ଜଗଜ୍ଜନନୀ ଝଙ୍କଡ଼ ବାସିନୀ ମାଆ ଶାରଳା
ଦିନେ ରାତିରେ ଶୋଇଥିବା ଅବସ୍ଥାରେ ଗୋଟିଏ ସୁନ୍ଦର ସ୍ୱପତ୍ନ ଦେଖିଲି |ସ୍ୱପ୍ନରେ ରେ ଜଗଜ୍ଜନନୀ ମାଆ ଶାରଳାଙ୍କୁ ଅପୂର୍ବ ରୂପରେ ଦେଖିଲି |ସେ ମୋତେ ଆସି ମୋଦେହକୁ ସ୍ପର୍ଶକରି କହିଲେ ´´ବିଦ୍ୟାଧର ଏତେ ଶୋଇଛୁକାହିଁକି? ମଣିଷ ଜୀବନ କଅଣ ଶୋଇବା ପାଇଁ ହୋଇଛି? ଉଠ ଦେଖ ଏ ଦୁନିଆଁଟା କେତେ ସୁନ୍ଦର |ସାରା ସଂସାରଟା କେତେ ରମଣୀୟ ଦୃଶ୍ୟରେ ଭରପୁର ହୋଇଛି |ଏ ଦୁନିଆଁରେ କଅଣ ନାହିଁ? ଯାହାଚାହିଁବୁ ତାହା ସହଜରେ ପାଇବୁ? ସ୍ୱର୍ଗର ଅମୃତ ମଧ୍ୟ ପାଇବୁ? ସ୍ୱର୍ଗର ସବୁଠାରୁ ସୁନ୍ଦର ଅପ୍ସରାକୁ ଵି ପାଇ ପାରିବୁ |ନନ୍ଦନ କାନନକୁ ଵି ପାଇପାରିବୁ |ସେହି ନନ୍ଦନକାନନରେ ଅପୂର୍ଵ ସୁନ୍ଦର ବିକଶିତ ପାରିଜାତ ପୁଷ୍ପଵି ପାଇବୁ |ଅପୂର୍ବ ସୁନ୍ଦର ପାରିଜାତ ଫୁଲର ବାସନାରେ ଏ ସାରା ସଂସାରଟା ମହମହ ହୋଇ ମହକି ଉଠୁଛି |ପାରିଜାତ ଉପବନରେ ସୁନାର ମହୁମାଛି ଉଡ଼ି ବୁଲୁ ଛନ୍ତି |ସୁନ୍ଦର ସୁନ୍ଦର ପ୍ରଜାପତି ଏ ଫୁଲରୁ ସେଫୁଲକୁ ଡେଣା ହଲାଇ ଉଡିବୁଲୁଛନ୍ତି |ସୁନାର ସୁନ୍ଦର ସୁନ୍ଦର ଛୋଟରୁ ବଡ ବଡ ଚଢେଇ ମଧୁର ସ୍ୱରରେ ସଙ୍ଗୀତ ରେ ମୁଖର କରୁଛନ୍ତି |ପକ୍ଷୀର ମଧୁର କାକଳି ହିଁ ହେଉଛି ମାଆ ଜଗଜ୍ଜନନୀ ସରସ୍ବତୀଙ୍କର ମଧୁର ବୀଣାର ସ୍ୱର |ଉପବନର ସୁନ୍ଦରୀ ରମଣୀହିଁ ହେଉଛନ୍ତି ମାଆ ବୈକୁଣ୍ଠପୁର ବାସିନୀ ମାଆ ସରସ୍ବତୀ |”
ମାଆ ସରସ୍ବତୀ ଙ୍କ ନାମ ଶୁଣି ଚମକି ଉଠିଲି | ନିଦରୁ ଉଠି ଆଖି ମଳି ମଳି ନିଜ ବିଛଣାରେ ବସିଲି |
ସମ୍ପୂର୍ଣ ନିଦ ଯାଇନାହିଁ |ବାରମ୍ବାର ଚେଇଁବାକୁ ଚେଷ୍ଟାକରି ଵି ଚେଇଁ ପାରିଲି ନାହିଁ |ପୁଣି ନିଦ୍ରାଦେବୀଙ୍କ କୋଳରେ ଢୋଳେଇ ପଡିଲି |
ପୁଣି ସେହି ସ୍ବପ୍ନ ଦେଖିଲି |
