ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗୋଦାବରୀଶ ମିଶ୍ର

     ଗୋଦାବରୀଶ ମିଶ୍ର

    ସତ୍ୟବାଦୀ ବନ ବିଦ୍ୟାଳୟର ଉଦ୍ଦେଶ୍ୟ ଥିଲା ଅତ୍ୟନ୍ତ ମହାନ୍। ପ୍ରାଚ୍ୟ ସଭ୍ୟତା ଓ ସଂସ୍କୃତିର ଭିତ୍ତି ଉପରେ, ଆଧୁନିକ ଶିକ୍ଷା ମାଧ୍ୟମରେ ଦେଶର ଯୁବକ ଓ ଛାତ୍ର ଛାତ୍ରୀ ମାନେ କିପରି ସୁଶିକ୍ଷିତ, ସୁସଂଗଠିତ, ସୁଶୃଙ୍ଖଳିତ, ନିଃସ୍ଵାର୍ଥପର, ସ୍ଵଦେଶପ୍ରେମୀ, ସେବା ପରାୟଣ, ସୁସ୍ଥ ସବଳ,କର୍ମଠ, କର୍ତ୍ତବ୍ୟ ପରାୟଣ ଓ କଳା, ଶିଳ୍ପ, କାରିଗରୀ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ସୁନାଗରିକ ଭାବେ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଜୀବନରେ ପ୍ରତିଭାର ବିକାଶ କରି ପାରିବେ | ଏହି ବନବିଦ୍ୟାଳୟରେ ସେହିପରି ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟକ୍ରମର ବ୍ୟବସ୍ଥା ଥିଲା। ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରମାନେ କୋୖଣସି ପ୍ରକାର ବିଦ୍ୱେଷ ନରଖି ଏକତ୍ର ଭୋଜନ,ଏକତ୍ର ବସବାସ, ଏକତ୍ର କୃଷି ଓ ଶିଳ୍ପ କ୍ଷେତ୍ରରେ ଶ୍ରମଦାନ ଦ୍ୱାରା ନିଜକୁ ଓ ଦେଶକୁ ଉପକୃତ କରାଇବାର ପ୍ରତିଜ୍ଞା କରାଉଥିଲେ। ଏଠାକାର ସତ୍ୟ ଓ ଅହିଂସାର ପୂଜକ ମାନଙ୍କ ନୀତି ଥିଲା ଜାତୀୟତାବୋଧ, ସାଂସ୍କୃତିକ ଚେତନା, ସାମାଜିକ ଆବେଦନ, ମାନବତାବାଦ ଓ ଜାତୀୟତାବାଦ |

   ଉତ୍କଳ ଜନନୀର ସେବାକୁ ମହାମନ୍ତ୍ର ରୂପେ ଗ୍ରହଣ କରି ମହାଭାରତୀୟ ଚେତନାରେ ଉଦବୁଦ୍ଧ ହୋଇ ଗୋପବନ୍ଧୁଙ୍କ ଆହ୍ୱାନରେ ଯେଉଁ ଚାରି ଜଣ ଅଗ୍ରଗଣ୍ୟ ଥିଲେ, ସେମାନେ ହେଲେ ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ ଓ ହରିହର।

