କାଗଜ ଡଙ୍ଗା
ମନକୁ କରିଲି
କାଗଜ ଡଙ୍ଗା ଟେ
ପାଣିରେ ଭସେଇ ଦେଲି ।
ଘଷା ପଥରରେ
ବସି ଗାଧୁଥିବ
ନଇ ତୁଠେ ତୁମେ ବୋଲି ॥
ପ୍ରେମ ବୋଳା ସବୁ
ସଉଦା ଯୋଗାଡି
ଥାକ କରି ରଖି ଦେଇ ।
ଅଥଳ ଜଳର
ନଦୀ କଡେ କଡେ
ଡଙ୍ଗା କୁ ଦେଲି ଭସାଇ ।।
ଡଙ୍ଗା ଚାଲୁଅଛି
ଢେଉ ଡେଇଁ ଡେଇଁ
ତୁମ ପାଶେ ପହଞ୍ଚିବ ।
ସେ ଡଙ୍ଗାରେ ଥିବା
ସାମାନ ଗୁଡ଼ିକୁ
ଯତ୍ନ କରି ଓହ୍ଲାଇବ ।।
ପ୍ରେମ କୁ ଜାଣିଛ
କାଚ ଠାରୁ ଉଣା
ଛୁଇଁ ଦେଲେ ଭାଙ୍ଗି ଯିବ ।
ଯେତେ ଅଠା ଦେଲେ
ଯୋଡ଼ି ହେବ ନାହିଁ
ପଛରେ ପସ୍ତେଇ ହେବ ।।
କାଗଜ ଡଙ୍ଗା ଟି
ହଲି ହଲି ଚାଲେ
ସତେକି ଗୁଣ୍ଠୁଣି ହାତୀ ।
ତାକୁ ତଳ ତୁଠେ
ଜଗି ବସିଥିବ
ମୋ ପ୍ରିୟା ମଉନାବତି ।।
ଡଙ୍ଗା ତଳ ତୁଠେ
ଲାଗିଲା ବେଳକୁ
ଯଦି ଚିରି ଯାଇଥିବ ।
ମନ କଥା ମୋର
ପାଣିରେ ପଡିଲେ
କିଏ ମୋତେ ଆଣି ଦେବ ।।
ଚିତ୍ତ ରଂଜନ ଦେହୁରୀ
ଅନୁଗୋଳ