ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଦର୍ଶିନୀ ସଂଯୁକ୍ତl ସାହୁ ଙ୍କ ଗଳ୍ପ ରୋଡ ରୋମିଓ

      ରୋଡ୍ ରୋମିଓ 

ଆସନ୍ନ ସନ୍ଧ୍ୟାର ଗୀତିମୟ ବେଳା,ପାଖ ମନ୍ଦିରରେ ଘଣ୍ଟ ଘଣ୍ଟା ଆଳତିର ନିନାଦିତ ସୁର ଝଙ୍କାର…ପୂଜା ଶାଢୀ ପାଲଟି ଠାକୁର ଘରକୁ ପଶିଗଲେ ସ୍ନିଗ୍ଧା ,ଆଜି ଟିକେ ଜଲ୍ଦି ସନ୍ଧ୍ୟା ଧୂପ ଓ ଆଳତି ସାରିବାକୁ ପଡ଼ିବ, ରବିନ୍ଦ୍ର ମଣ୍ଡପ ରେ ଏକ ସାହିତ୍ୟ ଆସର ଅଛି ଓ ତତ୍ ସହିତ ଏକ ସୁନ୍ଦର ନାଟକ ପରିବେଷଣ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି ,ବାର ବାର ଫୋନ୍ କରି ଯିବାପାଇଁ ଶାଶ୍ଵତି ଡାକିଛି ।। ରବୀନ୍ଦ୍ର ମଣ୍ଡପରେ ନାଟକ ଦେଖିବାର ଅଭୀପ୍ସା ତା’ର ଅନେକ ଦିନରୁ ମନରେ ସାଇତା ହୋଇ ରହିଛି…ହେଲେ କେବେ ବି ସେ ସୁଯୋଗ ପାଇ ପାରିନି… ଅର୍ଥାତ୍ ସମୟ ସାଉଁଟି ପହଞ୍ଚି ପାରିନି,ଆଜି ଯେମିତି ହେଲେ ଯିବା ପାଇଁ ପ୍ରସ୍ତୁତ ହୋଇଛି ସେ ମନେ ମନେ….।।

      ପୂଜା ଘରୁ ଏତେ ଶୀଘ୍ର ମା’ଙ୍କୁ ବାହାରିବା ଦେଖି ଆରମ୍ଭ ହୋଇଗଲା ପୁଅର ଛିଗୁଲା….

ମାମା…ଆଜି ତୋ ଠାକୁର ତୋତେ ଗାଳି କଲେ ନାଁ…..!!!

ଜାଣିଛି ପରା ନିଶ୍ଚିତ ଭାବରେ ରାଗିଥିବେ….

ଏତେ ଲୋକ ତାଙ୍କ ପଛରେ ଲାଗିଛନ୍ତି କେବଳ ନିଜର ସ୍ବାର୍ଥ ସକାଶେ… କ’ଣ ନାଁ…ଏଇ କାମଟା ହୋଇ ଯାଉ ୨୧ ଟା ନଡ଼ିଆ ପିଟିବି…ଅମୁକ କାମଟା ହୋଇଗଲେ ଜାକ ଜକମ ପୂଜା କରିବି… ଆହୁରି କେତେ କ’ଣ….ଏ ସବୁ ଶୁଣି ଶୁଣି ସେ ପୁରା ବୋର୍ ହେଉଥିବେ ନାଁ….କାହାକୁ କେତେ କ’ଣ ଦେବେ…!!! ବିଚରା ଲିଷ୍ଟ କରି କରି ଥକି ଗଲେଣି ସିନା , ଲୋକଙ୍କ ଫରମାସି ସରୁନି….

ହେଲେ ପାଇଲା ବେଳକୁ ପଚା କଦଳୀ ଓ ଟାଣୁଆ ନଡ଼ିଆ…ସେଗୁଡା କି ଖାଇ ହୁଏ….!!! 