     ଗୋପବନ୍ଧୁଙ୍କ ପ୍ରେରଣାରେ ବନ ବିଦ୍ୟାଳୟରେ ଶିକ୍ଷକ ଭାବେ କର୍ମମୟ ଜୀବନକୁ ଏକ ଅଂଗ ହିସାବରେ ଗ୍ରହଣ କରିଥିବା ବକୁଳ ବନର ଅନ୍ୟତମ ପଞ୍ଚସଖା ହେଉଛନ୍ତି ଗୋଦାବରୀଶ ମିଶ୍ର | ଆଚାର୍ଯ୍ୟ ହରିହର ଓ ପଣ୍ଡିତ ନୀଳକଣ୍ଠ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଗୋପବନ୍ଧୁଙ୍କ ସଂସର୍ଗ ଯୋଗୁ ଗୋଦାବରୀଶଙ୍କ ବ୍ୟକ୍ତିତ୍ଵର ବିକାଶ ଘଟିଥିଲା। ଗୋପବନ୍ଧୁଙ୍କ ଆଦର୍ଶ ଓ ବ୍ୟକ୍ତିତ୍ଵର ଅମଳିନ ସ୍ପର୍ଶ ଗୋଦାବରୀଶଙ୍କୁ ମହାନ୍ କରିଥିବାରୁ, ଅର୍ଥନୀତି ରେ ଏମ୍.ଏ.ପାଶ୍ କଲା ପରେ ଅନ୍ୟ ଚାକିରିର ମୋହ ତ୍ୟାଗ କରି ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗଦାନ କରିଥିବା ଗୋଦାବରୀଶ ମିଶ୍ରଂକ ବ୍ୟକ୍ତିତ୍ୟ କେତେ ମହାନ ଥିଲା, ତାହା ମୋର ଏହି ଲେଖାରୁ ଅନୁମାନ କରି ପାରୁଥିବେ ଓ ଆଜିର ଏ ଦୁନିଆରେ କଳ୍ପନା କରିବା ସମ୍ଭବ ନୂହେଁ |

ଗୋଦାବରୀଶ ମିଶ୍ରଙ୍କ ଜୀବନୀ

       ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ମୁଁ ଛାତ୍ର ଅବସ୍ଥାରେ ପଠନ କଲା ପରେ, ତାହା ମୋତେ ଏକ ବିପ୍ଳବୀ ହେବାର ମନୋବୃତ୍ତିକୁ ଆହୁରି ଜୋର କରିଥିଲା |ସେ ୨୬ ଅକ୍ଟୋବର,୧୮୮୬ ମସହାରେ ପୁରୀ ଜିଲ୍ଲା ବାଣପୁର ନିକଟରେ ଶାଳିଆ ନଦୀ ପାଖ ଶ୍ରୀନିବାସ ପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ଲିଙ୍ଗରାଜ ମିଶ୍ର ଓ ଅପସରା ଦେବୀଙ୍କ କୋଳମଣ୍ଡନ କରିଥିଲେ | ଗରୀବ ପରିବାରରେ ଜନ୍ମ ହେଲେମଧ୍ୟ ଜ୍ଞାନରେ ସେ ଥିଲେ ମହାଧନୀ | ଗାଁ ଚାଟଶାଳୀରେ ପାଠ ପଢା ପରେ ପ୍ରାଥମିକ ପରୀକ୍ଷାରେ ପ୍ରଥମ ହେଲେ ପୁରୀ ଜିଲ୍ଲାରେ | ଗାଆଁ ଚାଟଶାଳୀ ଶିକ୍ଷା ଶେଷ କରି ଶିକ୍ଷକତାକୁ ଆଦରି ନେଇଥିଲେ | ସତ୍ୟବାଦୀ ବନ ବିଦ୍ୟାଳୟରେ ସେ କଲେ ଏକ ଚାକିରୀ | ଗୋପବନ୍ଧୁଙ୍କର ଆଦେଶକୁ ମାନି ସେବା ପ୍ରତି ଆକର୍ଷିତ ହୋଇଥିଲା | ଦୁଃଖୀ ଦରିଦ୍ରଙ୍କ ସେବାରେ ନିଜକୁ କରିଥିଲେ ସମର୍ପିତ ।

   କଟକ ଜିଲ୍ଲା ରେଭେନ୍ସା କଲେଜରେ ପଢା ସାରି ସେ କଲିକତା ଗଲେ, ଏଫ, ଏ, ବି. ଏ. ଏମ୍.ଏ. ପାସ କଲେ | ୧୯୧୩ ମସିହାରେ ଗୋଦାବରୀଶ ମିଶ୍ର ଅର୍ଥନୀତିରେ ଏମ୍.ଏ.ପାଶ୍ କଲା ପରେ ସେତେବେଳେ ଚିଠି ଖଣ୍ଡେ ପାଇଲେ ଗୋପବନ୍ଧୁଙ୍କ ଲେଖା ଥିଲା

