ଥୁଆମୂଳ ରାମପୁର :୨୦/୧୧ – (ମ.ନି.ସ) :- ଏବେ ଯାହା ହେଲାଣି ଦାଦନ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଏହାଛଡା ଦାଦନ ଖଟିବାକୁ ଯାଇ ନିଖୋଜ ହେଉଥିବା ବେଳେ ମୃତ୍ୟୁବରଣ କରୁଥିବା ଭଳି ସଙ୍ଗୀନ ସୂଚନା ମିଳୁଛି। ଦାଦନ ସମସ୍ୟା ରୋକିବା ନେଇ କେନ୍ଦ୍ର ଓ ରାଜ୍ଯ ସରକାର ଯୋଜନା କରିଛନ୍ତି। ତଥାପି ଯୋଜନା ଠିକ୍ ଭାବରେ କାର୍ଯ୍ଯକାରୀ ହେଉଛି କି ନାହିଁ ତାହା ଉପରେ ତଦାରଖ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି କି ନାହିଁ, ଏହା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ଯଦିବା ଯୋଜନା ଠିକ୍ ଭାବରେ କାର୍ଯ୍ଯ କାରୀ ହେଉଛି ତେବେ କାହିଁକି ଦାଦନ ସମସ୍ୟା ବୃଦ୍ଧି ପାଉଛି। କିନ୍ତୁ ଗରିବ ଯୋଜନା ଏଠାରେ ଠିକ୍ ଭାବରେ କାର୍ଯ୍ଯକାରୀ ହେଉନାହିଁ। ଯାହାଫଳରେ କାମ ନପାଇ ବେକାର ଯୁବକ ଯୁବତୀ ଅନ୍ଯ ରାଜ୍ଯକୁ କାର୍ଯ୍ଯ ଅନ୍ବେଷଣରେ ଯାଇ ଅଧିକାଂଶ ସମୟରେ ଶୋଷଣର ଶିକାର ହେଉଛନ୍ତି। କେତେ ବେଳେ ଦାଦନ ଶ୍ରମିକଙ୍କ ଶବ ଗାଁକୁ ଫେରୁଥିବା ବେଳେ ଅନେକ ସମୟରେ ଦାଦନ ଶ୍ରମିକଙ୍କ ନିଖୋଜ ଘଟଣାକୁ ନେଇ ଅଭିଯୋଗ କରୁଥିବା ଜଣାପଡୁଛି। ଏଭଳି ଏକ ଅଭିଯୋଗ ଥୁଆମୂଳ ରାମପୁର ଥାନାରେ ହୋଇଛି। ଅଭିଯୋଗ ଅନୁଯାୟୀ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କେରପାଇ ଗ୍ରାମପଞ୍ଚାୟତ ସେରକାପାଇ ଗ୍ରାମର ଗରିବ ବ୍ଯକ୍ତି ମାନିଆ ମାଝୀ (୩୪) ପରିବାର ପ୍ରତିପୋଷଣ କରିବା ପାଇଁ ସୁଦୂର କେରଳ ରାଜ୍ଯର ଏରନାକୁଲମକୁ ଗତ ଅଗଷ୍ଟ ମାସରେ ନିଜ ଗ୍ରାମର ବାଲାର ସିଂଙ୍କ ସହ ଯାଇଥିଲେ। ସେ ଯିବା ଦିନଠାରୁ ଆଜି ଯାଏଁ ତାଙ୍କ ସହ ପରିବାର ଲୋକଙ୍କ କୌଣସି ଯୋଗାଯୋଗ ହୋଇପାରୁ ନାହିଁ। ଏହି ସମ୍ପର୍କରେ ପରିବାର ଲୋକେ ବାଲାର ସିଂଙ୍କୁ ପଚାରିଲେ ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳି ପାରୁନାହିଁ। ଗ୍ରାମର ଅନେକ ଲୋକଙ୍କ ସହ ମଧ୍ୟ ଯୋଗାଯୋଗ କରି ସ୍ବାମୀର କୌଣସି ସନ୍ଧାନ ନ ପାଇ ଶେଷରେ ବାଧ୍ୟ ହୋଇ ତାଙ୍କ ସ୍ତ୍ରୀ ଦୁମେଇ ମାଝୀ ଥୁଆମୂଳ ରାମପୁର ଥାନାରେ ସ୍ବାମୀ ଙ୍କ ନିଖୋଜ ଘଟଣାକୁ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