            ଅନ୍ୟ ଦିନ ହୋଇଥିଲେ ପୁଅ ସହ ଯୁକ୍ତି କରି ବୁଝେଇ ଥାଆନ୍ତେ ଓ ନମାନି ଥିଲେ ଠାକୁର ଙ୍କୁ ଶହେ ମୁଣ୍ଡିଆ ମାରି ପୁଅ ପାଇଁ କ୍ଷମା ପ୍ରାର୍ଥନା କରିଥାନ୍ତେ….କିଛି ଉତ୍ତର ନଆସିବାରୁ ସୁରେଶ ଘର ଭିତରକୁ ଉଙ୍କି ମାରିଲା ଓ ମା’ଙ୍କ ଗେଟପ୍ ଦେଖି ହସିଦେଇ କହିଲା… ଓଃ…. ବିଗ୍ ବଜାର ଯିବୁ କି ମାମା…!!! ସ୍ନିଗ୍ଧ ହସି ସ୍ନିଗ୍ଧା କହିଲେ…, ନାଁ ରେ ବାବା…ଚାଲିଲୁ ଟିକେ ରବୀନ୍ଦ୍ର ମଣ୍ଡପରେ ଛାଡି ଦେଇ ଆସିବୁ…।।ଫେର୍ ଚିଡ଼େଇବା ପାଇଁ କହୁଛି…ମାମା…କାର୍ କି ବାଇକ୍ ବାହାର କରିବି ଯେ…. ମୁହଁ ରେ ମନ୍ଦ ମନ୍ଦ ହସ ଆଣି ମା’ କହିଲେ…ଥାଉ ତେବେ ମୁଁ ଚାଲି ଚାଲି ଯିବି. …. କାହିଁକି ମୋ ପୁଅ ଏତେ ମେହେନତ କରିଵ……!!!!!

                   ଯାଇ ପହଞ୍ଚିଲା ବେଳକୁ ଆରମ୍ଭ ହୋଇ ସାରିଥିଲା କାର୍ଯ୍ୟକ୍ରମ…ଯାହାଙ୍କ ଭାଷଣ ଶୁଣିବାକୁ ଏତେ ଆଗ୍ରହ ରେ ଆସିଥିଲେ ସେ….ତାହା ବି ସରି ଯାଇଥାଏ…, ମଞ୍ଚ ଉପରେ ଆସୀନ ଥାଆନ୍ତି ମୁଖ୍ୟ ଅତିଥି ତରୁଣ କାନ୍ତି ଜେନା …. ମୁହଁ ରେ ପରିତୃପ୍ତିର ମୃଦୁ ମନ୍ଦ ହସର ଫୁଲଝରି , ଦୂରରୁ ଦେଖି ବସିବାକୁ ଇଙ୍ଗିତ କରନ୍ତେ….. ନମସ୍କାର ପୂର୍ବକ ନିଜର ଆସନ ଗ୍ରହଣ କଲେ ସ୍ନିଗ୍ଧା..

                      ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଉପାରନ୍ତେ ହଠାତ୍ ଜଣେ ବ୍ୟକ୍ତି ଆସି ହସହସ ମୁହଁ ରେ ଅଭିବାଦନ ଜଣାଇଲେ ଆଉ କହିଲେ ଚିହ୍ନି ପାରିଲେ ମାଡାମ…!!!

ମନେ ପକାଇବାକୁ ଚେଷ୍ଟା କରି ବିଫଳ ହେଲେ ସିନା…. କିନ୍ତୁ କହି ପାରିଲେନି ଯେ… ନାଁ ଚିହ୍ନି ପାରୁନି ସତରେ….

ହଁ…କେହି ବି ହୋଇ ପାରନ୍ତି ଫେସବୁକ୍ ର କବି କି ଲେଖକ….

ଅନ୍ୟ ବନ୍ଧୁମାନଙ୍କ ସହ ଗପ ଯୋଡ଼ି ଦେଲେ ସେ….

ମିତା ପଚାରୁଛି… ନାନୀ ଏତେ ଲେଟ୍ ରେ ଆସିଲ କାହିଁକି… ତମକୁ ବାର ବାର କହିଛି ଛ’ଟା ବେଳକୁ ଆସି ପହଞ୍ଚିବା ପାଇଁ…!!

କିଛି ଉତ୍ତର ଦେବା ଆଗରୁ ପୁଣି ସେହି ମହାଶୟଙ୍କ ଆତୁରତା..

ଭରା ପ୍ରଶ୍ନବାଚୀ….ମନେ ପଡ଼ିଲା ନାଁ …!!!

             ଏଥର ମୁହଁ ଖୋଲିଲେ ସ୍ନିଗ୍ଧା….ସତରେ ମ… ଚିହ୍ନି ପାରୁନି… କହି ଦେଲେ ଅସୁବିଧା କ’ଣ ଯେ….

ମନ ଦୁଃଖ କରି ବଡ ନିମ୍ନ ସ୍ବର ରେ କହିଲେ…ମୋ ସହ ଫୋନ୍ ରେ କଥା ହୋଇ ବି ଜାଣି ପାରିଲନି କେମିତି….!!!

          ପଛରୁ ପ୍ରତିଭା କହିଲା …ସେ ପରା ମନୋରଞ୍ଜନ ଦାସ….

