ଉଜ୍ଜଳ ଅନ୍ଧାର
ନିଗାଡି ଉତ୍ତାପ ମାପେ ଯେବେ ପାପ
ପବିତ୍ରତା ଭରି ମନେ..
ମନ ଦେଲେ ଯୋଡ଼ି ପ୍ରିୟା ଯିବ ଉଡି
ଛାଇ ଆଲୁଅ ଗଗନେ l
ଗଗନେ ପ୍ରତୀକ୍ଷା ସେ ସ୍ବପ୍ନ ନାୟିକା
ମହମ ପରି ଯେ ଜଳେ
ଜଳି ଜଳି ନିଜେ କା’ ପ୍ରେମିକା ସାଜେ
ଶୂନ୍ୟେ ପ୍ରୀତି ସୁଧା ତୋଳେ l
ତୋଳେ ଅନୁରାଗ ହୃଦୟ ବିଭବ
ପରମ୍ପରା ପ୍ରତାରଣା
ପୁରୁଷ ପଣରେ ଫମ୍ପା ଅହଂକାରେ
ଭାବ କି ହୋଇବ ଊଣା….!!!
ଊଣା ହୁଏ ମନ ଅବିଶ୍ୱାସି ଜନ
କଲେ ଅବାନ୍ତର ପ୍ରଶ୍ନ
ଆଉ ଏକ ପାପୀ ଆସେ ଚୁପି ଚୁପି
ହୃଦୟେ ମିଠା ଦହନ l
ଦହନ ତ ଘନ ବିରଳ ବି ଲଗ୍ନ
ନିଷିଦ୍ଧ ତୃଷ୍ଣା ର ତୀରେ..
ପାଣିର ଛଳନା ମୃଗତୃଷ୍ଣା ସିନା
ନିର୍ବାସିତ ଆଖି ନୀରେ l
ନୀର ବୈତରଣୀ ବହଇ ଉଜାଣି
ମୁହୂର୍ତ୍ତ ବି ନିରୁତ୍ତର…
ନାହିଁ କିଛି ସ୍ବାର୍ଥ ତଥାପି କୃତାର୍ଥ
ଭାବେ ସିନା ଆପଣାର l
ଆପଣାର ପଣ ହୁଏ ନାହିଁ ଗୈାଣ
ଥାଉ କି ନଥାଉ ଭାଗ୍ୟେ…
ଅବୈଧ ସନ୍ତାନ ସତେ ନେତ୍ର ହୀନ
ଗୁପ୍ତ ପ୍ରଣୟ ର ରାଗେ l
ରାଗ ସେ ଆତ୍ମୀୟ କରେ ଅସହାୟ
ପୁରୁଷାର୍ଥ ହୁଏ ଠକି…
ଲୋଡେ ପୂର୍ଣ୍ଣଚନ୍ଦ୍ର ଅବା ପୂର୍ଣ୍ଣଛେଦ
କାଳ କେ’ ପାରିଛି ଫାଙ୍କି l
ଫାଙ୍କିଲେ ଆଲୁଅ , ଅନ୍ଧାର ର ଜୟ
ପାପ ପବିତ୍ର ରେ ଭରା
ଗ୍ଳାନି ଯାଏ ଘୁଞ୍ଚି ସୁଧା ବାରି ସିଞ୍ଚି
ସଂସାର ଲାଗଇ ତୋରା ।
ତୋରା ବି ଈଶ୍ୱର ମୁହଁ……..
ଲୁଣ୍ଠିତା କୁଆଁରୀ- କନ୍ୟା ହୁଏ ଘାରି
ଆଖିରେ ଶ୍ରାବଣ ସୁଅ l
ସୁଅ ଧାରେ ଏ କବିତା….
କୁଣ୍ଠିତ ଶ୍ରାବଣେ ଅଶ୍ରୁଳ ନୟନେ
ଭିଜୁଛି ‘ଅପରିଚିତା ।
ଶୁଭଦର୍ଶିନୀ ସଂଯୁକ୍ତା ସାହୁ
ଢେ଼ଙ୍କାନାଳ