# ମୋଟା ବିଚାର #
(ଏକ ହାସ୍ୟରସ ବ୍ୟଙ୍ଗ କ୍ଷୁଦ୍ର ଗୀତିନାଟ୍ୟ)
ବାଲାଜି ସେଠୀ
ମୋଟୁ – ଶୁଣ ଆରେ ପେଟୁ ମୋର କଥା ମନଦେଇ
ଏକ ମାସେ କମାଇଲି ଦୁଇ କେଜି ମୁହିଁ
ମୋର ଓଜନରେ…ମୋର ଓଜନ ରେ…
ତୋ ଠାରୁ ପତଳା ମୁଁ ହେଲି ରେ…
ପେଟୁ – ଶୁଣି ତୋର କଥା ହସ ଲାଗେ ମୋତେ
ମୁହଁକୁ ତୋହର ଲାଜ ନାହିଁ
ଏକ୍ସରସାଇଜ କରୁଥିଲୁ କଣ
ପଡ଼ିଆରେ ବସି ପିଜ୍ଜା ଖାଇ…
ମୋଟୁ – ଆରେ ଆରେ ମୂର୍ଖ ମୋତେ ଦେଲୁ ଅପମାନ
ହାତୀ କୁ ପଚାର କିଏ ଜିରା କିଏ ଧାନ
ସିଏ କହିଦେବ ରେ…ସିଏ କହିଦେବ ରେ…
ମୋଟା ଯିଏ ଖାସି କିଲେ ଦେବ ରେ…
ହାତୀ – କୁହ ପେଟୁ ଭାଇ ..ମୁହଁ ଶୁଖାଇଛ କାହିଁ ରେ..
କୁହ ମୋଟୁ ଭାଇ..ଟାଣ ଦେଖାଉଛ କାହିଁ ରେ..
କୁହ ବେନି ଭାଇ….
ସକାଳେ ବାରଟା ଅଣ୍ଡା ପକ୍ୱ ରମ୍ଭା ତିନି ଗଣ୍ଡା
ମଧ୍ୟାହ୍ନେ ଭୁଞ୍ଜ ଭୋଜନ ନାନା ଦ୍ରବ୍ଯ ଥାଇ ରେ..
କୁହ ବେନି ଭାଇ… ଖାଇ ମାର ଦୁହେଁ ହାଇ ରେ..
କୁହ ବେନି ଭାଇ…
ସନ୍ଧ୍ୟାରେ ପିଜ୍ଜା ବର୍ଗର ଫାଷ୍ଟ ଫୁଉଡୁ ଅର୍ଡର
ରାତିରେ ଖାସିର ଝୋଳ ଖାଇ ଯାଅ ନିଦ୍ରା ରେ..
କୁହ ବେନି ଭାଇ…କିବା ପେଟ ନ ପୁରଇ ରେ..
କୁହ ବେନି ଭାଇ…ମୁହଁ ଶୁଖାଇଛ କାହିଁ…
ପେଟୁ – ମାନିବି ନାହିଁ ମୁଁ ଧରମ କରମ
ମାନିବି ନାହିଁ ମୁଁ ବଡ଼ ସାନ
ପୋଟଳ କହିକି ସବୁଦିନ କିବା
ଦେଉଥିବ ମୋତେ ଅପମାନ…
ମୋଟୁ – ପୋଟଳକୁ ଯଦି ପୋଟଳ ନକହି
କହିବି କି ତାକୁ ସ୍କେଲେଟନ
ବାଇକିରେ ସିଏ ଏକା ବସିଗଲେ
ପଛରେ ନଥାଏ ଆଉ ଥାନ…
ପେଟୁ – ଶୁଣ ହାତୀ ଭାଇ କହୁଅଛି ମୁହିଁ
କର ଆଜି ଗୋଟେ ଫଇସଲା
(ଏ) ଡାଲାଅଟୋ ମୋତେ ପାଣିହାତୀ କହି
କୋଉଠି ନ କରୁ ହାଲାଗୁଲା…
