ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ କବିତା ସ୍ବାଭିମାନ

      ସ୍ବାଭିମାନ

            ସନ୍ତୋଷ କୁମାର ସାହୁ

ଦେଖ ଦେଖ ଜାତି କେମିତି ଶୋଇଛି
ନିର୍ଜୀବ ପରି ଦେଖ
ନୂଆପିଢ଼ି ଭିଡ଼ି ବୋହିଲେଣି ଗୁଡ
ଆମେ କଣ୍ ସବୁ ମୂର୍ଖ।
ହେଇଟି ହେଉଛି, ହୁଟି ହଉଛି
ଗଡିଯାଏ ମାସ ବର୍ଷ
ଭୂତେଇ ଭାତେଇ ଦିନ ଯେ ଗଡୁଛି
ତୁଚ୍ଛ ବିଚାର ବିମର୍ଷ।
ତିରିଶି ବରଷ ଝାଳବୁହା କର୍ମ
କି ମିଳିଲା ବାରେ କହ
ହୀନିମାନ ହୋଇ ପରିବାର ଚଳେ
ଶିକ୍ଷକ ଢାଳଇ ଲୁହ।
ଥୋଡାଏ ନେଲେଣି ଅବସର ପରା
ଦଳେ ଗଣୁଛନ୍ତି ଦିନ
ନୁଖୁରା ବାଳରେ ତେଲ ଲାଗୁନାହିଁ
ଘାଣ୍ଟି ହୁଏ ପୋଡ଼ାମନ।
ଦୁଃଖ ନିର୍ଯାତନା ଭୋଗେ କର୍ମଚାରୀ
କେତେ ମାନସିକ ରୋଗୀ
ସଂସାର ଭିତରେ ଘର ସିନା ଅଛି
ଚଳଣୀଟା ମହାଯୋଗୀ।
ମଧୁମେହ ରକ୍ତଚାପ ଆକ୍ରମଣେ
ଭୋଗ ଯୁଗ ହେଲା ଶେଷ
ଗଣୁଛନ୍ତି ଏବେ ଅକାଳ ବାର୍ଦ୍ଧକ୍ୟ
ହଜିଲାଣି ମନୁ ହସ।
ତିରିଶି ଛପନ ପାଇକି କେତେକ
ଅନ୍ୟ ବ୍ୟବସାୟ ଚାଷ
ଭାବିଛକି ଥରେ ଜୀବ ଛାଡ଼ିଗଲେ
ପରିବାର ହେବ କିଶ।
ବେଳ ଥାଉଥାଉ ବନ୍ଧ ବାନ୍ଧ ଭାଇ
ତନ୍ଦ୍ରାକୁ ବାରେ ଭାଜି
ସକଳେ ତେଜିଲେ ଦୁର୍ଦ୍ଦିନ ହଟିବ
ସରକାର ହେବ ରାଜି।
ଉଠ ଦୁର୍ବଳ ନେତା ଆଉ ଭକ୍ତା
ଦଣ୍ଡେ ପରିବାର ତେଜ
ଅଣ୍ଟାଭିଡ଼ି ପାଦ ପକାଅ ସଂଗ୍ରାମେ
ଘେନି ନୂଆ ବଳ ବୀର୍ଯ୍ୟ।
ଆଉ କେତେ ଦିନ ହୋଇବା ହୀନସ୍ତା
ଭାଗ୍ୟେ କଣ ଲୋକହସା
ବଞ୍ଚିବା ଅପେକ୍ଷା ମରିଯିବା ଭଲ
ହେବା ନାହିଁ କଣ ଠେଶା।
ଉତ୍କଳର ନେତା ନାରାୟଣ ଭାବି
ଘରେ ଶୋଇଲେ କି ଲାଭ
ଆନ୍ଦୋଳନ ପନ୍ଥା ସ୍ଥିରକର ବେଗି
ନବୀନଠି ରଖି ଭାବ।
ଶେଷଥର ପାଇଁ ତେଜିଦିଅ ସବୁ
ମନୁ ଛାଡ ଅଭିମାନ
ଛଡେଇ ଆଣିବା ଶିକ୍ଷକ ସମ୍ମାନ
ଶିକ୍ଷକର ସ୍ବାଭିମାନ।

ନବରଙ୍ଗପୁର

Related posts

ଉପେନ୍ଦ୍ର ବସ୍ତିଆ ଙ୍କ କବିତା ମୈତ୍ରୀ ମନ୍ତ୍ର 

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

Sunil Chandra Nayak

ପରୀକ୍ଷା ସମୟ ପରିବର୍ତ୍ତନ ପାଇଁ ପରାମର୍ଶ

Sunil Chandra Nayak

Leave a Comment

error: Content is protected !!