“ତୁମେ ଭଲ ଶିକ୍ଷା ଲାଭ କଲ କିନ୍ତୁ ଓଡିଶା ଲକ୍ଷ ଲକ୍ଷ ପିଲା ଅପାଠୁଆ”

ସେ ନିଜ ଉଚ୍ଚ ଅଭିଳାଷ ତେଜି ଫେରି ଆସିଲେ ଓଡିଶା, ଗୋପବନ୍ଧୁଙ୍କ ପ୍ରେରଣାରେ ବନ ବିଦ୍ୟାଳୟରେ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କଲେ | ଅନ୍ୟ ଚାକିରି ର ମୋହ ତ୍ୟାଗ କରି ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ। ବନ ବିଦ୍ୟାଳୟରେ ଥିଲା ହାତ ତିଆରି କାରଖାନା | ସେ କାରଖାନା ର ସୁଦକ୍ଷ କାରିଗର ଥିଲେ ଗୋଦାବରୀଶ | ତାଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହେଲା “ଉତ୍କଳ ବିଶ୍ୱ ବିଦ୍ୟାଳୟ” |

 ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ହେଉଛି ଗୋଦାବରୀଶ ମିଶ୍ରଙ୍କ ‌ପରିଣତ ବୟସର ଅଭିବ୍ୟକ୍ତି । ୧୯୦୯ ମସିହାରେ ପ୍ରତିଷ୍ଠିତ ‌ସତ୍ଯବାଦୀ ବନବିଦ୍ୟାଳୟ ଓ ପୂର୍ବରୁ ଗୋପବନ୍ଧୁଙ୍କ ଆଦର୍ଶ ଓ ବ୍ୟକ୍ତିତ୍ଵର ଅମଳିନ ସ୍ପର୍ଶ ଗୋଦାବରୀଶଙ୍କୁ ମହାନ୍ କରିଥିବାରୁ, ସେ ତାଙ୍କ ପ୍ରତି ଶ୍ରଦ୍ଧାରେ ଲେଖିଥିଲେ,

“ଗୋପବନ୍ଧୁ ଏ ଭବ ପାରାବାରରେ ମୋ କ୍ଷୁଦ୍ର ଜୀବନର କର୍ଣ୍ଣଧାର। ମୋ ପ୍ରାଣର ଉପାସ୍ୟ ଦେବତା। ଦୁର୍ବଳ ମୁହୁର୍ତ୍ତ ମାନଙ୍କରେ ଆଜି ସୁଦ୍ଧା ମୁଁ ତାଙ୍କରି ମୂର୍ତ୍ତି ଆଖି ଆଗରେ କଳ୍ପନାରେ ରଖି ସାନ୍ତ୍ଵନା ପାଏ। ଗୋପବନ୍ଧୁଙ୍କ ପରି ସୁଦୃଢ ପଥପ୍ରଦର୍ଶକ ଓ ଦର୍ଶନ-ଗୁରୁ ନିତାନ୍ତ ବିରଳ।”

 ସେଥିରେ ସେ ଲେଖିଛନ୍ତି,
ମଣିଷ ଜୀବନ ସର୍ବସ୍ବ ହରାଇ ଦାଣ୍ଡର ଭିକାରୀ ହେବ ତ,ହେବ ଗୋପବନ୍ଧୁ ଙ୍କ ପରି ପୁରୁଷ ଙ୍କ ସାଙ୍ଗରେ ପଡ଼ି।’

କବି, ଗାଳ୍ପିକ ଓ ନାଟ୍ୟକାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗୋଦାବରୀଶ ମିଶ୍ରଙ୍କ ରଚିତ ଉପନ୍ୟାସ ଥିଲା,