ଚିହ୍ନି ପାରୁନ… ସଭିଙ୍କର ମନକୁ ପରା ରଞ୍ଜନ କରିବା ତାଙ୍କର ପ୍ରଥମ ଓ ପ୍ରଧାନ କାମ…

ସମ୍ମିଳିତ ହାସ୍ୟ ରୋଳ ରେ ମୁଖରିତ ହୋଇ ପଡିଲା କିଛି ସମୟ ପାଇଁ ଆସରଟି…।। 

                     ନାଟକ ଆରମ୍ଭ ନହୋଉଣୁ ଘରୁ ଫୋନ୍ ଆସିଲା ମହାମହିମ ପତି ଦେବଙ୍କର….ବାଙ୍ଗାଲୋରରୁ ଦିଅର ମଣି ଆସିଛନ୍ତି… ଭାଉଜଙ୍କୁ ଦେଖା କରି ଫେରି ଯିବେ…ଜଲ୍ଦି ଯିବାର ପରୱାନା ଜାରି କରି ପୁଅକୁ ପଠାଇଲେ ସେ….

କାହାକୁ କିଛି ନକହି ବାହାରି ଆସିଲେ ସ୍ନିଗ୍ଧା…।।

ଘରେ ପହଞ୍ଚିଲା ବେଳକୁ ମିତା ତିନି ଥର ଫୋନ୍ କରି ସାରିଲାଣି, କଥା କ’ଣ ବୁଝିବା ବେଳକୁ…. କ’ଣ ନାଁ… ତମକୁ ମନ ଭାଇନା ଖୋଜୁଛନ୍ତି… ଆଚ୍ଛା ହଉ କଥା ହୋଇଯିବି ଫୋନ୍ ରେ କହି ଫୋନ୍ କାଟିଦେଲେ ସ୍ନିଗ୍ଧା….ଏତେ ଆଉ ଗୁରୁତ୍ୱ ନଦେଇ ଦିଅର ମଣିଙ୍କ ପରିଚର୍ଯ୍ୟା ରେ ଲାଗିଗଲେ ସେ…..

ସବୁ କାମ ସାରି ଶୋଇବାକୁ ଗଲା ବେଳକୁ ପୁଣି ଥରେ ଫୋନ୍ କୁ ଚେକ୍ କରି ଶୋଇଯିବା ଏକ ଚିରାଚରିତ ଅଭ୍ୟାସ ତାଙ୍କର…

ଦେଖିଲା ବେଳକୁ ମେସେଜ ଆସିଛି…. କଲ୍ ମି ପ୍ଳିଜ୍….

ଏତେ ରାତିରେ କ’ଣ ଆଉ କଲ୍ କରିବେ ଭାବି ଫୋନ୍ କୁ ଅଫ୍ କରି କ୍ଳାନ୍ତ ଶରୀରକୁ ବିଛଣାରେ ଲୋଟାଇଦେଇ ଗଭୀର ନିଦରେ ଶୋଇ ପଡିଲେ ସେ…..।।

ପରଦିନ ସକାଳେ କଲ୍ ଉପରେ କଲ୍ ଓ ମେସେଜ…

ଆପଣଙ୍କ ସହିତ ସାକ୍ଷାତ ହେବାଟା ବଡ଼ ଭାଗ୍ୟ ର ବିଷୟ…

ହେଲେ ଦୁର୍ଭାଗ୍ୟବଶତଃ ଟିକେ ଵି କଥା ହୋଇ ପାରିଲିନି ଆପଣଙ୍କ ସହ… ଠିକ୍ ଅଛି ଏବେ କୁହନ୍ତୁ ….

କ’ଣ ଆଉ କହିବି ….ଦେଖା ହୋଇ ଫେସ୍ ଟୁ ଫେସ୍ କଥା ହେବାର ସ୍ବାଦ ନିଆରା ନିଶ୍ଚୟ… ଆପଣଙ୍କୁ ଏମିତି ହଠାତ୍ ଅଚାନକ ଦେଖି ମୁଁ ବିହ୍ଵଳିତ ହୋଇ ପଡିଲି ସତରେ… ଭାବିଲି ଯାହାହେଉ ଏତେଦିନ ପରେ ଠାକୁର ମୋ ଡାକ ଶୁଣିଲେ….ହେଲେ ଆପଣ ଏମିତି ଚାଲି ଯିବାକୁ ମୁଁ ଜମାରୁ ଚାହୁଁ ନ ଥିଲି….

କିଛି ଉତ୍ତର ଦେବାକୁ ଅନୁଚିତ ମନେ କରୁଛନ୍ତି ସ୍ନିଗ୍ଧା… ଇସ୍ ଲୋକଟା ପାଗଳ ନାଁ କ’ଣ….!!!