ସ୍ୱପ୍ନରେ ମାଦେବୀ ଶାରଳା ନିଜେ ଉଭାହୋଇ କହୁଥାନ୍ତି,´´ଆରେ ବୋକା ପୁଣି ଶୁଉଛୁ କାହିଁକି ମୁଁ ଯେଉଁଦୃଶ୍ୟ ସ୍ୱପ୍ନରେ ଦେଖାଇଲି ତାହାହିଁ ସ୍ୱର୍ଗର ଅମୃତର ବୀଣାର
ବୀଣାତନ୍ତ୍ରୀ |ତାହାକୁ ଲେଖ, ତାହାକୁ ନୂଆ ସ୍ୱର ଦିଅ |ତାହାହିଁ ହେବ ମଧୁର ସଂଗୀତର ମଧୁର ନିର୍ଝର |ତାହାହିଁ ମଧୁର ମୂର୍ଚ୍ଛନା |ତାକୁ ନୂଆ ରୂପଦିଅ, ନୂଆ ତାଳ ଲୟ ଦିଅ |
ତାହାହେଲେ ମାଆ ମଧୁର ସଂଗୀତର ଲହରୀ କେଉଁଠି ପାଇବି?
ତାର ରୂପ କଅଣ, ତାର ରଙ୍ଗ କଅଣ?,”ସେ କହିଲେ, ଯାହାତୋ’କଲମ ମୁନରୁ ଝରି ଆସୁଛି ତାହାହିଁ ସଙ୍ଗୀତ ମାଧୁରୀ |ଦେଖୁଛି ତୁତ କସ୍ତୁରୀ ମୃଗ ପରି ହେଉଛୁ |କସ୍ତୁରୀ ମୃଗର ନାଭିରୁ ସୁବାସିତ ବାସ୍ନା ବାହାରି ସାରା ବନ ଉପବନକୁ ସୁବାସରେ ଭରିଦିଏ |ସେ ଜାଣିପାରେ ନାହିଁଯେ ତା’ନିଜ ନାଭିରୁ କସ୍ତୁରୀର ବାସ୍ନା ବାହାରୁଛି ବୋଲି |ସେ କିଛି ଜାଣି ନପାରି କସ୍ତୁରୀ କେଉଁଠି ଅଛି ବୋଲି ପାଗଳ ପରି ଜଙ୍ଗଲ ସାରା ଖୋଜି ବୁଲେ |କସ୍ତୁରୀ ମୃଗ ପରି ଘୁରିବୁଲୁଛି |ତୋ’ବାସ୍ନା ତ ତୋ’ଦେହରେ ଅଛି |ତାହା ହେଉଛି ତୁମ ଗୁଣ, ତୁମ ପ୍ରତିଭା, ତୁମ ସୌରଭ |”
ଜଗଜ୍ଜନନୀ ମାଶାରଳା ପୁଣି କହିଲେ, ତୁମ କଲମର ମଧୁର ଗାରହିଁ କସ୍ତୁରୀ| ତୁମ ଓଡିଶୀ, ଚମ୍ପୂ, ଦେଶାତ୍ମବୋଧକ ସଙ୍ଗୀତ, ବଣମଲ୍ଲୀ, ଝୁମର, ଓଡ଼ିଆ ଝୁମର, କୁଡ଼ମାଲୀ ଝୁମର, କାବ୍ୟ କବିତା, ଉପନ୍ୟାସ ଏବଂ ଭଜନ, ଜଣାଣ,ହିତୋପଦେଶ,କ୍ଷୁଦ୍ରନାଟକ ବଳୀ ତୁମର କସ୍ତୁରୀ ଅଟେ |”
ଉଠ ବତ୍ସ ହୃଦୟ ଖୋଲି ନିରୀକ୍ଷଣ କର, ତୁମର ଭ୍ରମ ଦୂର କର |ତୁମର କବିତା, ସଂଗୀତକୁ ହିଁ କସ୍ତୁରୀ ମନେ କର |
ମୁଁ ଚେଇଁ ଉଠି ବିଛଣାରେ ବସି କହିଲି ମାଆ ଯାହା କହିଲ ସେ ଯଦି ସରସ୍ବତୀ ତେବେ ତୁମେ କିଏ?
