କେମିତି ପଥିକ ମୁଁ
ନନ୍ଦିନୀ ରାଉତ
ପାନ୍ଥଶାଳା କେବେ ପଚାରି ବୁଝେନା
ପରିଚୟ ଦିନେ ମୋର
କାହିଁକି ଆଶ୍ରୟ ନେଇଛି ତା କୋଳେ
କାହାର ମୁଁଯେ ନିଜର।1।
ରଖିନି ହିସାବ କେତେ ମୁଁ ଗଢ଼ିଛି
ତାଆସ ର ଛୋଟ ଘର
କାହିଁକି ଭୁଷୁଡି ପଡିଲା ମୋ ଘର
କିଏ ବା ଦେବ ଉତ୍ତର।2।
ପଥ କେବେ ମୋତେ ପଚାରି ବୁଝିନି
ବୁଲୁଛି କାହିଁକି ମୁହିଁ
ତରୁ କେବେ ମୋତେ ପଚାରିନି ଥରେ
କାହିଁକି ଦେଉଛି ଛାଇ।3।
ଝରଣା କେବେବି ପଚାରିନି ମୋତେ
କାହିଁକି ପିଉଛି ପାଣି
ହଜାଇ ଦେଇଛି ଠିକଣା ମୋହର
କହିନି ମୋର କାହାଣୀ।4।
ଫୁଲ କେବେ ମୋତେ ପଚାରିନି ପୁଣି
ତୋଳିନାହିଁ ତାକୁ ଦିନେ
ସୁମଧୁର ବାସ୍ନା ବିତରୁଛି ବୋଲି
ଗର୍ବ ନାହିଁ ତାର ମନେ।5।
ସକାଳ ସୁରୁଜ ପଚାରିନି ମୋତେ
ତା ଆଗୁଁ ମୁଁ ଉଠିଯାଏ
ବରଷାର ଟୋପା ପଚାରୁନି ମୋତେ
କାହିଁକି ମୁଁ ଭିଜୁଥାଏ।6।
ଦୁନିଆ ବୁକୁରେ ପାଗଳ ସାଜିଛି
କାହାପାଇଁ କାହାପାଇଁ
ସବୁ କାହିଁକିର ଉତ୍ତର ମିଳୁନି
ନିରୁତ୍ତର ଗଲା ହୋଇ।7।
ସବୁ କାହିଁକିର ଉତ୍ତର ଦେବାକୁ
କେହିବି ଆସିବେ ନାହିଁ
ସେଥିପାଇଁ ପରା ମୋ ଜୀବନ ଆଜି
ଗଲା ଚୋରାବାଲି ହୋଇ।8।
ସଭିଙ୍କ ଜୀବନେ ଆସେ ନିଶ୍ଚେ ଦିନେ
ଏହି ପ୍ରଶ୍ନ ବାରବାର
ଏସବୁ ପ୍ରଶ୍ନକୁ ଭୁଲିଯାଇ ସର୍ବେ
ସୁଖରେ ସଂସାର କର।9।
ଅନୁଗୋଳ