ଏତେ ପ୍ରଵଣତା ର ଉଚ୍ଛ୍ୱାସ କୁ କାହିଁକି ଅନୁମୋଦନ କରିବେ ସେ…

ଫୋନ୍ କାଟିଦେଲେ ସ୍ନିଗ୍ଧା…

ପୁଣି ଫୋନ୍ ବାଜିଲା… କେତେ ଭୟଙ୍କର ଜିଦ୍ ଲୋକଟାର… ଏଥର ଉତ୍ତମ ମଧ୍ୟମ ଦୁଇ ପଦ ଶୁଣାଇ ଦେବେ ସେ…

କ’ଣ ଭାବୁଛି କି ସେ….!!!

ରୁକ୍ଷ ସ୍ବରରେ କହିଲେ ସ୍ନିଗ୍ଧା… କ’ଣ ହେଲା… କାହିଁକି ଏମିତି ଫୋନ୍ କରୁଛନ୍ତି ଆପଣ… କ’ଣ ପାଇଁ ଭେଟିବି ମୁଁ…ଦେଖା ତ ହେଲା କଥା ତ ହୋଇଛେ…କିଛି କଥା ଯଦି ଅଛି ଜରୁରୀ… ତେବେ ଆପଣ ଫୋନ୍ ରେ ବି ତ କହିପାରିବେ ନା …..

ଲୋକଟାର ସ୍ବର ବଡ଼ କରୁଣ ଶୁଣାଗଲା ଏଥର…

ବଡ ଅନୁନୟ ହୋଇ ସେ କହିଲା …ଆପଣଙ୍କୁ ଫେସ୍ ବୁକ୍ ରେ ଦେଖିବା ଦିନୁ ମୁଁ ନିଜକୁ ଆପଣଙ୍କ ପାଦ ତଳେ ସମର୍ପଣ କରି ଦେଇଛି…ଆଇ ଲଭ୍ ୟୁ ଭେରି ମଚ୍….

ପ୍ଳିଜ୍ ଵିଲିଭ୍ ମି…ଆଇ ଉଇଲ୍ ହଗ୍ ୟୁ ଉଆନ୍ସ…ନଥିଙ୍ଗ୍ ଏଲ୍ସ…

ପ୍ଳିଜ୍ କମ୍ ଟୁମୋର୍….ପ୍ଳିଜ୍ ପ୍ଳିଜ୍ ପ୍ଳିଜ୍….

ଇଉ ଡୋଣ୍ଟ ନୋ…ହାଓ ସ୍ବିଟ୍ ଇଉ ଆର୍…

ହ୍ୱଆଟ୍ ଏ ସ୍ବିଟ୍ ଟୋନ୍….ହାଓ ଏ ଚାର୍ମିଙ୍ଗ୍ ଫେସ୍….

 

ହସି ହସି ବେଦମ୍ ହୋଇ ଗଲେଣି ସ୍ନିଗ୍ଧା…

କି ପାଗଳ ଲୋକଟା କିରେ ….

କି କି ଲୋକ ସବୁ ପଶି ଆସୁଛନ୍ତି ଏ ଫେସ୍ ବୁକ୍ ଭିତରକୁ…!!!

ନିଜକୁ କ’ଣ ବୋଲି ଭାବୁଛି ଲୋକଟା….!!!

ଏମିତି ଟିକିଏ ଚିହ୍ନା ଜଣାରେ ଏମିତି ନିର୍ଲଜଙ୍କ ପରି କିଏ କାହାକୁ ପ୍ରେମ ନିବେଦନ କରେ…..???

ପୁରା କୃଷ୍ଣ ଠାଣୀ ତ…..

ଦେହି ପଦ ପଲ୍ଲବ ମୁଦାରମ୍….!!!!!

ଏଥର ହୋ ହୋ ହୋଇ ହସିବାକୁ ଇଚ୍ଛା ହେଲା ତାଙ୍କର….

ପ୍ରେମ କ’ଣ ଏତେ ଶସ୍ତା…???

କେତେ ରୁଗ୍ଣ ମାନସିକତା ସତରେ….

ଲୋକଟା ଜଣେ ରିଟାୟାର୍ଡ ଲେକ୍ଚର… ପତ୍ନୀ ପୁତ୍ର,ପୁତ୍ର ବଧୂ ଓ ନାତି ନାତୁଣୀ ର ପରିପୂର୍ଣ୍ଣ ସଂସାର…

ତେବେ ଵି କେତେ ଉତ୍କଟ ଲାଳସା…. ଛିଃ… ଛିଃ…. ଛିଃ….

