ଟିକି ନାଆ ମୋର ଭାସି ଯାଆ
କବିତା ଦାଶ
ଯାଆ ରେ ଯାଆ ମୋ ଟିକି ନାଆ
ଭାସି ଭାସି ତୁ ଯାଆ
ସାତ ସାଗର ତେର ନଈ କୁ
ପାରି ହୋଇ ତୁ ଯାଆ ।
ଏଇ ଆମରି ଟିକି ଗାଆଁର
ଛୋଟିଆ ଏକ ନଈ
ଅଙ୍କା ବଙ୍କା ଏ ପଥରେ ସିଏ
ଯାଉ ଅଛି ତ ବହି ।
ସେ ନଈ ସୁଏ ଢଳି ଢଳିକା
ନାଆ ତୁ ଭାସି ଯାଆ
ଡରିବୁ ନାହିଁ ଝଡ଼ ବତାସେ
ସାହା ଜଗତ ନାହା ।
ଉପରେ ତୋର ଭରି ଦେଇଛି
ପାନ ,ଗୁଆ ଖଇର
ଧାନ ,ମୁଗ ଓ ବିରି ଇତ୍ୟାଦି
ଫସଲ ଏମାଟିର।
ଅତୀତରେ ଏ ଦରବ ସବୁ
ଥିଲା ପରା ବେଉଷା
ଓଡ଼ିଆ ପୁଅ ଆଖିର ସେତ
ଆଶା ଆଉ ଭରସା ।
କଟକର ସେ ସୁନା ରୂପାର
ତାରକସି ଗହଣା
ପୁଣି କ’ଣ୍ଟିଲୋ ପିତ୍ତଳ କାମ
କାରିଗରୀ ନମୁନା ।
ମାଣିଆ ବନ୍ଧ ପାଟ ଶାଢ଼ି କୁ
ଚାନ୍ଦୁଆ ପିପିଲିର
ବୋଇତେ ଭରି ବାଛି ବାଛିକା
ଦରବ ଓଡ଼ିଶାର ।
ସାଧବ ପୁଅ ଦୂର ବିଦେଶେ
ଯାଏ ବଣିଜ କରି
ବନ୍ଦାଣ କରେ ସାଧବ ବୋହୂ
ଶୁଭ କାମନା କରି ।
ସେଇ ଅତୀତ କଥାକୁ ହେଜି
ନାଆ ତୁ ଭାସି ଯାଆ
ଏଇ ମାଟିର ଗରବ ଗାଥା
ପବନେ ଗାଉ ଥାଆ ।
ଜାଭା ସୁମାତ୍ରା ବାଲି ଦ୍ଵୀପରେ
ନାଆ ଯାଇ ଲାଗିବୁ
ଏଇ ମାଟିର କଥାକୁ ଟିକେ
କାନେ କାନେ କହିବୁ ।
ଓଡ଼ିଆ ପୁଅ ଆମେରେ ପରା
ଭୁଲି ନାହୁଁ ଅତୀତ
ଅତୀତ ସ୍ମୃତି ଖୋଜି ଖୋଜିକା
ଗଢ଼ୁ ନୂଆ ଜଗତ ।
ଆମ ସଂସ୍କୃତି ରୀତି ନୀତି କୁ
ଯିଵାନି କେବେ ଛାଡି
ଧରମ ସାଥେ କରମ କରି
ଆଗକୁ ଯିବା ମାଡ଼ି ।
କବିତା ଦାଶ
ନିରାକାର ପୁର