ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା କାକ ସଭା

   କାକ ସଭା

                    ଅପର୍ତ୍ତି ସେଠୀ

    (ରମ୍ୟ ରଚନା,ପିତୃଋଣ)
ଗାଁ ଶେଷ ମୁଣ୍ଡ ବରଗଛ ମୂଳେ
       ମିଳିଲେ ଅନେକ କାକ, 
ବିଶେଷ ମିଟିଙ୍ଗ୍ କରିବା ପାଇଁକି
       ହେଲେ ସେଠି ଉପସ୍ଥିତ।
ଡାମରା କାଉଟି ସଭାପତି ଭାବେ
       ଆସନ ଗ୍ରହଣ କଲେ,
ରାଉରାଉ ହୋଇ ସଭାର ଉଦ୍ଦେଶ୍ୟେ
       ସ୍ଵାଗତ ବକ୍ତବ୍ୟ ଦେଲେ।
କହିଲେ ମୋ ପ୍ରିୟ କାକ ବନ୍ଧୁମାନେ
       ଶୁଣ ହେ ମୋର ବଚନ,
ମଣିଷ ଜାତିଟା କାହିଁ ଭୁଲିଯାଏ
       ନିଜ ହିତାହିତ ଜ୍ଞାନ? 
ଆଜିର ଆଲୋଚ୍ୟ ବିଷୟ ହେଉଛି
       ପିତୃଋଣ ସମ୍ପର୍କରେ,
ପିତା ମାତା ଆଜି ଅବହେଳିତ ଯେ
       କାହିଁ ପାଇଁ ବୃଦ୍ଧକାଳେ? 
ଶେଷ ନିଃଶ୍ୱାସଟି ଛାଡିବା ପୂର୍ବରୁ
        ତୀର୍ଥ ଯାତ୍ରା ବଦଳରେ,
ଜରାଆଶ୍ରମକୁ ଆଦରି ନିଅନ୍ତି
        ପିତାମାତା ବୃଦ୍ଧ କାଳେ।
ଶାସ୍ତ୍ର କହେ ଜନ୍ମଦାତା ମାତା ପିତା 
        ସନ୍ତାନ ପାଇଁ ଦେବତା,
ବଞ୍ଚି ଥାଉଁ ଥାଉଁ ତାଙ୍କୁ ପିଲାମାନେ
        କରନ୍ତି କେତେ ହୀନସ୍ତା।
ଚାକିରୀ କରିଲେ ସହରେ ରହିଲେ
        ହସ ଖୁସି ମ‌ଉଜରେ,
ବୁଢ଼ା ବୁଢ଼ୀ ହାତେ ରାନ୍ଧି ଖାଉଥାନ୍ତି
       ପରିଣତ ବୟସରେ।
ଜୀବ ଥିଲାବେଳେ ଦେହ ପା’ବେଳେ
       ନାହାନ୍ତି ଯଦି ପିଲାଏ ,
ମଲାପରେ ଯେତେ ଯାହାକୁ ଭୋଜନ
       କିଲାଗି ଏ ଶୋଭା ପାଏ?
ଗୋଇଠା ମାଡ଼ରେ ମାଆ ହସୁଥିଲା
       ପୁଅ ଯେବେ ଗର୍ଭେ ଥିଲା,
ଆଜି ବୃଦ୍ଧ କାଳେ ସେହି ଗେହ୍ଲା ପୁଅ 
       ପୁଣି ଗୋଇଠା ମାରିଲା।
ବୃଢା ବାପଟିର ଅରୁଚି ପାଟିଟା
       ଆଇଁଷକୁ ଝୁରୁଥାଏ,
ଶଳା ଶଶୁରଙ୍କୁ ଖୁସି କରିବାକୁ
       ମଟନ ଚିକେନ ହୁଏ।
ମଲା ପରେ ନିଜ ଖାତିରି ପାଇଁକି
       ଭୁରୀ ଭୋଜନ ବ୍ୟବସ୍ଥା,
କାହାକୁ ଭୋଜନ ଦକ୍ଷିଣା ଜାଚିଲେ
       ମୋକ୍ଷ ହେବେ କି ସେ ଆତ୍ମା?
ବରଂ ଦୁଃଖୀ ,ରଙ୍କି,ସାଧୁ ପ୍ରତି ଯଦି
       ଦାନ ଦକ୍ଷିଣା ମିଳନ୍ତା,
ଠିକ୍ ଶ୍ରଦ୍ଧାଞ୍ଜଳୀ ନିଶ୍ଚୟ ହୁଅନ୍ତା
       ଖୁସି ହୁଅନ୍ତେ ସେ ଆତ୍ମା।
ପୁରୋହିତ କହେ ପୁଷ୍କର ଲାଗିଛି
       ଖର୍ଚ୍ଚ କଲେ ଛାଡିଯାଏ,
ହେଲେ ଯିଏ କହେ ତାଙ୍କ ଘରେ ପୁଣି
       ପୁଷ୍କର କି ଲାଗି ଥାଏ? 
ସଭାପତିଙ୍କର ଏହି କଥା ପାଇଁ
       ତାଳି ଶୁଭେ ଘନ ଘନ,
ଉଚିତ କଥା ଏ ବାଃ ବାଃ ଶବ୍ଦେ
       କମ୍ପିଗଲା ସଭା ସ୍ଥାନ।
ଆସେ ଦିପାବଳୀ ପୁଣ୍ୟ ଅମାବାସ୍ୟା
       ଶୁଝିବାକୁ ପିତୃଋଣ ,
ମ‌ଉଳା ଶ୍ରାଦ୍ଧ ଓ ପୟା ଶ୍ରାଦ୍ଧ ନାମେ
       ଜାଣ ପବିତ୍ର ବିଧାନ।
ବଡବଡୁଆଙ୍କୁ କାଉଁରିଆ କାଠି
       ଘିଅଦୀପ ଆବାହନେ,
ଆଶୀର୍ବାଦ ମିଳେ ପିତୃପୁରୁଷଙ୍କ
       ସଂସାର ଏକଥା ଜାଣେ।
ପୁରୁଷୋତ୍ତମ ଶ୍ରୀରାମ ଠାକୁରଙ୍କ
       ଏ ପରା ଅଟେ ଆଦର୍ଶ ,
ମଣିଷ ଏହାକୁ ଯଦିବା ମାନିବ
       ସୁଖେ ବଞ୍ଚିବ ଅବଶ୍ୟ।
ସଭାପତିଙ୍କର ପୁନଃ ନିବେଦନ
        ଗୋଟିଏ ନିଷ୍ପତ୍ତି ପାଇଁ,
କହିଲେ ହେ ଶୁଣ ପ୍ରିୟ ବନ୍ଧୁଗଣ
        ସମୟ ଆସିଛି ଭାଇ।
ଆଜି ଏ ସଭାରେ ଶପଥଟି ନେବା
        ସେହି ପିତାମାତା ପାଇଁ,
ବୃଦ୍ଧକାଳେ ତାଙ୍କୁ ଯେଉଁ ପୁଅମାନେ
        ଅଣଦେଖା କରୁଥାଇ।
ସେମାନଙ୍କଠାରୁ ପାଣି ମୁନ୍ଦେ କେବେ
 ‌ ଗ୍ରହଣ କରିବା ନାହିଁ,
ଏତିକି କଥାରୁ ସଭା ସାଙ୍ଗ ହେଲା
        ଧନ୍ୟବାଦ ଦେଲି ମୁହିଁ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଲାବଣ୍ୟ ମୟି ମୌସୁମୀ

Sunil Chandra Nayak

Leave a Comment

error: Content is protected !!