ଘଟାନ୍ତର,
ଅଭାଗିନୀ ଓ
୧୮୧୭
ନାଟକ ଥିଲା,
ପୁରୁଷୋତ୍ତମ ଦେବ,
ମୁକୁନ୍ଦ ଦେବ |

ଏଗୁଡିକ ତାଙ୍କ ଅମଳିନ ସାହିତ୍ୟ ସାଧନାର ଜ୍ଵଳନ୍ତ ଉଦାହରଣ। ଏଥିରେ ଗୋଦାବରୀଶ ମିଶ୍ର, ଓଡ଼ିଆ ସାହିତ୍ୟରେ ଦେଶାତ୍ମବୋଧକ ଭାବନା ଜାଗ୍ରତ କରିବାରେ ସମର୍ଥ ହୋଇଛନ୍ତି।

   ଓଡିଶା ବାହାରେ ଥିବା ବିଭିନ୍ନ ଅଞ୍ଚଳକୁ ଏକାଠି କରିବା ପାଇଁ ବିଛିନ୍ନାଞ୍ଚଳ ମିଶ୍ରଣ କାର୍ଯ୍ୟ ଆରମ୍ଭ କଲେ ଗୋପବନ୍ଧୁ ଓ ଗୋଦାବରୀଶ |ଦୁହେଁ ଚକ୍ରଧର ପୁର, ସିଂହଭୂମିରେ ଶିକ୍ଷକତା କଲେ | ବାଣପୁରରେ ରହି ଗଢିଲେ “ଭଗବତୀ ପ୍ରସାଦିନୀ ସମିତି “| ଲୋକଙ୍କ ସୁବିଧା ଅସୁବିଧା ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ବିରୋଧ କଲେ | ତାପରେ କଲିକତା ରେ ଗଢିଲେ “ହିନ୍ଦୁ ସମାଜ” ଯାହା ସେଠି ଜାତି ଭେଦ ନ ଥିଲା | ସେଠି ଓଡ଼ିଆଙ୍କ ଆସିଲା ଏକତା | ସୃଷ୍ଟି ହେଲା

“ଜାତୀୟ ଶିଳ୍ପ ସଦନ “,
“ବୟନ ଶିଳ୍ପ ସମିତି “,
‘କୃଷକ ସମବାୟ ସମିତି “,
“ଦିଆସିଲି କାରଖାନା “, ଓ
“ପାଠାଗାର |

ସେ ଥିଲେ ସିନା ଏକା କିନ୍ତୁ କାମ ଥିଲା ଅନେକ |

   ଗୋଦାବରୀଶ ମିଶ୍ର, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଥିଲେ। ତାଙ୍କରି ଉଦ୍ୟମରେ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା।

   ଉତ୍କଳର ଭାଷା ସାହିତ୍ୟର ଉନ୍ନତି ଲାଗି ବିହିତ ପଦକ୍ଷେପ ସହିତ ଜାତି ଗଠନ ପାଇଁ ଉତ୍କଳ ସମ୍ମିଳନୀ ଯେଉଁ ଭୂମିକା ଗ୍ରହଣ କରିଥିଲା, ତା’ର ଆହ୍ବାନ ଥିଲା ‘ସତ୍ଯବାଦୀ’ ପତ୍ରିକା।

   ଗୋଦାବରୀଶ ମିଶ୍ର ଥିଲେ ଓଡ଼ିଆ ସାହିତ୍ୟରେ ପ୍ରଥମ ଗାଥା କବିତାର ଜନକ।

ତାଙ୍କର ଅମର ସୃଷ୍ଟି,
ଆଲେଖିକା,
କଳିକା,
କିଶଳୟ,
ଚୟନିକା,
ଗୀତାୟନ,
ଗୀତିଗୁଚ୍ଛ,
କବିତାୟନ,
କାଳିଜାଇ,
ଅଭିରାମ ସିଂହ ଓ
ଧରଣୀଧର ।

ଫକୀର ମୋହନଙ୍କ ଗଦ୍ୟ ସାହିତ୍ୟ ପରି, ଗୋଦାବରୀଶ ମିଶ୍ର ସାଧାରଣ ଜନତାର ମୁଖରେ ପ୍ରଚଳିତ ଭାଷାକୁ ‘ଆଲେଖିକା’ ମାଧ୍ୟମରେ ପଦ୍ଯର ଗୈାରବ ପ୍ରଦାନ କଲେ।