ଶୁଣ ବତ୍ସ!ମୁଁ ହିଁ ସରସ୍ବତୀ, ମୁଁହିଁ ଶାରଳା, ମୁଁହିଁ ଦେବୀ ଦୁର୍ଗା, ମୁଁହିଁ କାଳୀ ମହାକାଳୀ ଯିଏ ଯେପରି ଭାବେ ମୁଁ ତାକୁ ସେହିରୂପେ ଦେଖା ଦିଏ |ମୁଁହିଁ ସଂସାରରେ ଜାୟା, ଭଗିନୀ, ମାଆ, ସ୍ତ୍ରୀ, ମାଉସୀ, ଅପା, କନ୍ୟା, ଝିଅ, ସମାଜର ନାରୀ |ନାରୀ ରୂପରେ ସଂସାର ଗଢେ |
ସଂସାରରେ ମୁଁ ମଣିଷ ସମାଜକୁ ଗଢେ | ଏହିପରି ସଂସାର ଯୁଗ ଯୁଗ ଧରି ଗଢି ଚାଲିଛି |ଆହୁରି ଵି ଚାଲିଥିବ |କିନ୍ତୁ ବତ୍ସ! ମୋର ମଣିଷ ଗୋଟିଏ କାମକୁ ଭାରୀ ଭୟ |
ମୁଁ କହିଲି, ତାହା କଅଣ ମାଆ?
ଏ କଳାମୁଣ୍ଡିଆ ମଣିଷକୁ ଭୟ |କେତେବେଳେ ନିଜର ସ୍ୱାର୍ଥ ପାଇଁ ପରମାଣୁ ବୋମାରେ ଏ ସୁନ୍ଦର ପୃଥିବୀକୁ ନଷ୍ଟକରି ଦେଇପାରନ୍ତି |
ତଥାପି ଆମେ ତାହା କରାଇ ଦେବୁନାହିଁ |ତାଙ୍କୁ ସଦବୁଦ୍ଧି ଦେବୁ |
ନିଦ୍ରା ଅପସରିଗଲା |ଦେଖିଲି ମୋ’ସମ୍ମୁଖରେ କେହି ନାହିଁ |ପୂର୍ବ ଦିଗରେ ଲାଲରଙ୍ଗର ସୂର୍ଯ୍ୟୋଦୟ ହେଲା |କାକ ପିକ ରାବିଲେ |କୁକୁଡ଼ା ଡାକଦେଲେ |ଗୋରୁଛେଳି ଚରିବାକୁ ବନକୁ ଗଲେ |ମାଶାରଳା ମନ୍ଦିରରେ ଶଙ୍ଖ ଘଣ୍ଟା ତୂରୀ ବାଜି ଉଠିଲା |ଦ୍ଵିଜମାନେ ମନ୍ତ୍ର ଧୁନୀରେ ସ୍ଥାନକୁ ମୁଖରିତ କଲେ |
ଶ୍ରୀ ବିଦ୍ୟାଧର ମହାନ୍ତ
(କବି ରତ୍ନ, ସଂକୃତି ସାରଥୀ -ଜୟଦେବସମ୍ମାନ,
ସାହିତ୍ୟ ଗୌରବ, ସଫଳ କବି, କବିକଣ୍ଠ,)
ତମ୍ବାହରା, ହରିଚନ୍ଦନପୁର, କେନ୍ଦୁଝର