କୁମାର ପୂର୍ଣ୍ଣିମା
ଆସିଛି ଆଜି ଏ କୁମାର ପୂର୍ଣ୍ଣିମା
ହସଖୁସି କେତେ ନେଇ,
ଗାଆଁଠୁ ସହର ଉଛୁଳି ପଡ଼ୁଛି
ଏଇ ପରବର ପାଇଁ l
କୁମାରୀ ଆଖିରେ ଆଖିଏ ସପନ
ଦେଖି ଶାରଦୀୟ ଚାନ୍ଦ,
ଝଟକି ଉଠୁଛି ସରଗ ସୁଷମା
ସର୍ବେ ଦେଖି ଆନନ୍ଦିତ l
ଆସିଛି କି ସତେ ଚନ୍ଦର ଉଦିଆ
ପକ୍ଷୀରାଜ ଘୋଡ଼ା ଚଢ଼ି,
ଚୋରି କରି ନବ ମନ ତାର ସିଏ
ଆସିବ ଯେ ଶୁଭ ଘଡ଼ି l
ସବୁ ସୁଖ ତାକୁ ଦିଏ ସିଏ ଯାଚି
ପାଇ ସାନ୍ନିଧ୍ୟ ତାହାର,
ଆଶା ତା’ର ରୂପ ପାଇଯିବ ଦିନେ
ଜହ୍ନ ପରି ହେବ ବର l
ଗଢ଼ିବ ସେ ନିଜେ ସୁନାର ସଂସାର
ଦେଇ ସବୁ ପ୍ରେମ ରଙ୍ଗ,
ହୋଇବ ତାହାର ଜୀବନ ସଫଳ
ପାଇ ସେନେହ ସରାଗ l
ଆକାଶେ କୁସୁମ ଖସି ପଡ଼ୁଛି କି
ମୁକ୍ତାର ଶିଶିର ବିନ୍ଦୁ,
ଝରା ଶେଫାଳିର ସୁଗନ୍ଧେ ଝରୁଛି
ହସୁଛି ପୂର୍ଣ୍ଣିମା ଇନ୍ଦୁ l
କହୁଛି ସେ ଖାଲି ମନକଥା ଖୋଲି
ସଖୀ ସଙ୍ଗାତଙ୍କ ମେଳେ,
ହେବ କି ନ ହେବ ଏ ଜନମେ ଭେଟ
ମନେ ମନେ ସିଏ ଭାଳେ l
କୁମାରୀ ଜନମ ସ୍ରଷ୍ଟାଙ୍କର ସୃଷ୍ଟି
ପାଦେ ପାଦେ ତା’ ବିପଦ,
ସୁଖରେ କଟୁ ତା’ ଜୀବନର ଯାତ୍ରା
ଲଭୁ ସ୍ବର୍ଗୀୟ ଆନନ୍ଦ l
ଶ୍ରୀ ଅଶୋକ କୁମାର ନାୟକ
କେନ୍ଦୁଢ଼ିପି, ନୟାଗଡ଼