ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ ଗଳ୍ପ ଅଭୟ ବର

         ଅଭୟ ବର

        ସକାଳୁ ସକାଳୁ ସୁଚିବନ୍ତ ହୋଇ, ଶୁଦ୍ଧବସ୍ତ୍ର ପରିଧାନ କରି, ଫୁଲତୋଳାରେ ଭୋଗ ,ଦୀପ,ଧୂପ,ପୁଷ୍ପମାଲ୍ୟ ,ବିଲ୍ଵପତ୍ର ସଜାଡି ଅକର୍ମ କର୍ମଦାୟକ ପ୍ରଭୁ ଚନ୍ଦ୍ରଶେଖରଙ୍କ ମନ୍ଦିର ଆଗରେ ଛିଡା ହୋଇଛି ସୁଲଗ୍ନା। ଜ୍ଞାତସାରରେ ଆଜି ପ୍ରଥମ ଥର ପାଇଁ ମନ୍ଦିର ଆସିଛି ସେ।ପୂର୍ବରୁ କେବେ କେଉଁ ମନ୍ଦିରକୁ ଆସିଥିଲା କି ନାହିଁ ତାର ମନେ ନାହିଁ। ଆଜି ଜାଗର ତିଥିରେ ବ୍ରତ ଧାରଣ ପୂର୍ବକ ଉଜାଗର ରହି ଠାକୁରଙ୍କ ପାଖରେ ଭୋଗଲାଗି କରିବା,ଦୀପ ଜାଳିବା ନିହାତି ଦରକାର ବୋଲି ସେ ଶୁଣିଛି। ଗାଁ’ର ଘରେଘରେ ଲୋକମାନେ ଆଜି ମନ୍ଦିର ମୁହାଁ। 

