ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମରାଜ ପ୍ରଧାନ ଙ୍କ କବିତା ଷୋହଳ କଳା

    ଷୋହଳ କଳା

ଷୋହଳ କଳାର ସମଷ୍ଟି ଯାହାର 
        ସେ ପରା ଜଗତନାଥ 
ନୀଳ କନ୍ଦରରେ ବସି ଆନନ୍ଦରେ 
           ଭକ୍ତଙ୍କୁ ଦେଖାନ୍ତି ପଥ। 
“ଲକ୍ଷଣ” କଳାରେ ନିରୀକ୍ଷଣ କରି 
            ଜଗତର ଭଲ ମନ୍ଦ 
“ପ୍ରାଣ କଳା” ଦ୍ବାରା ଯୋଗ ପ୍ରାଣାୟାମ 
             ଜୀବନ ହୁଏ ଆନନ୍ଦ। 
“ଶ୍ରଦ୍ଧା ଭକ୍ତି ” ଅଟେ ତୃତୀୟ କଳାଟି 
           ବେଦ ଧର୍ମ ଗୁରୁ ପ୍ରତି 
ପରମ ସତ୍ତାର ଅନୁଭବ ସହ 
         ଭକ୍ତିରେ ଆସଇ ଶକ୍ତି। 
“ଖ ମାର୍ଗ ” କଳାଟି ଚତୁର୍ଥରେ ଆସେ 
           ଶୂନ୍ଯେ ବିଚରଣ ପାଇଁ 
ଆକାଶ ମାର୍ଗରେ ରହି ନିରନ୍ତରେ 
           ଜଗତେ ଥାନ୍ତି ଅନାଇଁ। 
“ଅଗ୍ନିହୋତ୍ର” କଳା ସବୁଠୁ ବିରଳ 
           ପଞ୍ଚମରେ ଆସିଥାଏ 
ଯଜ୍ଞ ଅଗ୍ନିଠାରୁ ଆଗ୍ନେୟ ଅସ୍ତ୍ରର 
             ରହସ୍ଯ ଭେଦଇ ସିଏ। 
ପ୍ରଳୟ ଜଳରେ ସୃଷ୍ଟି ରକ୍ଷା କରେ 
          ଗର୍ଭରେ ସ୍ଥାପନ କରି 
ସେ “ଜଳନ୍ତରଣ” କଳାଟି ଅନନ୍ଯ 
           ଧ୍ଯାୟିବା ତାଙ୍କୁ ସୁମରି। 
“ମଲ୍ଲବିଦ୍ଯା” କଳା ଦିଏ ଶକ୍ତ କାୟା 
             ଜଗତ ହିତ ସକାଶେ 
“ଜିତେନ୍ଦ୍ରିୟ” କଳା ପର ବା ଆପଣା 
           ଭାବ ହୃଦୟେ ନ ଆସେ। 
ନବମ କଳାର ନାମ “କାର୍ଯ୍ୟକ୍ଷମ “
           ଦାର୍ଶନିକ ଜ୍ଞାନ ବଳେ 
ବାଧା ବିଘ୍ନ ସବୁ ଦୂର କରିପାରେ 
           ନବ ଉନ୍ମେଷ କୌଶଳେ। 
ଶସ୍ଯ ବୃକ୍ଷ ବୀଜ ପୁଷ୍ପାଦି ସମେତ 
            ଉତ୍ପନ୍ନ, ସଦୁପଯୋଗ 
“ପାଳନ ” କଳାର ନାମରେ ନାମିତ 
           ଜୀବ ପାଇଁ ତାହା ଭୋଗ। 
“ବ୍ରହ୍ମଚର୍ଯ୍ଯ” ରକ୍ଷା ଏକାଦଶ କଳା 
           “ତପସ୍ଯା” ଅଟେ ଦ୍ବାଦଶ 
“ବେଦଜ୍ଞ ” କଳାଟି ତ୍ରୟୋଦଶେ ଆସେ 
           “ବାକ୍ ଶକ୍ତି ” ଟି ଚତୁର୍ଦ୍ଦଶ ।
କର୍ମନିଷ୍ଠ ସହ କର୍ମଯୋଗୀ ହେବା “
              “କ୍ରିୟା ଶକ୍ତି “କଳା ତାହା 
ନିଜ କାର୍ଯ୍ଯେ ଯିଏ କରେ ଆକର୍ଷଣ 
           ଷୋହଳରେ ଆସେ ଯାହା। 
“ଆକର୍ଷଣ “କଳା ପାଇଁ ନନ୍ଦ ବଳା 
          ଥିଲେ ସଭିଙ୍କର ପ୍ରିୟ 
ତାଙ୍କରି ପ୍ରେମରେ ରାଧା ମୀରା ଦୃଷ୍ଟି 
           ଜଗତ ଶ୍ରୀକୃଷ୍ଣମୟ। 

   ଧର୍ମରାଜ ପ୍ରଧାନ

       ସହକାରୀ ଶିକ୍ଷକ
ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡା
ବ୍ଳକ ଅତାବିରା ଜିଲ୍ଲା-ବରଗଡ

Related posts

ତିନି ବର୍ଷରେ ଓଡ଼ିଶାରୁ ସେନାରେ ଭର୍ତ୍ତି ହୋଇଛନ୍ତି ୨୨୬୬

Sunil Chandra Nayak

କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ରେ ଜାତୀୟ ଟୀକାକରଣ ଦିବସ ପାଳନ

Sunil Chandra Nayak

ଗଛ ମଣିଷ ଘନଶ୍ଯାମଙ୍କ ପରଲୋକ,ବିଭିନ୍ନ ମହଲରେ ଶୋକ

Sunil Chandra Nayak

Leave a Comment

error: Content is protected !!