ନିଜ ଭିତରକୁ ଫେରିଗଲେ ସ୍ନିଗ୍ଧା …ଅତି ସନ୍ତର୍ପଣରେ….

ନିଜର ଯୁଗ ଯୁଗ ର ପ୍ରେମ ଓ ଭଲପାଇବା କୁ ଅତି ଅନ୍ତରଙ୍ଗ ଭାବରେ କେତେ ଯତ୍ନରେ ସାଇତି ରଖିଛନ୍ତି ସେ…

କେତେ ପବିତ୍ର ଗୋପନୀୟତା ର ସହ ପୁଣ୍ୟ ପଥେ ପଥେ ଅତି ମନଦେଇ ଅନୁଭଵନ୍ତି ତାଙ୍କର ଅନନ୍ତ ପ୍ରେମ କୁ …..

ନିରୁତା ପ୍ରେମିକା ସାଜି ….. ପ୍ରତୀକ୍ଷା କରନ୍ତି ପ୍ରତିଟି ମୁହୂର୍ତ୍ତ କୁ…

ଅପା°କ୍ତେୟ ପ୍ରେମ କାଳେ ମିଳିଯିବ କେଉଁ ନିଷ୍ପାପ ଲଗ୍ନରେ….

ଗଢି ହୋଇଯିବ ସମ୍ପର୍କର ସେତୁ….

ଅନୁଭବ ର ପାଟ ସୂତାରେ ବାନ୍ଧି ହୋଇଯିବ ଦୁଇଟି ସ୍ବପ୍ନିଳ ମନ…

ଯୋଡି ହୋଇଯିବ ଦୁଇଟି ଆକୁଳିତ ହୃଦୟ….

ଭାଵି ଭାବି ଦିନ ସରିଛି….ରାତି ବିତିଛି…

ବିରହର କାବ୍ୟ ଲେଖି ହୋଇ ଯାଇଛି ଆପେ ଆପେ ସିନା…

କହି ପାରିନି ପ୍ରେମ ଓ ଭଲପାଇବା ର ଏ ସ୍ୱର୍ଗିୟ ଅନୁଭବ କୁ…..

କେମିତି କହନ୍ତା ଯେ….!!!

ଏ ତ ଏକ ରୁଚିଶୀଳା ନାରୀ ଆଉ ଏକ ଅନନ୍ୟ ଦିବ୍ୟ ପୁରୁଷ ଙ୍କ ଅବ୍ୟକ୍ତ ବ୍ୟଥା ଭରା ଅନୁଚ୍ଚାରିତ ପ୍ରେମ….

ଏଠାରେ ଏ ଶସ୍ତା ଆଇ ଲଭ୍ ୟୁ ତ ଏକ ଭ୍ରମ…

 

ମନେ ମନେ ବହୁତ ହସିଲେ ସ୍ନିଗ୍ଧା…

ଭାବିଲେ କେତେ ସାହସ ସତରେ ଏ ବିକୃତ ମସ୍ତିସ୍କ ବ୍ୟକ୍ତି ମାନଙ୍କର

ସମାଜରେ ପ୍ରତିଷ୍ଠିତା ଏକ ସୁନ୍ଦର ରୁଚିଶୀଳା ନାରୀଙ୍କ ଵିଷୟରେ ଏମିତି ଏକ ହୀନ ଭାଵନା ଆଣି ପାରୁଛନ୍ତି…..

ଆଉ ଭଦ୍ରତାର ଆବରଣ ତଳେ ନିଜକୁ କେତେ ନ୍ୟୁନ କରି ପାରୁଛନ୍ତି ଉତ୍ତର ବୟସରେ… ଜୀବନ ର ସାୟାହ୍ନ ରେ ଏ ରୋଡ୍ ରୋମିଓ ମାନେ……!!!!!

ନିଜ ଫ୍ରେଣ୍ଡ୍ ଲିଷ୍ଟ ରୁ ବ୍ଳକ୍ କରି ଦେବେ କି ଏ ଅବିବେକୀ ଲୋକଟାକୁ…..????

                @ଶୁଭଦର୍ଶିନୀ ସଂଯୁକ୍ତl ସାହୁ

                                ଢେ଼ଙ୍କାନାଳ

Related posts

କବିତା ଦାଶ ଙ୍କ କବିତା ଗର୍ଭଣା ସଂକ୍ରାନ୍ତି 

Sunil Chandra Nayak

ରୀକ୍ଷିରାମ ମେହେର ଙ୍କ କବିତା ଶେଷ ଇଚ୍ଛା

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Leave a Comment

error: Content is protected !!