      ପ୍ରତିବର୍ଷ ସୁଲଗ୍ନାର ବାପା,ବୋଉ ଉଭୟେ ଆସି ଏ କାମ କରିଥାନ୍ତି। କାଲି ରାତିରେ ବୋଉର ହଠାତ ହୃଦ ଯନ୍ତ୍ରଣା ବଢ଼ିଯିବାରୁ ବାପା ତାକୁ ନେଇ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରି ଜଗିରହିଛନ୍ତି। ବୋଉର ଆରୋଗ୍ୟ କାମନା କରି କୋହଭରା ମନ ତଥା ଅପୂର୍ବ ଭକ୍ତି ଗଦଗଦ ଚିତ୍ତରେ ଚନ୍ଦ୍ରଶେଖରଙ୍କ ପାଖରେ ଦୀପଟିଏ ଜାଳି ଆଶିଷ ଲଭିବା ଉଦେଶ୍ୟ ନେଇ ଧାଇଁ ଆସିଛି ସେ।ମନ୍ଦିର ଭିତରେ ଭକ୍ତଜନଙ୍କ ଭିଡ଼ ଦେଖି ଦ୍ୱାର ସମ୍ମୁଖରେ ଟିକେ ଅଟକିଯାଇଛି ସୁଲଗ୍ନା। ଭିତରକୁ ଚାହିଁ ଦେଖୁଛି ସମସ୍ତେ ଭିଡ଼ଭିତରେ ଠେଲାପେଲା ହୋଇ ଭିତରକୁ ଯାଇ ପ୍ରଥମେ ଘଣ୍ଟି ବଜାଉଛନ୍ତି, ବାସୁଆ ପଛରେ ଥାଇ ଦର୍ଶନ କରୁଛନ୍ତି ଏବଂ ପରିବାରର ନାମ ଗୋତ୍ର ଉଚ୍ଚାରଣ ପୂର୍ବକ ଜଳସାଇ କରିବାକୁ ପୂଜକଙ୍କୁ ନେହୁରା ହେଉଛନ୍ତି।ପୂଜକ ଏତେ ଭିଡ଼ ଭିତରେ କାହାର ନାମ ଗୋତ୍ର ଉଚ୍ଚାରଣ କରି ଆଉ କାହାପାଇଁ ଜଳସାଇ କରାଉଛନ୍ତି ତ କାହାର ଭୋଗ ଅନ୍ୟ କାହା ହାତକୁ ବଢାଇଦେଉଛନ୍ତି। ସବୁ ପରେ ବି ଭକ୍ତ ମନରେ ଅଫୁରନ୍ତ ଆନନ୍ଦ। ସେଓ କଦଳୀ,କାକୁଡି,ନଡ଼ିଆପ୍ରଭୃତି ଭୋଗପାଇଁ ନନାଙ୍କ ହାତକୁ ବଢ଼େଇଥିଲେ ବି ଭିଡ଼ ଭିତରେ ଭୋଗ ନପାଇ ଖାଲି ବେଲପତ୍ରଖଣ୍ଡେ ପାଇଥିବା ଭକ୍ତ ବି ଖୁସି, ଭୋଗ ପାଇଥିବା ଭକ୍ତ ବି ଖୁସି। ଏସବୁ ଦେଖି ସୁଲଗ୍ନା ଟିକେ ଚିନ୍ତାରେ ପଡିଯାଇଛି। ପୂଜକ ଯଦି ତା’ବେଳକୁ ଏମିତି କିଛି କରିପକାନ୍ତି ତେବେ ଭଗବାନ ତ ତା’ର ଡାକ ଶୁଣିପାରିବେନି । ଯେଉଁ ଆଶା ନେଇ ସେ ଆଜି ମନ୍ଦିର ଆସିଛି ତାହା ଫଳବତୀ ହୋଇପାରିବନି। ଡାକ୍ତରଖାନାରେ ମରଣ ସହିତ ଲଢ଼ୁଥିବା ବୋଉ ସୁସ୍ଥହୋଇ ଘରକୁ ଫେରିବା ନିହାତି ଦରକାର ତେଣୁ, ଯେତେ ଡେରିହେଉ ଭିଡ଼ ଭାଙ୍ଗିବା ଯାଏ ଅପେକ୍ଷା କରିବ ଭାବି ବେଢ଼ାରେ ବସିପଡି ଆଖିବୁଜି “ଓଁ ନମୋ ଶିବାୟ” ମନ୍ତ୍ର ଉଚ୍ଚାରଣ କରିବାରେ ଲାଗି ପଡିଲା । ଆଖିରୁ ଅବାରିତ ଅଶ୍ରୁଧାରା ବହିଚାଲିଥାଏ।ଛାତିତଳର ଅବ୍ୟକ୍ତ କୋହ ମୁଖମଣ୍ଡଳରେ ଉଦ୍ଭାସିତ।ତାକୁ ଯେ କେହି ଦେଖିବ ଜାଣିପାରିବ କି କେତେ ଅଜଣା କୋହର କୁହୁଡି ତାକୁ ଆଚ୍ଛାଦିତ କରିରଖିଛି। କିନ୍ତୁ ଏଠି ଯିଏ ଯାହା ଭକ୍ତିରେ ତଲ୍ଲୀନ।କିଏ କାହାକୁ ଦେଖୁଛି! ସୁଲଗ୍ନାକୁ ଆଡ଼କରି ପଛରେ ଆସିଥିବା ଭକ୍ତଜନ ମନ୍ଦିରେ ପ୍ରବେଶକରି ଭୋଗଲାଗି କରେଇ ଫେରିଲେଣି ସେ ସେମିତି ନିରବ ନିଶ୍ଚଳ ହୋଇ ବସିରହିଥାଏ।

