ||
ନାନାବିଧ ପିଠା କ୍ଷିରୀ ଓ ଖେଚୁଡ଼ି
ମାଆ କରିଥାନ୍ତି ପୂଜା,
ଦଶରା ପରବ କୃଷିଭିତ୍ତିକ ଯେ
ଭାଇଚାରା ଭାବେ ବନ୍ଧା ||
ପ୍ରଭୁ ରାମଚନ୍ଦ୍ର ସୀତା ଉଦ୍ଧାରିଲେ
ଦୁଷ୍ଟ ରାବଣ ବଧିଣ,
ଅଯୋଧ୍ୟା ନଗ୍ରକୁ ବିଜୟର ବାର୍ତ୍ତା
ବିଜୟା ଦଶମୀ ନାମ ||
ଆଦ୍ୟାଶକ୍ତି ଦୁର୍ଗା ମହିଷାସୁରକୁ
ବଧିଥିଲେ ଏହିଦିନ,
ଅସତ୍ୟ ଉପରେ ସତ୍ୟର ପ୍ରତିଷ୍ଠା
ଅଧର୍ମ ଉପରେ ଧର୍ମ ||
ଆସ ଅବତରୀ ଏ ଧରା ଧାମକୁ
ଏଇ ଅନୁରୋଧ ମୋର,
ଏ ସଙ୍କଟ କାଳେ ଉଦ୍ଧାର କରିଣ
ମହୀ ଦୁଃଖ ଦୂର କର ||
ବନ୍ଧୁଗାଁ,କୋରାପୁଟ