ତାଙ୍କ ଗୀତିକବିତା ହେଉଛି
କାଶୀ ଯାତ୍ରୀ,
ନିଦାଘ ସରସୀ ଓ ସଞ୍ଜୋଇ ତୀରେ,
ସକାଳ,
“ଭାଗବତ କଥା”
“ଦାସତ୍ବ ଗୋଧନ” ।
‘ପୁରୁଷୋତ୍ତମ ଦେବ’ ନାଟକର ଗୋଟିଏ ଗୀତ, ଜାତୀୟ ପ୍ରୀତିକୁ ଉଦ୍ରେକ କରେ।
“ରଞ୍ଜିତ ଅସି ଧାରେ,
ଶତ୍ରୁ-ରକ୍ତ ଗାରେ,
ଲେଖ ହେ ଆଜି ବିଜୟ ବିଭବ
ଜନ୍ମଭୂମି ଭାଲେ।
ଛିନ୍ନ କରିଛୁ ବଇରି ଗର୍ବ
ବଇରି ଦମ୍ଭ କରିଛୁ ଖର୍ବ
ମୃତ୍ୟୁମନ୍ତ୍ର ଲେଖିଆସିଛୁ
ଶତ୍ରୁର ଶତଭାଲେ।
ଜୀବନ ପଣ କରରେ ଭାଇ
ଦେଶକରମେ ପ୍ରାଣ ଦେଇ,
ବୀରଧର୍ମେ ପାଇବ ଫଳ,
ଜୀବନ ପରପାରେ।
ଇତିହାସ ଯା’ର ଭୀମ-ଲଳିତ
ସନ୍ତତି କଲେ ପୂତ ମହତ,
ଭୂଷିତ କର ସେ ଜନନୀ ତନୁ
କୀର୍ତ୍ତି -କୁସୁମ ମାଳେ।”

ଉଣେଇଶତେସିରେ ଗୋଦାବରୀଶଙ୍କ ସମ୍ପାଦନାରେ ପ୍ରକାଶିତ ହେଲା “ଲୋକମୁଖ “ପତ୍ରିକା | ଉଣେଇଶ ଅଠେଇସିରେ ଗୋଦାବରୀଶ “ସମାଜ “ର ସମ୍ପାଦନ ଦାୟିତ୍ୱ ନେଲେ | ପାଟନା ବିଶ୍ୱବିଦ୍ୟାଳୟ ର “ସିନେଟ ସଭ୍ୟ “ହେଲେ | ବିହାର ଓଡିଶା ବ୍ୟବସ୍ଥା ସଭାର ସଭ୍ୟ ହେଲେ | ଏକାଧାରରେ ସେ ଥିଲେ କବି, ଶିକ୍ଷାବିତ, ବ୍ୟବସ୍ଥାପକ, ରାଜନୀତିଜ୍ଞ, ବାଗ୍ନୀ, ସଂସ୍କାରକ, ସଂଗଠନ, ନାଟ୍ୟକାର, ଓ ଗଦ୍ୟ ଲେଖକ | ତାଙ୍କ ଆତ୍ମଜୀବନୀ ଚରିତ ‘ଅର୍ଦ୍ଧ ଶତାବ୍ଦିର ଓଡିଶା ଓ ତହିଁରେ ମୋ ସ୍ଥାନ ” ପାଇଁ ସେ “କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ |

ତାଙ୍କ ପାଦପଦ୍ମରେ ମୋର ଶତ ଶତ ପ୍ରଣାମ | ଆଗାମୀ ଉତ୍ତରାଧିକାରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ମୋର ଆଶା |

 

                               ଚିତ୍ତ ରଂଜନ ନନ୍ଦ

                                            ଜଗତପୁର, କଟକ

 

Related posts

ପଣ୍ଡକୁଳ – କୁମାରୀ ଓ ଫରଙ୍ଗ ରାସ୍ତା ସଙ୍କଟାପନ୍ନ

Sunil Chandra Nayak

ଚୋରାଚାଲାଣ କେନ୍ଦୁ ପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

Sunil Chandra Nayak

Leave a Comment

error: Content is protected !!