ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ପ୍ରଣୟିନୀ ନିରିମାଖି

 ପ୍ରଣୟିନୀ ନିରିମାଖି

     ବେଣୁଧର ସୂତାର

ପ୍ରୀତି ପୁଲକର ଲହରି ଛନ୍ଦେ
ଚୋରା ଚଇତାଳି ମଳୟ ଗନ୍ଧେ
ଯାଦୁର ଚମକ ମାଖି
ନୟନ ତୀରେ ମୋ କୁହୁକ ଚିତ୍ର
ପ୍ରୀତି ସମ୍ମୋହନେ ଶିହରେ ଗାତ୍ର
ସପନ ଭରା ଏ ଆଖି ।।
ନୀଳ ଆକାଶର ଜ୍ୟୋତ୍ସ୍ନା ଲହରି
ମଲ୍ଲୀକା ମହଲ ସୁରଭି ହରି
ବୟସୀ ଜୋଛନା ରାତି
ଉତ୍ତାଳ ମୋର ଏ ମାନସ ପଟେ
ରୋମାଞ୍ଚିତ ତନୁ ଚହଲି ଉଠେ
ରଙ୍ଗିଲା ଫଗୁଣ ପ୍ରୀତି ।।
ମିଠା ସପନର ତଟିନୀ ତଟେ
ଗୋଧୂଳି ରଙ୍ଗର ଗୋଲାପୀ ଓଠେ
ପ୍ରୀତିଫୁଲ ଚାରୁ ହାସେ
ଚହଲାଇ ଦିଏ ତାରୁଣ୍ୟ ମନ
ମାତବରୀ ଏଇ ଚାରୁ ସପନ
ଇପ୍ସିତ ପ୍ରଣୟ ରାସେ ।।
ଅନୁଢା ବୟସ ଅଳସ ଆଖି
ପ୍ରଣୟର ଭାଷା ଦେଉଛି ଲେଖି
ନୀଳରାତି ନୀଳ ପ୍ରୀତି
ରୂପ ମାଧୁରୀ ମୁଁ ରମଣୀ ରମ୍ୟା
ଲଳିତ ଲଲାମ ତନୁଶ୍ରୀ ସୌମ୍ୟା
ନିଶିଥର ଫୁଲମତୀ ।।
ଅମୃତ ପ୍ରେମର ବିମୁଗ୍ଧ ଧାରା
ଅନୁରାଗ ବୋଳା ପ୍ରୀତିପସରା
ପ୍ରୀତିମୟ ସୁଧା ପାତ୍ରେ
ପ୍ରେମ ପ୍ରତିଶ୍ରୁତି ପ୍ରଣୟ ଗୀତି
ମଧୁ ଯୌବନର ମୋହନ ସ୍ମୃତି
ମୋ ହୃଦୟ ମାନଚିତ୍ରେ ।।
ପ୍ରୀତି ବିଭାବରୀ ଜୋଛନା ଫାଙ୍କେ
ପ୍ରେମ ପ୍ରଣୟର ସପନ ଆଙ୍କେ
ଉନ୍ମାଦନା ଭରେ ଅଙ୍ଗେ
ପୁଲକିତ ତନୁ ତନ୍ମୟ ମନ
ପ୍ରୀତ ଅନୁରଗୀ ନବ ଯୌବନ
ନବ ଅଭିସାର ରଙ୍ଗେ ।।
ଆସ ପ୍ରିୟତମ ଲୋଡ଼ଇ ଦାସୀ
ପ୍ରୀତିମୟ ହେଉ ନିବିଡ଼ ନିଶି
ପବିତ୍ର ବନ୍ଧନ ସାକ୍ଷୀ
ପ୍ରୀତିମଧୁ ଢାଳି ଅଧର ପାତ୍ରେ
ସପନେ ଝୁମିବା ନିଝୁମ୍ ରାତ୍ରେ
ମୁଁ ପ୍ରଣୟିନୀ ନିରିମାଖି ।।
ସପନ କୁମାର ଆସ ମୋ ଆସ
ସପନେ ରଚିବା ଅମିୟ ରାସ
 ସରିଆସେ ବିଭାବରୀ
ଗୋପନ ପ୍ରୀତିର ସୁହାଗ ରାତି
ପ୍ରେମରେ ଲେଖିବା ମଧୁର ସ୍ମୃତି
ସାଜି ପ୍ରୀତି ଅଭିସାରୀ ।।

କେଶଦୁରାପାଳ କେନ୍ଦୁଝର 

Related posts

ଜୟ କୁମାର ମିଶ୍ର ଙ୍କ କବିତା ସାଧନାର ପଥ, ନୁହଁ କୁସୁମିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଉତ୍କେଲା ରେ ଜୈନ ମୁନିଙ୍କ ଆଗମନ

Sunil Chandra Nayak

Leave a Comment

error: Content is protected !!