      ହଠାତ ଅଭୟର ଆଖି ସୁଲଗ୍ନା ଉପରେ ପଡ଼ିଲାପରେ ଅପରିଚିତା ରୂପମୟୀ ତରୁଣୀ କାହିଁ କେତେଜନ୍ମର ଆତ୍ମିକ ମନେହେଲା। ସୁଲଗ୍ନାକୁ ଆଡ଼କରି ମନ୍ଦିରେ ପ୍ରବେଶ କରିବାକୁ ତାର ପାଦ ଚଳିଲା ନାହିଁ।ସତେ ଯେମିତି ମନ, ହୃଦୟ ଦୁଇଟିଯାକ ବନ୍ଧାପଡ଼ିଗଲା ସେ ଝିଅଟି ପାଖରେ। ଅଭୟ ଆପେ ଆପେ ଆକର୍ଷିତ ହୋଇ ସୁଲଗ୍ନା ପାଖକୁ ଗଲା ଏବଂ କହିଲା ତମେ ଭୋଗଡାଲା ଧରି ଏ ଖରାଟା ରେ ବେଢାରେ ବସିଛ ଯେ… ଭୋଗଲାଗି କରେଇବା ପାଇଁ ମନ୍ଦିର ଭିତରକୁ ଯିବନି କି? ଅତର୍କିତ ହୋଇ ସୁଲଗ୍ନା କହିଲା ହଁ ଯିବି ହେଲେ…. ଭିଡ଼ ଭାଙ୍ଗିଲେ।ଭଗବାନଙ୍କ ପାଖରେ ମୋର ଏକାନ୍ତ ଗୁହାରୀ ରହିଛି। ଏ କଥା ଶୁଣି ଅଭୟ ସୁଲଗ୍ନାର ହାତଧରି ଉଠାଇ ଛିଡା କରେଇଲା । ତା’ର ଭୋଗ ଡାଲାରେ ନିଜର ଭୋଗକୁ ରଖି ସୁଲଗ୍ନା ହାତକୁ ବଢ଼େଇଦେଇ କହିଲା…. କେଡେ ବାୟାଣୀ ତୁମେ। ଆଗରୁ କ’ଣ କେବେ ମନ୍ଦିର ଆସିନ..? ଆଜି ଦିନ ସରି ରାତି ପାହିବା ପର୍ଯ୍ୟନ୍ତ ଭିଡ଼ ଭାଙ୍ଗିବନି ବରଂ ଜାଗର ଜଳିବା ପାଇଁ ଭିଡ଼ ବଢିବ ।ଆସ ମୁଁ ତମକୁ ଏ ଭିଡକୁ ଆଡ଼କରି ଚନ୍ଦ୍ରଶେଖରଙ୍କ ପାଖକୁ ନେଇଯିବି ।ଆରେ ଆସ ମୋ ପଛରେ କହି ଆଗେଇ ଚାଲିଲା ଅଭୟ ।କାହିଁକି କେଜାଣି ଅବାଧ୍ୟ ଶିଶୁଟିଏ ପରି ଅଭୟର ପିଛା କଲା ସୁଲଗ୍ନା। ଅଭୟ ବି ଭିଡ଼ ଆଡେଇ ସୁଲଗ୍ନାକୁ ଆଗକୁ ଆଗକୁ ନେଇଚାଲିଥାଏ।ସମସ୍ତଙ୍କ ପରି ସୁଲଗ୍ନା ବି ଘଣ୍ଟି ବଜାଇଲା, ବାସୁଆ ପଛରେ ରହି ଚନ୍ଦ୍ରଶେଖରଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲା।ଅଭୟ ସୁଲଗ୍ନା ହାତରୁ ଭୋଗଡାଲା ନେଇ ମନ୍ଦିରର ଗର୍ଭଗୃହରେ ପ୍ରବେଶ କଲା।କାରଣ ଅଭୟ ଥିଲା ଜଣେ ନୈଷ୍ଟିକ ବ୍ରାହ୍ମଣ ଯୁବକ।ବ୍ରାହ୍ମଣ ମାନଙ୍କର ମନ୍ଦିର ଗର୍ଭଗୃହରେ ପ୍ରବେଶ କରି ଜ୍ୟୋତିର୍ଲିଙ୍ଗ ପୂଜା କରିବାର ଅଧିକାର ରହିଛି। ମୃତ୍ୟୁଞ୍ଜୟମନ୍ତ୍ର ଉଚ୍ଚାରଣ କରି ଭକ୍ତିଭରେ ପୂଜାର୍ଚ୍ଚନା କଲା।ସମସ୍ତ ଭକ୍ତଙ୍କ ଦୀପ ବାହାରେ ଜଳୁଥିବାବେଳେ ସୁଲଗ୍ନାର ଦୀପ ଠାକୁରଙ୍କ ନିକଟରେ ଲାଗିଲା।ଗୋଟି ଗୋଟି ବିଲ୍ଵପତ୍ରରେ ରକ୍ତଚନ୍ଦନ ମାଖି ଅଭୟ ଲିଙ୍ଗରେ ସ୍ଥାପନ କରେଇ ପୁଷ୍ପମାଲ୍ୟ ଅର୍ପଣ କଲା।ବିଧିମୁତାବକ ପୂଜା ସାରି ସୁଲଗ୍ନା ବୋଉର ନାମ ଗୋତ୍ର ଉଚ୍ଚାରଣ କରି ଜଳସାଇ କଲା। ଏବଂ ଭକ୍ତ ମନୋବାଞ୍ଛା ପୂର୍ଣ୍ଣ କର କହି ଚନ୍ଦ୍ରଶେଖରଙ୍କୁ ପ୍ରଣିପାତ କଲା।ଉଭୟେ ମନ୍ଦିର ବାହାରକୁ ଆସିଲେ ଏବଂ ଉଭୟ ପରିଚୟ ଆଦାନ ପ୍ରଦାନ ହୋଇ ବେଢାରେ କିଛିସମୟ ଏକାଠି ବସି ସୁଖଦୁଃଖ ହେଲେ ଏବଂ ଅତି ପରିଚିତ ପରି ସୁଲଗ୍ନା ଆଖିରୁ ଲୁହପୋଛି ତାକୁ ଭୋଗଟିକେ ଖୋଇଦେଇଥିଲା ଅଭୟ। ପରେ ବିଦାୟ ନେଇ ଯିଏ ଯାହା ଘରକୁ ଗଲେ।  