ହାତୀ – ଶୁଣ ଶୁଦ୍ଧି ଜନେ ମନ ଦେଇ ଶୁଣ
କର୍ଣ୍ଣକୁ କରିଣ ଠିଆ
ଗୋଟେ ଚକୁଳିକୁ ମଝିରେ ରଖିଣ
ଛକା ଛକି ଦୁଇ ଭୁଆ
ମାଙ୍କଡ଼ ଭାଇର ବିତି ପଡ଼ିଅଛି
ଦୁହିଁଙ୍କୁ କରୁଛି ଆହା
ସମାନ ଭାବରେ ବାଣ୍ଟିଦେବ ଦୁହେଁ
ନିକିତି ଆଣିବ ଯାଆ…
ଭାଇମାନେ ହେ…ଉଣା କରନାହିଁ ମନ…
ଦୁହିଁଙ୍କୁ ସମାନ ନ୍ୟାୟ ପ୍ରଦାଇବି
ହେବ ତୁମ ସମାଧାନ ହେ…
ଭାଇମାନେ ହେ…ଉଣା କରନାହିଁ ମନ…
ମୋଟୁ – ମୋତେ ନ୍ୟାୟ ନ ମିଳିଲେ ନଦେବି ପଇସା
ଗଞ୍ଜାମ ହୋଟେଲର ସେହି ଚିଙ୍ଗୁଡ଼ି ପରଷା
ତୁମେ ମନେରଖ ହେ…ତୁମେ ମନେରଖ ହେ…
ସକାଳେ ଖୁଆଇବିନି ଦୋଷା ହେ…
ପେଟୁ – ନ୍ୟାୟ ନ ମିଳିଲେ ଭାବିଛ କି ତୁମେ
ବସିଯିବି ମୁହିଁ ଚୁପ
ଫାଷ୍ଟଫୁଡ଼ କଥା ଭୁଲିଯିବ ତୁମେ
ସନ୍ଧ୍ୟାର ଚୌମିନ ସୁପ
ଫେଏସବୁକୁରୁ ରିମୁଭ କରିବି
କାଟିବି ୱାଟସପ ଗ୍ରୁଫ
ମଧ୍ୟସ୍ଥୀ ପଣିଆ ଛଡାଇବି ତୁମ
ରହିବନି ଜମା ପ୍ରୁଫ….
ହାତୀ – ରାଗ ନାହିଁ ବାପ ଧନ ହେ…
ମୋ କଥାକୁ ହେଜ ଦେହକୁ ନେଇ…
ରାଗ ନାହିଁ ବାପଧନ ହେ…
ସକାଳର ଜଳଖିଆ ନବେ ଟଙ୍କା
ରାତିରେ ଖାଇବ ଚିକେନ୍ କସା…
ରାଗ ନାହିଁ….
ଆର ଜଣ ଖାଏ ଅଣ୍ଡା ବାଇଶି ଟା
ମଟନ ରାନ୍ଧିଲେ ଚୁଲିରୁ ଚଖା…
ରାଗ ନାହିଁ…
ବସିବା ଥାନରୁ ଉଠିବନି ତୁମେ
କୁଟାକୁ ଦିଖଣ୍ଡ ନକଲ କେବେ
ଦେହରୁ ଟୋପାଏ ଝାଳ ନ ବୁହାଇ
ମେଦ ବଢ଼ାଉଛ ଥନ୍ତଲା ପେଟେ…
ରାଗ ନାହିଁ ବାପ ଧନ ହେ…
ମୋ କଥା କୁ ହେଜ ଦେହକୁ ନେଇ…
ରାଗ ନାହିଁ ବାପ ଧନ ହେ…
କୁଶ ଠୁଁ ପତଳା କଖାରୁ ଠୁଁ ମୋଟା
ତୁମେ ଦୁଇ ଭାଇ ଲାଗୁଛ ଏକା…
ରାଗ ନାହିଁ ବାପ ଧନ ହେ…
ମୋ କଥାକୁ ହେଜ ଦେହକୁ ନେଇ…
ରାଗ ନାହିଁ ବାପ ଧନ ହେ…..
ଚିତ୍ରକୋଣ୍ଡା, ମାଲକାନଗିରି



