ଏଇମିତି ବର୍ଷାରାତି
ଜ୍ୟୋତ୍ସ୍ନା ରାଣୀ ଦେବୀ
ଏଇମିତି ବର୍ଷାରାତି ଭିଜୁଥିଲା ଗଗନେ
ମନ ମୋର ଭିଜୁଥିଲା ଲହଡିର ସପନେ
କେମିତି କେଜାଣି ସତେ ବାଉଳା ସେ ପବନ
ଆଲୁଳା କେଶକୁ ଚୁମି ଛୁଉଁଥିଲା ଲପନ ।
ଆନମନା ମନ ମୋର
ଭାବନା ରାଇଜେ ବସି ଆଙ୍କୁଥିଲା ଛବି ତାର ।
ଥିରଥିରି ଛୁଉଁଥିଲା ପରାଣର ସ୍ପନ୍ଦନ
ଶିହରିତ ତନୁମନ ଭିଜାଇ ଏ ବର୍ଷଣ
ଅମାନିଆ ମନ ତଳେ ତୋଳୁଥିଲା ନିଶାଣ
ସ୍ମୃତିର ଗହନ ବନେ କରି କେତେ କର୍ଷଣ
ଲାଜଲାଜ ଭାବନଈ
ସାଗର ବେଳାକୁ ଧିରେ ଯାଉଥିଲା ଛୁଇଁଛୁଇଁ ।
ଏଇମିତି ଭିଜିଭିଜି ଗାଉଥିଲି ସଂଗୀତ
କଳ୍ପନାର ରଜାପୁଅ ଥିଲା ପାଶେ ସତତ
ଉଡୁଥିଲୁ ବୁଡୁଥିଲୁ ବରଷାର ସାଥିରେ
ମାଟିର ସୁଗନ୍ଧ ଧରି ଭିଜାଭିଜା ରାତିରେ
ଚୁପଚୁପି କାନେ ମୋର
କେତେ କଥା କହୁଥିଲା ରିମିଝିମି ବର୍ଷାଧାର ।
ଗହନ ଲତିକା କୋଳେ ଭିଜିଭିଜି କୁସୁମ
ଝୁଲଝୁଲି ଫୁଲିଫୁଲି ନାଚୁଥିଲା ଅସୀମ
ଝୁମିଝୁମି ଝରଣାଟା ଧାଉଁଥିଲା ଆଗକୁ
ପ୍ରୀତିର ଗହଣା ପିନ୍ଧି ତୋଳୁଥିଲା ରାଗକୁ
ଏଇମିତି ବରଷାରେ
ଅମାନିଆ ମନ ମୋର ଝୁରିଝୁରି ତାକୁ ମରେ ।
ଏଇମିତି ବର୍ଷା ତୁ ରେ ଆସୁଥା ମୋ ଗାଁ ରେ
ଏଇମିତି ଭିଜୁଥିବି ହଜୁଥିବି କାହାରେ
ନ ସରୁ ପ୍ରତୀକ୍ଷା ମୋର ଅନ୍ତହୀନ ଦିଗନ୍ତ
ନ ସରୁ ତୋ ଝଙ୍କାରରେ ମଙ୍ଗଳର ସଂଗୀତ
ତୁ ଥିବୁ ପାଶେପାଶେ
ହଜୁଥିବି ଭିଜୁଥିବି ନିର୍ବାଣ ନ ଥିବ ଆଶେ ।
ବ୍ରହ୍ମପୁର, ଗଂଜାମ