  ବୋଧହୁଏ ଚନ୍ଦ୍ରଶେଖର ଏ ପୂଜାରେ ସନ୍ତୁଷ୍ଟ ହୋଇଥିଲେ ସେଦିନ। ଗୋଟିଏ ଡାଲାରେ ଉଭୟଙ୍କ ଭୋଗ ଲାଗି ହୋଇଥିଲା ବୋଲି ଗୋଟିଏ ପୂଜାରୁ ଦୁଇଜଣଙ୍କ ମନୋବାଞ୍ଛା ପୂର୍ଣ୍ଣ କଲେ। ସୁଲଗ୍ନାର ବୋଉ ସୁସ୍ଥ ହୋଇ ଘରକୁ ଫେରିଆସିଲେ। ଆଉ ସେହିଦିନ ଠାରୁ ପ୍ରତିଦିନ ସୁଲଗ୍ନା ମନ୍ଦିର ଆସେ।ସେହି ବାହାନାରେ ଅଭୟ ସାଥିରେ ଦେଖା ହୁଏ। ଧୀରେଧୀରେ ଦୁହେଁ ଏକ ଅଜଣା ସମ୍ପର୍କରେ ଛନ୍ଦି ହୋଇ ପ୍ରେମୀ ପାଲଟିଗଲେ। ବୋଧହୁଏ ଚନ୍ଦ୍ରଶେଖରଙ୍କର ଏହି ଇଚ୍ଛାଥିଲା।

     ସମୟକ୍ରମେ ପାରିବାରିକ ସ୍ବୀକୃତିରେ ଉଭୟେ ପବିତ୍ର ବନ୍ଧନରେ ବାନ୍ଧିହୋଇ ଦାମ୍ପତ୍ୟ ଜୀବନ ଆରମ୍ଭ କଲେ। ଏ ବିଶ୍ୱ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା, ବିଷ୍ଣୁଙ୍କୁ ପାଳନ କର୍ତ୍ତା କହୁଥିବାବେଳେ ମହେଶ୍ବର ମାନେ ଶଙ୍କର ଭଗବାନଙ୍କୁ ସଂହାର କର୍ତ୍ତା ରୂପେ ବିବେଚିତ କରେ। ହଁ ଏହା ସତ୍ୟ ଯେ,ସେ ଅହଂକାରୀ, ପାପୀ,ଦୁରାଚାରୀଙ୍କ ଆଚରଣ ସଂହାର କରନ୍ତି ଏବଂ ମଙ୍ଗଳମୟ ଭଗବାନ ଜଗତପିତା ଭାବେ କୀଟ,ପତଙ୍ଗ,ତରୁ, ତୃଣ ନାରୀ,ପୁରୁଷ ନିର୍ବିକାରରେ ସାରା ଜଗତର କଲ୍ୟାଣ କରନ୍ତି। ଖାସ ସେଥିପାଇଁ ତ ସେ ଦେବ ଦେବ ମହାଦେଵ ,ମହେଶ୍ୱର। ଭକ୍ତ ମନଜାଣି ଦେଇଜାଣନ୍ତି ଅଭୟ ବର।

                  ରଶ୍ମି ରଞ୍ଜିତା ମିଶ୍ର(ରୋଜି)

                           ବ୍ରାହ୍ମଣ କୁଶଡିହ, ବାଲୁଗାଁ

Related posts

ସାହିତ୍ୟ ଅଗଣା

Sunil Chandra Nayak

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

Sunil Chandra Nayak

Leave a Comment

error: Content is protected !!